ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ୨ ବିଜେପି ନେତାଙ୍କୁ ନୋଟିସ୍।

ଛତ୍ରପୁରର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ଦୁଇ ବିଜେପି ନେତାଙ୍କୁ ନୋଟିସ ଜାରି କରିଛି ପୋଲିସ। ଛତ୍ରପୁର ଥାନାରେ ହାଜର ହେବାକୁ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏବଂ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ ଜାରି କରାଯାଇଛି।

ଫେବ୍ରୁଆରି ୭ରେ ଗୋଲକ ମହାପାତ୍ର ଏବଂ ୯ ତାରିଖରେ ଭୃଗୁ ବକ୍ସିପାତ୍ରଙ୍କୁ ହାଜର ହେବା ପାଇଁ ନୋଟିସ କରାଯାଇଛି।

୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ଲକ୍ଷ୍ମୀଦତ୍ତଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ହତ୍ୟାକାଣ୍ଡରେ କୃଷ୍ଣ ନାୟକ ଏବଂ ଦୁର୍ଯ୍ୟୋଧନ ରେଡ୍ଡିଙ୍କୁ ଗିରଫ କରିଥିଲା ପୋଲିସ। ପରେ ଏହି ହତ୍ୟାକାଣ୍ଡରେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଗୋଲକଙ୍କୁ ଛତ୍ରପୁର ପୋଲିସ ଜେରା ମଧ୍ୟ କରିଥିଲା। ଏବେ ପୁଣି ଏହି ମାମଲା ରିଓପନ କରିଛି ପୋଲିସ।

“ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ମୁଁ ଥାନାରେ ହାଜର ହୋଇ ପକ୍ଷ ରଖିଥିଲି। ଦେଢ଼ ବର୍ଷ ପରେ ପୁଣି କାହିଁକି ନୋଟିସ କରାଯାଇଛି? ସରକାର ପ୍ରତିଶୋଧ ପରାୟଣ ହୋଇଯାଇଛନ୍ତି। ନୋଟିସ ଏଯାଏଁ ପାଇନି। ନୋଟିସ ପାଇଲେ ପକ୍ଷ ରଖିବି”, କହିଛନ୍ତି ଗୋଲକ ମହାପାତ୍ର।

ଆଜି ବିଜେଡିର ଦୁଇ ବିଧାୟକଙ୍କୁ ସିବିଆଇ ନୋଟିସ କରିବା ପରେ ଓଡ଼ିଶା ପୋଲିସ ବିଜେପିର ଦୁଇ ନେତାଙ୍କୁ ନୋଟିସ କରିଛି। ଏହାକୁ ନେଇ ରାଜନୀତି ପାଣିପାଗ ଉଷ୍ମ ରହିଛି।

Comment