ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଯଦି ବାଚସ୍ପତି କଂଗ୍ରେସ ପାଖରୁ ବିରୋଧୀ ଦଳର ମାନ୍ୟତା ପ୍ରତ୍ୟହାର କରିନିଅନ୍ତି ତେବେ  ଯେଉଁ ଗାଡ଼ିଟି ଓ ଦୁଇ ଜଣ କର୍ମଚାରୀ ସରକାର ଦେଇଛନ୍ତି ତାହା ଫେରାଇନେବେ। ଏତିକି ଛଡ଼ା ‘ମୋର ଆଉ କିଛି କ୍ଷତି ହେବ ନାହିଁ ବୋଲି କହିଛନ୍ତି’ ନରସିଂହ ମିଶ୍ର।

ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ମାନ୍ୟତା ହରାଇବା ଉପରେ କଂଗ୍ରେସ। ଗୋଟିଏ ପଟେ ରାହୁଲ ଗାନ୍ଧି ଓଡ଼ିଶାକୁ ଟାର୍ଗେଟ କରିଥିବା ବେଳେ ତାଙ୍କ ଦଳ ନେତାଶୂନ୍ୟ ଓ ମର୍ଯ୍ୟାଦାଶୂନ୍ୟ ହେବାରେ ଲାଗିଛି। ମନେ ପକାଇ ଦେଉଛୁ ଯେ ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୬ଟି ଆସନ ପାଇ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିଲା। ବିଧାନସଭାର କାର୍ଯ୍ୟକାଳ ଶେଷ ହେବାକୁ ବସିଥିବା ବେଳେ ଏବେ  ଦଳର ସଦସ୍ୟ ସଂଖ୍ୟା ୧୩ କୁ ଖସି ଆସିଛି। ନିକଟରେ ଲାଗଲାଗ ଦୁଇ ଜଣ ବିଧାୟକଙ୍କ ଇସ୍ତଫା ପରେ ଏହି ସଙ୍କଟ ସୃଷ୍ଟି ହୋଇଛି। ଓଡ଼ିଶା ବିଧାନସଭାର ମୋଟ ଆସନ ସଂଖ୍ୟା ୧୪୭ ଓ ବିରୋଧୀ ଦଳର ମାନ୍ୟତା ପାଇବାକୁ ହେଲେ ଯେ କୌଣସି ଦଳର ୧୫ ଜଣ ସଦସ୍ୟ ରହିବା ନିତାନ୍ତ ଦରକାର। ଆଇନ ଅନୁଯାୟୀ ମୋଟ ଆସନ ସଂଖ୍ୟାର ୧୦ ପ୍ରତିଶତ ସଦସ୍ୟ ଥିଲେ ହିଁ ବିରୋଧୀ ଦଳର ମର୍ଯ୍ୟାଦା ମିଳେ।

ନିକଟରେ ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେଇଥିଲେ। ସେ ଦେଇଥିବା ଇସ୍ତଫା ପତ୍ରକୁ ବାଚସ୍ପତି ପ୍ରଦୀପ ଅମାତ ଇତି ମଧ୍ୟରେ ଗ୍ରହଣ କରିନେଇଛନ୍ତି।

‘ମୁଁ ଦଳ ବଦଳାଇ ବିଜେଡ଼ିରେ ଯୋଗ ଦେଇଥିବା ହେତୁ ବିଧାୟକ ରହିବା ନୈତିକତା ଦୃଷ୍ଟିରୁ ଠିକ୍ ନୁହେଁ’ ବୋଲି ନବ ଦାସ କହିଥିଲେ। ତା ପୂର୍ବରୁ କୋରାପୁଟ ବିଧାୟକ କୃଷ୍ଣ ସଗରିଆ ମଧ୍ୟ ଦଳରୁ ଓ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

କହିବାକୁ ଗଲେ,ବିଗତ ଦୁଇ ବର୍ଷ ଧରି କଂଗ୍ରେସ ଗୋଟିଏ ପରେ ଗୋଟିଏ ଆସନ ହାତଛଡ଼ା କରି ଆସିଛି। ବିଜେପୁର ଆସନରୁ ଜିତିଥିବା ସୁବଳ ସାହୁଙ୍କ ମୃତ୍ୟୁ ପରେ ଦଳର ଅଧୋଗତି ଆରମ୍ଭ ହୋଇଥିଲା ବୋଲି ବୁଝିବାକୁ ପଡ଼ିବ। ତାଙ୍କ ବିଧବା ପତ୍ନୀ ରିତା ସାହୁ ବିଜେଡ଼ି ଟିକେଟରୁ ଉପନିର୍ବାଚନ ଲଢ଼ି ଜିତିଥିଲେ। 
ଷୋହଳଟି  ଆସନରୁ ଖସି କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ଏବେ ୧୩ରେ ପହଞ୍ଚିଥିବା ବେଳେ ବିଧାନସଭା ଅଧିବେଶନରେ କଣ ପରିସ୍ଥିତି ହେବ ତାରି ଉପରେ ସମସ୍ତେ ନଜର ରଖିଛନ୍ତି। ଆସନ୍ତା ୪ ତାରିଖରେ ଚଳିତ ବିଧାନସଭାର ଶେଷ ଅଧିବେଶନ ବସୁଛି। ବାଚସ୍ପତି ଏହି ପ୍ରସଙ୍ଗରେ କିଛି ନିଷ୍ପତ୍ତି ନେଇପାରନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ବାଚସ୍ପତି ଯେଉଁ ନିଷ୍ପତ୍ତି ନିଅନ୍ତୁ ନା କାହିଁକି ତାଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ।

କ୍ଷମତା କରିଡରରେ ଚାଲିଥିବା ଆଲୋଚନା ଅନୁସାରେ ଯଦି ବାଚସ୍ପତି କଂଗ୍ରେସ ପାଖରୁ ବିରୋଧୀ ଦଳର ମାନ୍ୟତା ପ୍ରତ୍ୟହାର କରିନିଅନ୍ତି ତେବେ  ଯେଉଁ ଗାଡ଼ିଟି ଓ ଦୁଇ ଜଣ କର୍ମଚାରୀ ସରକାର ଦେଇଛନ୍ତି ତାହା ଫେରାଇନେବେ। ଏତିକି ଛଡ଼ା ‘ମୋର ଆଉ କିଛି କ୍ଷତି ହେବ ନାହିଁ ବୋଲି କହିଛନ୍ତି’ ନରସିଂହ ମିଶ୍ର। ‘ମୁଁ ଆଗରୁ ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ସମାଲୋଚନା କରୁଥିଲି ଏବେ ବି କରିବି’ ବୋଲି କହିଛନ୍ତି ଶ୍ରୀ ମିଶ୍ର।

ଶାସକ ଦଳର ଜଣେ ବରିଷ୍ଠ  ନେତା କହିଛନ୍ତି ଯେ ବିରୋଧୀ ଦଳର ନେତାଙ୍କ ଆସନରେ  କୌଣସି ପରିବର୍ତ୍ତନ ହେବ ସେହି ସମ୍ଭାବନା ନାହିଁ କାରଣ ଏଇଟା ହେଉଛି ବିଧାନସଭାର ଅନ୍ତିମ  ଅଧିବେଶନ ଓ ଆଉ ତିନିମାସ ପରେ ନିର୍ବାଚନ ହେବ।

Comment