ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ ପୂର୍ବରୁ ସିବିଆଇ ସକ୍ରିୟ। ରାଜନୀତି ପାଣିପାଗ ଗରମ।

୨୦୧୯ ନିର୍ବାଚନ ପୂର୍ବରୁ ସିବିଆଇକୁ ନେଇ ପୁଣି ରାଜ୍ୟ ରାଜନୀତିର ପାରଦ ବଢ଼ିଛି। ଦୀର୍ଘ ଦିନର ନୀରବତା ପରେ ସିବିଆଇ ତାତି ପୁଣି ଫେରିଛି। ଚିଟଫଣ୍ଡ ଲିଙ୍କ୍ ଅଭିଯୋଗରେ ବିଜେଡିର ଦୁଇ ବିଧାୟକ ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଆଇ ନୋଟିସ ପରେ ରାଜନୀତି ପୁଣି ତେଜିଛି।

“ସିବିଆଇ ତଦନ୍ତ କେତେ ସ୍ୱଚ୍ଛ ତାହା ସମସ୍ତେ ଜାଣନ୍ତି। ଯେଉଁ ବିଧାୟକଙ୍କୁ ନୋଟିସ କରାଯାଇଛି ବୋଲି କୁହାଯାଉଛି ସେମାନଙ୍କ ପାଖରେ ଏଯାଏଁ ନୋଟିସ ପହଞ୍ଚିନି। ଗଣମାଧ୍ୟମ ପାଖରେ କେମିତି ଏ ଖବର ପ୍ରଥମେ ପହଞ୍ଚିଲା? ନୋଟିସ କ’ଣ ଡାକରେ ଆସୁଛି କି? ନିର୍ବାଚନ ଆସୁଥିବାରୁ ସିବିଆଇକୁ ନେଇ ରାଜନୀତି କରାଯାଉଛି”, ସିବିଆଇକୁ ଏଭଳି ଢଙ୍ଗରେ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

ସବୁଠୁ ବଡ଼ କଥା ହେଉଛି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆଜି ସାଲେପୁରରେ ବୁଥ୍ ସ୍ତରୀୟ କର୍ମୀ ସମ୍ମିଳନୀ କରି ବିଜେଡିକୁ ଟାର୍ଗେଟ କରିଥିଲେ। ଶାହ ଓଡ଼ିଶା ଛାଡ଼ିବାର ମାତ୍ର ଅଳ୍ପ କିଛି ସମୟ ମଧ୍ୟରେ ସିବିଆଇ ନୋଟିସ ଆସିବାକୁ ନେଇ ରାଜନୀତି ସରଗରମ୍ ହୋଇଯାଇଛି। ସିବିଆଇ ନୋଟିସକୁ ବିଜେଡି ରାଜନୀତିକରଣ କହି ସମାଲୋଚନା କରିଛି।

ଆଉ ଦିନ କେତେଟା ପରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ୍। ଏହା ପୂର୍ବରୁ ଓଡ଼ିଶାରେ ବିଜେପି ଏବଂ ବିଜେଡି ଭିତରେ ଛକାପଞ୍ଝା ଲାଗି ରହିଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସିବିଆଇ ସକ୍ରିୟ ହେବାକୁ ନେଇ ରାଜନୀତି ପଣ୍ଡିତ କାରଣ ଖୋଜୁଛନ୍ତି। ଯଦି ସିବିଆଇ ନୋଟିସ ଦେବାର ଥିଲା ଏତେଦିନ ଧରି କାହିଁକି ନୀରବ ଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସାଢ଼େ ଚାରି ବର୍ଷ ହେଲା ସରୁନି ତଦନ୍ତ, ସିବିଆଇ ଖୋଜୁଛି ପଲିଟିକାଲ ଲିଙ୍କ!

୨୦୧୪ ମସିହାରୁ ଓଡ଼ିଶାରେ ଚିଟ୍‌ଫଣ୍ଡ ସ୍କାମର ଖୋଳତାଡ଼ କରୁଛି ସିବିଆଇ। ଏହି ୪ ବର୍ଷର ତଦନ୍ତ ଭିତରେ ସିବିଆଇ ଚିଟ୍‌ଫଣ୍ଡରେ ପଲିଟିକାଲ ଲିଙ୍କ ଖୋଜୁଛି।

ସିବିଆଇ ଯେତେବେଳେ ତାର ପ୍ରଥମ ତଦନ୍ତ ପେଡ଼ି ଖୋଲିଲା ସେତେବେଳେ ପ୍ରଥମ ରାଜନେତା ଭାବେ ଫସିଥିଲେ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ। ଏଟି ଚିଟ୍‌ଫଣ୍ଡ ସଂସ୍ଥାଠାରୁ ଟଙ୍କା ନେବା ଅଭିଯୋଗରେ ପ୍ରଭାତ ୨୦୧୪ ଅକ୍ଟୋବର ୩୧ରେ ଗିରଫ ହୋଇଥିଲେ। ଏହାକୁ ତାଙ୍କ ସମର୍ଥକମାନେ ବିରୋଧ କରିଥିଲେ। ମାଳମାଳ ସମର୍ଥକ ଭୁବନେଶ୍ୱର ସିବିଆଇ ଅଫିସ ସମ୍ମୁଖକୁ ଆସି ପ୍ରତିବାଦ କରିଥିଲେ।

ଏହାସତ୍ତ୍ୱେ ପ୍ରଭାତ ତ୍ରିପାଠୀଙ୍କୁ ୪ ମାସ ଝାରପଡ଼ା ଜେଲରେ ରହିବାକୁ ପଡିଥିଲା। ପରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‍ ମିଳିଥିଲା।

ପ୍ରଭାତ ତ୍ରିପାଠୀଙ୍କ ଗିରଫ ପରେ ସିବିଆଇ ତା’ର ତଦନ୍ତକୁ ଆହୁରି ଜୋରଦାର କରିଥିଲା, ଯାହାର ଶିକାର ହୋଇଥିଲେ ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଏବଂ ବିଜେଡିର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ। ଉଭୟ ନବ ଦିଗନ୍ତ ଚିଟ୍‌ଫଣ୍ଡ ସ୍କାମରେ ଗିରଫ ହୋଇଥିଲେ। ସୁବର୍ଣ୍ଣ ନାୟକ ପୂର୍ବରୁ ଜାମିନ୍‍ ପାଇସାରିଥିବା ବେଳେ ରାମଚନ୍ଦ୍ର ହାଁସଦାଙ୍କ ଏବେ ଜାମିନ ପାଇଛନ୍ତି।

ବିଜେଡି ବିଧାୟକ ଏବଂ ସାଂସଦଙ୍କୁ ସିବିଆଇ ଟାର୍ଗେଟ କରିବାକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଥିଲା। ଏହି ବୟାନବାଜି ନ ଥମୁଣୁ ସିବିଆଇ ଅଧିକାରୀ ‘ନବୀନ ନିବାସ’ର କବାଟ ବାଡେଇଥିଲେ। ନବୀନ ନିବାସର ବିଶ୍ୱସ୍ତ କର୍ମଚାରୀ ସରୋଜ ସାହୁଙ୍କୁ ଏକାଧିକବାର ଜେରା କରିବା ପରେ ରାଜନୀତିରେ ତୁତୁ ମେମେ ଆରମ୍ଭ ହୋଇଥିଲା।

ବିଜେଡି ଏହାକୁ ନେଇ ବିଜେପି ଉପରେ ବର୍ଷିଥିଲା। ବିଜେପି ସରକାର ଇଙ୍ଗିତରେ ସିବିଆଇ ବିଜେଡି ନେତାଙ୍କୁ ଟାର୍ଗେଟ କରୁଛି ବୋଲି ବିଜେଡି ଅଭିଯୋଗ କରିଥିଲା। ହେଲେ ସିବିଆଇ ତଦନ୍ତ ଆଗକୁ ମାଡ଼ି ଚାଲିଥିଲା।

ସରୋଜ ସାହୁଙ୍କ ପରେ ସିସୋର ଚିଟ୍‌ଫଣ୍ଡ ସଂସ୍ଥା ସହ ଲିଙ୍କ୍‍ ରଖିବା ଅଭିଯୋଗରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜେରା କରିଥିଲେ ସିବିଆଇ ଅଧିକାରୀ। ହେଲେ ସେତେବେଳେ ପ୍ରଭାତଙ୍କୁ ଗିରଫ କରି ନଥିଲା ସିବିଆଇ।

ସରୋଜ ସାହୁ ଏବଂ ପ୍ରଭାତ ବିଶ୍ୱାଳଙ୍କୁ ଜେରା କରିବା ପରେ ସିବିଆଇ ତଦନ୍ତ ଧିମେଇ ଯାଇଥିଲା। ଏହାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା ହେବା ପରେ ସିବିଆଇ ୨୦୧୬ରେ ପୁଣି ଥରେ ତଦନ୍ତକୁ ଶାଣିତ କରିଥିଲା।

ଫଳରେ ବିଜେଡିର ତତ୍‌‍କାଳୀନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ସିବିଆଇ ସ୍କାନରରେ ରହିଥିଲେ। ପାଜେରୋ ଗାଡ଼ିକୁ ନେଇ ଅଡ଼ୁଆରେ ପଡ଼ିଥିଲେ ଦାସବର୍ମା।

ଏହାପରେ ସିବିଆଇ ତଦନ୍ତ ଧିମେଇ ଯାଇଥିଲା। ୨୦୧୭ ସେପ୍ଟେମ୍ବର ମାସରେ ପୁଣି ସିବିଆଇ ମାତିଥିଲା। ୨୦୧୪ରୁ ସ୍କାନରରେ ଥିବା ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ବାନ୍ଧିଥିଲା ସିବିଆଇ।  ପ୍ରଭାତ ଗିରଫ ହେବା ପରେ ବିଜେଡି-ବିଜେପି ଭିତରେ ଖୋଲାଖୋଲା ବୟାନବାଜି ଚାଲିଥିଲା। ପ୍ରଭାତଙ୍କ ସମର୍ଥକମାନେ ସିବିଆଇ ଅଫିସ ଆଗରେ ବିକ୍ଷୋଭ କରି କେନ୍ଦ୍ରର ବିଜେପି ଉପରେ ବର୍ଷିଥିଲେ।

Comment