ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀରେ ଉଦ୍‌ଘାଟିତ ହୋଇଛି ବିଜେପିର ଜନଜାତି ରାଷ୍ଟ୍ରୀୟ ଅଧିବେଶନ। ଫେବ୍ରୁଆରି ୩ରେ ଏହି ଅଧିବଶେନରେ ଯୋଗ ଦେଇ ଅମିତ ଶାହ ଅନୂସୂଚିତ ଜାତି ଜନଜାତିଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି।

ମହାପ୍ରଭୁ ଜଗନ୍ନାଥଙ୍କ ଧାମକୁ ଆସି ନିଜ ମହାପ୍ରଭୁଙ୍କ ଚରଣରେ ପ୍ରଣାମ ଜଣାଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ଶାହ। ଏହି ବିଶାଳ ଅଧିବଶେନର ଆୟୋଜନ ପାଇଁ ସେ ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଚାର ନେତମଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନୂସୁଚିତ ଜନଜାତିଙ୍କ ଅଧିବେଶନ ପାଇଁ ଓଡ଼ିଶା ଏକ ପ୍ରତ୍କୃଷ୍ଟ ସ୍ଥାନ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ।

ମହାପ୍ରଭୁ ଜଗନ୍ନାଥଙ୍କ ନୀଳମାଧବ ସ୍ୱରୂପ କଥା କହିଲେ ଶାହ

ଅଧବେଶନରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ନୀଳମାଧବ ସ୍ୱରୂପ ସମ୍ପର୍କରେ କହିଥିଲେ। ସେ କହିଥିଲେ ଯେତେବେଳେ ପ୍ରଭୁ ନୀଳମାଧବ ସ୍ୱରୂପ ଗ୍ରହଣ କରିଥିଲେ ସେତେବେଳେ ସବର ରାଜା ବିଶ୍ୱାବସୁ ହିଁ ତାଙ୍କର ସେବା କରି ପୂଜାର୍ଚ୍ଚନା କରିଥିଲେ। ଏହିଠାରୁ ହିଁ ଜନଜାତିଙ୍କ ଭୂମିକା କଥା କହି ଆରମ୍ଭ କରିଥିଲେ ଉଦ୍‌ବୋଧନ।

ଆଗାମୀ ୫ ବର୍ଷ ପାଇଁ ଦେଶର ଶାସନ କାହା ହାତରେ ରହିବ

“ଆସନ୍ତା ମେ ମାସରେ ଦେଶରେ ନୂଆ ସରକାର ଗଠନ ହେବ। ତେବେ ଆଗାମୀ ୫ ବର୍ଷ ପାଇଁ କେଉଁ ଦଳ ଓ କେଉଁ ବ୍ୟକ୍ତିଙ୍କ ପାଖରେ ଦେଶର ଶାସନ ରହିବ ତାହା ଦେଶର ଜନତା ନିର୍ଣ୍ଣୟ କରିବେ”, ଉଦ୍‌ବୋଧନରେ କହିଛନ୍ତି ଶାହ।

“ଯେଉଁଠି ଜନଜାତିଙ୍କ ପ୍ରଶ୍ନ ଉଠୁଛି, ତେବେ ମୁଁ କହି ରଖୁଛି ଭାରତୀୟ ଜନତା ପାର୍ଟି ପାଖରେ ଦେଶରେ ସବୁଠାରୁ ଅଧିକ ୩୨ ସାଂସଦ ବିଜେପି ପାଖରେ ରହିଛନ୍ତି। ରାଜ୍ୟସଭାରେ କୌଣସି ଆରକ୍ଷଣ ନଥାଇ ବି ସେଠାରେ ୪ଟି ଜନଜାତି ସଦସ୍ୟଙ୍କ ସ୍ଥାନ ବିଜେପି ହିଁ କରିଛି”, ଉଦ୍‌ବୋଧନରେ କହିଛନ୍ତି ଶାହ।

ସେ ଆହୁରି କହିଛନ୍ତି ଜନଜାତିଙ୍କ ସମ୍ମାନ କରି ଦେଶରେ ୫ ଜନଜାତିଙ୍କୁ ମନ୍ତ୍ରୀ କରାଯାଇଛି। ଆସାମ ଓ ଅରୁଣାଚଳ ପ୍ରଦେଶ ଭଳି ଦୁଇଟି ବଡ଼ ରାଜ୍ୟରେ  ଜନଜାତିଙ୍କୁ ମଖ୍ୟମନ୍ତ୍ରୀ କରିବା କାମ ବିଜେପି ହିଁ କରିଛି।

ଓଡ଼ିଶାର ବରିଷ୍ଠ ନେତା ଜୁଏଲ ଓରାମ ମଧ୍ୟ ଆଦିବସୀ କଲ୍ୟାଣର କାମ କରୁଛନ୍ତି। ମୋଦି ସରକାର ସହାୟକ ନେଇ ସେ ଆଦିବାସୀଙ୍କ କଲ୍ୟାଣ ପାଇଁ କାମ କରୁଛନ୍ତି। କିନ୍ତୁ ଏହି କଲ୍ୟାଣକାରୀ କାର୍ଯ୍ୟର ଆରମ୍ଭ ବିଜେପି ହିଁ କରିଛି।

ବିଜେପିକୁ ଜିତାଇବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କଲେ ଶାହ

ଶାହ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି ଯେ, କେନ୍ଦ୍ରରେ ମୋଦି ସରକାର ରହିବା ସହିତ ଓଡ଼ିଶାରେ ବି ବିଜେପିକୁ ପୂର୍ଣ୍ଣ ବହୁମତରେ ହାସଲ କରିବାରେ ଓଡ଼ିଶାବାସୀ ସାହାଯ୍ୟ କରୁନ୍ତୁ।

ବଜେଟରେ ସରକାର ଜନଜାତିଙ୍କ ପାଇଁ ୫୦ ହଜାର କୋଟି ଟଙ୍କା ଜନଜାତି କଲ୍ୟାଣ ପାଇଁ ରଖିଛନ୍ତି। ଆମ ସରକାର ଶିକ୍ଷାରେ ବି ବେଶ୍‌ ଗୁରୁତ୍ୱ ଦେଇଛି। ଓଡ଼ିଶାରେ ଛାତ୍ରବୃତ୍ତି ପାଇଁ ସରକାର ୩୨୯ କୋଟି ଟଙ୍କା ଦେଉଛନ୍ତି। ଆଦିବାସୀଙ୍କ ମୋଦି ସରକାର ଡିଷ୍ଟ୍ରିକ ମିନେରାଲ ଫଣ୍ଡର ସ୍ଥାପନା କରିଛନ୍ତି।

ବିର୍ସା ମୁଣ୍ଡାଙ୍କ ପାଇଁ ସ୍ମାରକୀ ସ୍ଥଳ ମଧ୍ୟ କେନ୍ଦ୍ର ସରକାର ନିର୍ମାଣ କରିଛନ୍ତି। ଏଥିସହ ଦାନ ମାଝୀ ଘଟଣାକୁ ମନେ ପକାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶାହ। ‘ଜବାବ ମାଗୁଛି ଓଡ଼ିଶା’ ସମ୍ପର୍କରେ କହିଛନ୍ତି ଶାହ। ରାଜ୍ୟର ମୁଖ୍ୟମନ୍ତ୍ରୀ ଯଦି ନିଜ ଭାଷା ନ କହିପାରିବେ ତେବେ ତାଙ୍କର ରାଜ୍ୟ ଶାସନ ସମ୍ଭାଳିବାର କୌଣସି ଅଧିକାର ନାହିଁ।

ରାହୁଲଙ୍କ ଉପରେ ବର୍ଷିଲେ ଶାହ

କେବଳ ରାଜ୍ୟ ସରକାର ନୁହେଁ ସେ କଂଗେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି କୃଷକ କଥା କହୁଥିବା ରାହୁଲଙ୍କୁ ଏହା ବି ଜଣା ନାହିଁ ଯେ, ରବି ଫସଲ କେବେ ହୁଏ ଖରିଫ୍‌ ଫସଲ କେବେ ହୁଏ।

ଆଦିବାସୀଙ୍କ ଅଧିକାର ପାଇଁ ଏହି ଅଧିବେଶନର ଆୟୋଜନ କରାଯାଇଥିଲା। ଏହି ଅଧିବଶନରେ ଆଦିବସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ।

ଆୟୁଷ୍ମାନ ଭାରତ କଥା କହିଲେ ଶାହ

ଆୟୁଷ୍ମାନ ଭାରତ ଯୋଜନା ସଂପର୍କରେ କହିଛନ୍ତି ଶାହ। ମୋଦି ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଯୋଜନା କରିଛନ୍ତି। ହେଲେ ନବୀନ ଏହାକୁ ବିରୋଧ କରିଛନ୍ତି। ନିର୍ବାଚନ ଆଉ କମ ଦିନ ରହିଛି ତେଣୁ ନବୀନ ଏହି ଯୋଜନାକୁ ସ୍ୱୀକାର କରି ନିଅନ୍ତୁ ବୋଲି ସେ କହିଛନ୍ତି।

Comment