ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେଡି ଗଡ଼ ଯାଜପୁରରେ ଏଥର କଡ଼ା ଟକ୍କର ଦେବ ବିଜେପି। ନୂଆ ମୁହଁଙ୍କୁ ମିଳିବ ଅଗ୍ରାଧିକାର।

୨୦୧୯ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଯାଜପୁର ଜିଲ୍ଲାର ଟିକେଟ୍ ରାଜନୀତି ଜୋରଦାର ହୋଇଛି। ଉପକୂଳ ଓଡ଼ିଶାରେ ଦଳର ସେଭଳି ଉଲ୍ଲେଖନୀୟ ସ୍ଥିତି ନଥିବା ସତ୍ତ୍ୱେ ବିଜେପି ଜିଲ୍ଲାର ସବୁଯାକ ସାତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନୂଆ ପ୍ରାର୍ଥୀ ଦେବା ପାଇଁ ନିଷ୍ପତ୍ତି କରିଛି।

ଦଳର ଜଣେ ଆଗଧାଡ଼ିର ନେତା କହିଛନ୍ତି ଯେ ଅମିତ ଶାହଙ୍କ ୧୨୦ ପ୍ଲସ୍ ମିଶନ ଅନ୍ତର୍ଗତ ନୂଆ ମୁହଁକୁ ଏଥର ମଇଦାନକୁ ଛଡ଼ାଯିବ। ଜିଲ୍ଲାରେ ବିଜେଡିର ପ୍ରଭାବକୁ ଶେଷ କରିବା ପାଇଁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାରେ ଶାସକ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିଜେପି ସାମ୍ନାକୁ ଆସିଥିଲା ଓ କଂଗ୍ରେସ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଥିଲା।

ପଞ୍ଚାୟତ ନିର୍ବାଚନରେ ହାରିବା ପରେ ଯାଜପୁରର ଅଧିକାଂଶ କଂଗ୍ରେସ ନେତା ଯେଉଁମାନେ କି ବିଧାନସଭା ନିର୍ବାଚନ ବି ଲଢ଼ିଥିଲେ ସେମାନେ ବର୍ତ୍ତମାନ ଯାଇ ବିଜେପିରେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇତିମଧ୍ୟରେ ବିଶ୍ୱରଞ୍ଜନ ନାୟକ, ବିଶ୍ୱ ମଲ୍ଲିକ, ବବିତା ମଲ୍ଲିକ, ସୁରେନ୍ଦ୍ର ପଣ୍ଡା, ଗୌତମ ରାୟ, ଅମର ନାୟକ ଓ ପ୍ରଦୀପ ବଳସାମନ୍ତ ଭଳି ପ୍ରଭାବଶାଳୀ ନେତାମାନଙ୍କୁ ବିଜେପିରେ ସାମିଲ୍ କରାଇଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ଏ ସମସ୍ତଙ୍କୁ ଟିକେଟ୍ ଦିଆଯିବ ବୋଲି ଧର୍ମେନ୍ଦ୍ର ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଟିକେଟ୍ ମିଳିବା ନିଶ୍ଚିତ ବୋଲି ଜାଣିବା ପରେ ହିଁ ଏମାନଙ୍କ ଭିତରୁ ଅନେକ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ପ୍ରଣବ ବଳବନ୍ତରାୟ ବନାମ ପଣ୍ଡା

ରାଜ୍ୟ ବିଜେପି ସମ୍ପାଦିକା ସୀମନ୍ତିନୀ ଜେନା ୨୦୧୪ ନିର୍ବାଚନରେ ବଡ଼ଚଣାରୁ ପ୍ରାର୍ଥୀ ହୋଇଥିଲେ। ତେବେ ଏଥର ଅମର ନାୟକଙ୍କୁ ପ୍ରାର୍ଥୀ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ସେହିଭଳି ଧର୍ମଶାଳା ଆସନରେ ୨୦୦୯ ଓ ୨୦୧୪ରେ ରମେଶ ଚନ୍ଦ୍ର ପରିଡ଼ା ବିଜେପିର ପ୍ରାର୍ଥୀ ହୋଇଥିଲେ ହେଁ ସେ ବିଶେଷ କିଛି ଭୋଟ୍ ଆଣିପାରି ନଥିଲେ। ଏଣୁ ଏଥର ତାଙ୍କୁ ବଦଳାଇ ଅନ୍ୟ କାହାକୁ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି। ସମ୍ଭବତଃ ସୁରେନ୍ଦ୍ର ପଣ୍ଡାଙ୍କୁ ଧର୍ମଶାଳାରୁ ବିଜେପିରୁ ପ୍ରାର୍ଥୀ କରାଯିବ ଓ ସେ ବିଜେଡିର ପ୍ରଣବ ବଳବନ୍ତରାୟଙ୍କୁ ସାମ୍ନା କରିବେ। ଗତ ନିର୍ବାଚନରେ ପ୍ରଣବ ବଳବନ୍ତରାୟ ୮୫,୦୦୦ରୁ ଅଧିକ ଭୋଟ୍‌ରେ ଜିତିଥିଲେ।

ବରୀ ଆସନରେ ବିଜେପି ପକ୍ଷରୁ ବିଶ୍ୱରଞ୍ଜନ ମଲ୍ଲିକ ପ୍ରାର୍ଥୀ ହେବା ଏକରକମ ନିଶ୍ଚିତ। ଗତଥର ଏଠାରୁ ପ୍ରାର୍ଥୀ ଥିବା ନୀଳମଣି ସାମଲ୍‌ ଇତିମଧ୍ୟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ବିଞ୍ଝାରପୁର ଆସନରୁ ବିଜେଡିର ପ୍ରମିଳା ମଲ୍ଲିକଙ୍କ ବିପକ୍ଷରେ ଅମୀୟ ମଲ୍ଲିକ କିମ୍ବା ବବିତା ମଲ୍ଲିକଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇପାରେ। ଅମୀୟ ୨୦୧୪ରେ ଯାଜପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ ଓ ଦେବପ୍ରସାଦ ମଲିକ ଏହି ଆସନରୁ ବିଧାନସଭା ପାଇଁ ଲଢ଼ିଥିଲେ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ସୁକିନ୍ଦାରୁ ପ୍ରଦୀବ ବଳସାମନ୍ତ ବିଜେପିର ପ୍ରାର୍ଥୀ ହେବା ଏକ ରକମ ସ୍ପଷ୍ଟ। ବିଜେପିରେ ଯୋଗ ଦେବା ପୂର୍ବରୁ ଧର୍ମେନ୍ଦ୍ରଙ୍କଠାରୁ ସେ ଏହି ପ୍ରତିଶ୍ରୁତି ପାଇଥିଲେ। ସୁକିନ୍ଦାରୁ ୨୦୧୪ରେ ଅଭିନ୍ନ କୁମାର ହୋତା ବିଜେପିର ପ୍ରାର୍ଥୀ ହୋଇଥିଲେ।

ବବିଦାସଙ୍କୁ ଗୌତମଙ୍କ ଚାଲେଞ୍ଜ  

ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କୁ ଯାଜପୁର ଆସନରୁ ପ୍ରାର୍ଥୀ କରାଯିବ ଏହା ନିଶ୍ଚିତ। ପୂର୍ବତନ ମନ୍ତ୍ରୀ ତଥା ପ୍ରଭାବଶାଳୀ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସେ ମୁକାବିଲା କରିବେ। ଗତ ଥର ବବି ଦାସ ୮୪,୦୦୦ ଭୋଟ୍ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ବିଜେପିର ଜଗନ୍ନାଥ ସାମଲ।

କୋରେଇ ବିଧାନସଭା ଆସନରୁ ବିଜେପି ପକ୍ଷରୁ ପ୍ରାର୍ଥୀ ଖୋଜା ଚାଲିଛି। ଯାହା ଜଣାପଡ଼ୁଛି ଅତୀତରେ ବହୁ ଥର ନିର୍ବାଚନ ଲଢ଼ିଥିବା ଓ ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କୁ ପୁଣି ଥରେ କୋରେଇରୁ ପ୍ରାର୍ଥୀ କରାଯିବ। ଯଦି ତାହା ହୁଏ ବିଶ୍ୱରଞ୍ଜନ ନାୟକ ଏଥର ବାଦ୍‌ ପଡ଼ିବେ।

Comment