ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କଂଗ୍ରେସ କର୍ମୀଙ୍କ ମନରେ ଜୋସ୍ ଫେରାଇଲା ପ୍ରିୟଙ୍କା ଗାନ୍ଧିଙ୍କ ରୋଡ୍‌ ଶୋ।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉତ୍ତରପ୍ରଦେଶ ରାଜନୀତିରେ ଜବରଦସ୍ତ ଏଣ୍ଟ୍ରି କରିଛନ୍ତି। ଲକ୍ଷ୍ନୌ ଏୟାରପୋର୍ଟରୁ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୧୫ କିଲୋମିଟର ରୋଡ ଶୋ କରି ଉତ୍ତରପ୍ରଦେଶ ରାଜନୀତିକୁ ହଲ୍‌ଚଲ୍ କରିଛନ୍ତି। କେବଳ ପ୍ରିୟଙ୍କ ନୁହନ୍ତି ଭାଇ ରାହୁଲ ଗାନ୍ଧି ମଧ୍ୟ ଏହି ରୋଡ ଶୋ’ରେ ସାମିଲ ହୋଇ ବିଜେପିକୁ ଆଟାକ୍ କରିଛନ୍ତି।

ଭାଇ-ଭଉଣୀଙ୍କ ଏହି ରୋଡ୍‌ ଶୋ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ରୋଡ୍ ଶୋ ପରେ ପ୍ରିୟଙ୍କାଙ୍କ ଆଗାମୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ପ୍ରିୟଙ୍କା ୨୦୧୯ ନିର୍ବାଚନରେ କଂଗ୍ରେସର ସାଂସଦ ଭାବେ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଆଉ କିଛି ଲୋକ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କହୁଛନ୍ତି।

ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ ଏବଂ ପ୍ରିୟଙ୍କା ଉତ୍ତରପ୍ରଦେଶରେ ବଡ଼ ରାଲି କରିଛନ୍ତି। ଯେତେବେଳେ ରାହୁଲ-ପ୍ରିୟଙ୍କା ବସ୍‌ରେ ବସି ରୋଡ ଶୋ’ରେ ଆସୁଥିଲେ ସେତେବେଳେ କଂଗ୍ରେସର ବରିଷ୍ଠ ନେତା ଓ କର୍ମୀ ପୂରା ଜୋସ୍‌ରେ ରହିଥିବା ଦେଖିବାକୁ ମିଳିଥିଲା। ପ୍ରିୟଙ୍କା କଂଗ୍ରେସର ଆଗାମୀ ଭବିଷ୍ୟତ ବୋଲି ଚର୍ଚ୍ଚା ହେଉଛି।

୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ବଡ଼ ବିଜୟ ହାସଲ କରିଥିଲା। କଂଗ୍ରେସକୁ ଏଠାରେ ଶୋଚନୀୟ ପରାଜିତ ହେବାକୁ ପଡ଼ିଥିଲା। ମୋଟ ୪୦୩ ବିଧାନସଭା ଆସନରୁ କଂଗ୍ରେସ ୭ଟିରେ ବିଜୟୀ ହୋଇଥିଲା। ସେହିପରି ୨୦୧୪ ନିର୍ବାଚନରେ ବି କଂଗ୍ରେସ ଭଲ ପ୍ରଦର୍ଶନ କରି ନଥିଲା।

ଉତ୍ତରପ୍ରଦେଶ ଭଳି ରାଜ୍ୟରେ କଂଗ୍ରେସର ମାତ୍ର ୨ ଜଣ ସାଂସଦ ବର୍ତ୍ତମାନ ଅଛନ୍ତି। ଏହାସହ ଏଠାରେ କଂଗ୍ରେସର ଭୋଟ ପ୍ରତିଶତ ମଧ୍ୟ ହ୍ରାସ ପାଇଥିଲା। ରାହୁଲ ଗାନ୍ଧିଙ୍କ ମନ୍ତ୍ର ଉତ୍ତରପ୍ରଦେଶରେ କାମ ଦେଇ ନଥିଲା। ଗତ ପାଞ୍ଚ ବର୍ଷ ହେଲା ଏହି ରାଜ୍ୟରେ କଂଗ୍ରେସ ପୂରା ପଛରେ ପଡ଼ି ଯାଇଥିଲା।

ଉତ୍ତରପ୍ରଦେଶରେ କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ କଂଗ୍ରେସ ପ୍ରିୟଙ୍କାଙ୍କୁ ସକ୍ରିୟ ରାଜନୀତିକୁ ଆଣିଛି। ପ୍ରିୟଙ୍କାଙ୍କୁ ପୂର୍ବ ଉତ୍ତର ପ୍ରଦେଶର ପ୍ରଭାରୀ କରାଯାଇଛି। ପ୍ରିୟଙ୍କା ଦାୟିତ୍ୱ ନେବା ପରେ ଉତ୍ତରପ୍ରଦେଶରେ ଶୁପ୍ତ ହୋଇଯାଇଥିବା କଂଗ୍ରେସ କର୍ମୀ ପୁଣି ଜାଗ୍ରତ ହୋଇଛନ୍ତି। ହେଲେ ପ୍ରିୟଙ୍କା ଉତ୍ତରପ୍ରଦେଶରେ ଅସଜଡ଼ା କଂଗ୍ରେସ ଘରକୁ କେମିତି ସଜାଡ଼ୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଚର୍ଚ୍ଚା ହେଉଛି ଯେ ପ୍ରିୟଙ୍କା ୨୦୧୯ ନିର୍ବାଚନରେ ପ୍ରାର୍ଥୀ ହେବେ। ଲକ୍ଷ୍ନୌ, ବାରାଣାସୀ କିମ୍ବା ପୂର୍ବ ଉତ୍ତରପ୍ରଦେଶରୁ ପ୍ରିୟଙ୍କା ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ହେଲେ ଲୋକସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବାରୁ ପ୍ରିୟଙ୍କା ପ୍ରାର୍ଥୀ ହେଲେ କୌଣସି ଫାଇଦା ମିଳିବ ନାହିଁ ବୋଲି କୁହାଯାଉଛି।

ରାଜନୀତି ପଣ୍ଡିତମାନେ ମତ ଦେଉଛନ୍ତି ଯେ ପ୍ରିୟଙ୍କାଙ୍କ ନଜର ୨୦୧୯ ନିର୍ବାଚନ ଉପରେ ନାହିଁ। ସେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ନଜର ରଖିଛନ୍ତି। ୨୦୨୨ରେ ପ୍ରିୟଙ୍କାଙ୍କୁ କଂଗ୍ରେସ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିପାରେ।

ଗୋଟିଏ ପଟେ ଉତ୍ତରପ୍ରଦେଶରେ ବର୍ତ୍ତମାନ ବିଜେପି ସରକାରରେ ରହିଛି। ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ଭିତରେ ମେଣ୍ଟ ହୋଇଛି। ଏଭଳି ସ୍ଥିତିରେ ପ୍ରିୟଙ୍କାଙ୍କ ଏଣ୍ଟ୍ରି ଉତ୍ତରପ୍ରଦେଶ ରାଜନୀତିକୁ ସରଗରମ କରିଛି।

Comment