ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସ୍ତ୍ରୀ ହେମା ଗମାଙ୍ଗ ପୁଣି କଂଗ୍ରେସକୁ ଫେରିବେ। ଏନେଇ ଦିଲ୍ଲୀରେ ହେମା ଡେରା ପକାଇଛନ୍ତି। କଂଗ୍ରେସର ଶୀର୍ଷ ନେତୃବୃନ୍ଦଙ୍କୁ ଭେଟି କଂଗ୍ରେସ ଘରକୁ ଫେରିବା ଲାଗି ହେମା ପ୍ରସ୍ତୁତ ହେଉଛନ୍ତି।

“ମୁଁ କଂଗ୍ରେସରେ ଥିଲି। ଓଡ଼ିଶା କଂଗ୍ରେସ ଦାୟିତ୍ୱରେ ଯେଉଁମାନେ ଏବେ ଅଛନ୍ତି ସେମାନଙ୍କ ସହ ମୋର ଭଲ ସମ୍ପର୍କ ରହିଛି। ଏଣୁ କଂଗ୍ରେସକୁ ଫେରିବା ମୋ’ ପାଇଁ ଅସହଜ ହେବ ନାହିଁ”, କହିଛନ୍ତି ହେମା ଗମାଙ୍ଗ।

୨୦୧୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ହେମା। ଲକ୍ଷ୍ମୀପୁର ବିଧାନସଭା ଆସନରୁ ସେ ବିଜେଡି ପ୍ରାର୍ଥୀ ହୋଇଥିଲେ। ହେଲେ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ହେମା ପରାଜିତ ହୋଇଥିଲେ।

୨୦୧୭ରେ ହେମା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡିରେ ତାଙ୍କୁ କୋଣଠେସା କରି ରଖାଯାଇଥିବା ଅଭିଯୋଗରେ ହେମା ଦଳ ଛାଡ଼ିଥିଲେ।

୧୯୯୯ରେ ହେମା କଂଗ୍ରେସ ଟିକେଟରୁ କୋରାପୁଟ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ହେମା ଗୁଣପୁର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେମାଙ୍କ ସ୍ୱାମୀ ଗିରିଧର ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ ଏବେ ବିଜେପିରେ ଅଛନ୍ତି।

Comment