ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବିଜେଡିର ପ୍ରଣବ ବଳବନ୍ତରାୟଙ୍କ ବିପକ୍ଷରେ କଂଗ୍ରେସ କାଙ୍ଗାଳୀ ଚରଣ ପଣ୍ଡାଙ୍କୁ ପ୍ରାର୍ଥୀ କରିବ।

ଯାଜପୁର ଜିଲ୍ଲାର ଅନ୍ୟ ଏକ ସମ୍ବେଦନଶୀଳ ଆସନ ହେଉଛି ଧର୍ମଶାଳା। ଏଠାରୁ ବହୁ ରଥୀ ମହାରଥୀ ଅତୀତରେ ନିର୍ବାଚନ ଲଢ଼ିଛନ୍ତି। ପୂର୍ବତନ ମନ୍ତ୍ରୀ କଳ୍ପତରୁ ଦାସଙ୍କ ପରେ ତାଙ୍କ ପୁଅ ପ୍ରଣବ ବଳବନ୍ତରାୟ ବର୍ତ୍ତମାନ ଏହି ଆସନକୁ ପ୍ରତିନିଧିତ୍ୱ କରୁଛନ୍ତି।

ଲଗାତର ବିଫଳତା ପରେ ଆଗାମୀ ୨୦୧୯ ନିର୍ବାଚନ ପାଇଁ ଜଣେ ପୁରୁଖା ନେତାଙ୍କୁ ଠିଆ କରିବା ପାଇଁ କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଦଳର ଜଣେ ବରିଷ୍ଠ ନେତା ଓ ପୂର୍ବତନ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡା ସମ୍ଭବତଃ ଧର୍ମଶାଳାରୁ ପ୍ରାର୍ଥୀ ହେବେ।

ଧର୍ମଶାଳା ଆସନଟି ଅନେକ ସମୟରେ ଅଣକଂଗ୍ରେସ ଦଳର ହାତରେ ରହିଛି। କାଙ୍ଗାଳୀ ପଣ୍ଡାଙ୍କୁ ପ୍ରାର୍ଥୀ କରାଯିବା ପଛରେ ଯୁକ୍ତି ହେଉଛି ଯେ ସେ ଜଣେ ନମ୍ର ଓ ଭଦ୍ର ନେତା। ତା’ ଛଡ଼ା ଧର୍ମଶାଳା ଅଞ୍ଚଳରେ ତାଙ୍କର ଲୋକପ୍ରିୟତା ବି ରହିଛି।

୧୯୮୦ ବିଧାନସଭା ଆସନରେ ଶ୍ରୀ ପଣ୍ଡା ଜନତା ପାର୍ଟିର ପ୍ରାର୍ଥୀ ତଥା ରାଜା ପରିବାରର ଉତ୍ତରାଧିକାରୀ ଗୁରୁଚରଣ ଟିକାୟତଙ୍କୁ ପରାସ୍ତ କରିଥିଲେ। ୧୯୮୫ରେ ମଧ୍ୟ ଶ୍ରୀ ପଣ୍ଡା ଏହି ଆସନରୁ ଜିତିଥିଲେ।

ପରବର୍ତ୍ତୀ ସମୟରେ ରାଜ୍ୟର ରାଜନୈତିକ ପାଣିପାଗ ବଦଳିବା ଫଳରେ ୧୯୮୫ ପରଠାରୁ କଂଗ୍ରେସ ଧର୍ମଶାଳାରୁ  ଆଉ ଜିତି ପାରିନାହିଁ। ୧୯୯୦ରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତା ଦଳ ସମଗ୍ର ରାଜ୍ୟରେ ବିପୁଳ ସଂଖ୍ୟକ ବିଧାୟକଙ୍କ ସହ ସରକାର ଗଠନ କରିଥିଲା।

ଅବଶ୍ୟ ୧୯୯୫ରେ ପୁଣି କଂଗ୍ରେସ ରାଜ୍ୟରେ ସରକାର ଗଠନ କରିଥିଲା। ତେବେ ଧର୍ମଶାଳାରେ କଂଗ୍ରେସ ଜିତିପାରି ନଥିଲା। ଶ୍ରୀ ପଣ୍ଡାଙ୍କୁ ଅବହେଳା କରିବା ଫଳରେ କଂଗ୍ରେସ ଏହି ଅବସ୍ଥା ଭୋଗିଲା ବୋଲି ସେତେବେଳେ କୁହାଗଲା। ସେହିଥର ଶ୍ରୀନାଥ ମିଶ୍ର ତୃଣମୂଳ କଂଗ୍ରେସରୁ ଟିକେଟ୍ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ନିର୍ବାଚନରେ ମଧ୍ୟ କଂଗ୍ରେସ ଏଠାରୁ ଜିତି ପାରିନଥିଲା।

ଧର୍ମଶାଳାର ଏକମାତ୍ର ସଂଗ୍ରାମୀ ବୋଲି କାଙ୍ଗାଳୀ ପଣ୍ଡାଙ୍କୁ କୁହାଯାଏ ଓ ସେ ହିଁ ବର୍ତ୍ତମାନର ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ହରାଇ ପାରିବେ ବୋଲି ଆଲୋଚନା ହେଉଛି।

ଧର୍ମଶାଳାର କଂଗ୍ରେସ ଭୋଟ୍‌ ବ୍ୟତୀତ କାଙ୍ଗାଳୀ ପଣ୍ଡାଙ୍କ ନିଜର ପ୍ରାୟ ୨୫,୦୦୦ ଭୋଟ୍  ଥିବାରୁ ସେ ପ୍ରଣବ ବଳବନ୍ତରାୟଙ୍କୁ ଚ୍ୟାଲେଞ୍ଜ୍ ଦେଇପାରିବେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ତା’ ଛଡ଼ା ବାହାରର ଅନ୍ୟକୌଣସି ପ୍ରାର୍ଥୀ ଛିଡ଼ା ହେଲେ ତାଙ୍କୁ ଲଢ଼ିବାକୁ ଦିଆଯିବ ନାହିଁ ବୋଲି ସ୍ଥାନୀୟ କଂଗ୍ରେସ ନେତାମାନେ ଦୃଢ଼ତାର ସହ କହିଛନ୍ତି।

Comment