ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଓଡ଼ିଶାରେ ଉପଯୁକ୍ତ ପ୍ରାର୍ଥୀ ଖୋଜୁଛି କଂଗ୍ରେସ। କାହାକୁ ଟିକେଟ ଦେଲେ କଂଗ୍ରେସ ଏଠି ସରକାର ଗଢ଼ିବ ସେନେଇ ଦୁଇ ଦିନ ହେଲା କେନ୍ଦ୍ରୀୟ ସ୍କ୍ରିନିଂ କମିଟି ମାରାଥନ ଆଲୋଚନା ଚଳାଇଛନ୍ତି। ପିସିସି ପକ୍ଷରୁ କରାଯାଇଥିବା ପ୍ରାର୍ଥୀ ତାଲିକାକୁ ସ୍କ୍ରିନିଂ କମିଟି ସଦସ୍ୟ ଯାଞ୍ଚ କରୁଛନ୍ତି। ଏପଟେ ଟିକେଟ ପାଇଁ ଆଶାୟୀମାନଙ୍କ ଲମ୍ବା ଧାଡ଼ି ଲାଗୁଛି କଂଗ୍ରେସ ଭବନରେ।

ବୁଧବାର ଦିନ ସ୍କ୍ରିନିଂ କମିଟି ମୁଖ୍ୟ ଭି ଡି ସାଥୀସାନ୍‌ଙ୍କ ନେତୃତ୍ୱରେ ଟିମ ଆସିଥିଲେ ଓଡ଼ିଶା। ପ୍ରଥମ ଦିନ କଟକ ଏବଂ ଭୁବନେଶ୍ୱର ଲୋକସଭା ଆସନ ଏବଂ ଏହା ଅଧିନରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀରୁ କିଏ ଟିକେଟ ନେବ ସେନେଇ ଆଲୋଚନା ଚାଲିଥିଲା। ବହୁ ଆଶାୟୀ କଂଗ୍ରେସ ଭବନରେ ଭିଡ଼ ଜମାଇଥିଲେ।

ଦ୍ୱିତୀୟ ଦିନରେ ପୁଣି କସରତ ଚାଲିଥିଲା। ପୁରୀ ଏବଂ ଜଗତସିଂହପୁର ଲୋକସଭା ଆସନ ଓ ଏହା ଅଧିନରେ ଥିବା ବିଧାନସଭା ଆସନରୁ କାହାକୁ କଂଗ୍ରେସ ଟିକେଟ ମିଳିବ ସେନେଇ ଦିନ ତମାମ୍ ଆଲୋଚନା ଚାଲିଥିଲା। ଭି ଡି ସାଥୀସାନ ଆଶାୟୀମାନଙ୍କୁ ଡାକି ଆଲୋଚନା କରିଥିଲେ।

କଳାହାଣ୍ଡି ଏବଂ ନବରଙ୍ଗପୁର ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ବାଛିବାକୁ ଯାଇଛନ୍ତି ସ୍କ୍ରିନିଂ କମିଟି ସଦସ୍ୟ ନୌସଦ ସୋଳାଙ୍କି। କାହାକୁ ପ୍ରାର୍ଥୀ କଲେ କଂଗ୍ରେସ କ୍ଷମତାକୁ ଫେରିବ ସେନେଇ ଦଳର ଶୀର୍ଷ ନେତାମାନଙ୍କ ସହ ଆଲୋଚନା କରିଥିଲେ। ଆଶାୟୀମାନଙ୍କ ବାୟୋଡାଟା ଯାଞ୍ଚ କରିଥିଲେ।

“ପୂର୍ବାପେକ୍ଷା ଆମ ଦଳର ରେଜଲ୍ଟ ୨୦୧୯ ନିର୍ବାଚନରେ ଭଲ ହେବ। ଆମେ ଏହା ଉପରେ ଅଧିକ ଫୋକସ୍ କରୁଛୁ। ପ୍ରଥମେ ୧୧ଟି ଲୋକସଭା ଆସନ ଉପରେ ଗୁରୁତ୍ୱ ଦିଆଯାଉଛି। ପରେ ଅନ୍ୟ ଆସନ କଥା ବିଚାରକୁ ନିଆଯିବ”, କହିଛନ୍ତି ଭି ଡି ସାଥୀସାନ୍।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ଦ୍ଦେଶ ଦେଇଛନ୍ତି ଯେ ତୃଣମୂଳ ସ୍ତରର କର୍ମୀଙ୍କ ସହ ଆଲୋଚନା କରି ଟିକେଟ ଚୂଡ଼ାନ୍ତ କର। ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ ଦିଅ। ଏହି ଫର୍ମୁଲାକୁ କଂଗ୍ରେସ ଓଡ଼ିଶାରେ ପ୍ରୟୋଗ କରିଛି। ହେଲେ ଟିକେଟ ପାଇଁ ଆଶାୟୀଙ୍କ ଲମ୍ବା ଲାଇନ୍ ଲାଗୁ ଥିବାରୁ ଟିକେଟ ଗଣିତ ଛିଡ଼ି ପାରୁନି।

Comment