ଗୀତା ଦାସ

ଗୀତା ଦାସ ଜଣେ ପରିଚିତ ମନସ୍ତତ୍ତ୍ୱବିତ୍ ଓ ଲେଖିକା। ‘ତନ୍ତ୍ର ପଥ’ ପୁସ୍ତକ ମାଧ୍ୟମରେ ସେ ଅଲୌକିକ ମନେ ହେଉଥିବା ତନ୍ତ୍ର ଜ୍ଞାନକୁ ସରଳ ଭାବରେ ବର୍ଣ୍ଣନା କରିଛନ୍ତି। କୋଣାର୍କ ଭଳି ମନ୍ଦିର ଗାତ୍ରରେ ଖୋଦିତ କାମକଳା ଭାସ୍କର୍ଯ୍ୟ ପଛର ରହସ୍ୟ ସମ୍ପର୍କରେ ଏଠାରେ ଲେଖିକା ତାଙ୍କର ପ୍ରାଞ୍ଜଳ ମତ ରଖିଛନ୍ତି।

ପ୍ରଶ୍ନ: ମନ୍ଦିରକୁ ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ା ଯାଏଁ ସବୁ ବୟସର ଲୋକ ଏକାଠି  ଯାଆନ୍ତି। ମନ୍ଦିର କାନ୍ଥରେ ସ୍ତ୍ରୀ ପୁରୁଷଙ୍କର ଏକାନ୍ତ ସମ୍ପର୍କ ପ୍ରକାଶ୍ୟ ଭାବରେ କାହିଁକି ଚିତ୍ରିତ ହେଇଛି? ଏଥିରେ କ’ଣ ତନ୍ତ୍ରର ପ୍ରଭାବ ରହିଛି?

ଉତ୍ତର: ତନ୍ତ୍ର ଦର୍ଶନର ପ୍ରଭାବ ଯୋଗୁଁ ମନ୍ଦିରରେ କାମକଳାର ଯେଉଁ ମୂର୍ତ୍ତି ଚିତ୍ର ରହିଛି, ସେ ବିଷୟରେ ଐତିହାସିକ, ଶାସ୍ତ୍ରଜ୍ଞ ଓ କଳାବିଦ୍‌ମାନେ ଏକମତ। ମାତ୍ର ଯିଏ ସ୍ଥପତି ବର୍ଦ୍ଧକ, ବିନ୍ଧାଣୀ, ପ୍ରସ୍ତର ଶିଳ୍ପୀମାନଙ୍କୁ ପାରିଶ୍ରମିକ ଦେଇ ମନ୍ଦିର ତୋଳାଇଛନ୍ତି ଓ ଯେଉଁମାନେ ମନ୍ଦିରର ପରିଚାଳକ ଓ ପୂଜକ ହେଲେ, ସେ ସମସ୍ତଙ୍କର ସମର୍ଥନ ଓ ସହଯୋଗିତା ନଥିଲେ କାମକଳାର ମୂର୍ତ୍ତିଚିତ୍ର ମନ୍ଦିରରେ ସ୍ଥାନ ପାଇ ନଥାନ୍ତା। ତେଣୁ ସେମାନେ କାହିଁକି ପ୍ରଚଳିତ ପ୍ରଥା ବିରୁଦ୍ଧରେ ଗଲେ ସେକଥା ବୁଝିବାକୁ ପଡ଼ିବ।

ଓଡ଼ିଶାର ମନ୍ଦିର ବିଷୟରେ ବହୁ ମୂଲ୍ୟବାନ ବହି ପ୍ରତ୍ନତାତ୍ତ୍ୱିକ ଓ ଐତିହାସିକମାନେ ଲେଖିଛନ୍ତି। ସେଥି ମଧ୍ୟରୁ ବିଦ୍ୟା ଦହେଜିଆଙ୍କର ଓଡ଼ିଶାର ପଥରରେ ତିଆରି ହୋଇଥିବା ମନ୍ଦିର ବିଷୟରେ ଲେଖା ହୋଇଥିବା ବହି ‘Early Stone Temples of Orissa’ ଗୋଟିଏ ଉତ୍କୃଷ୍ଟ ବହି। ମନ୍ଦିରରେ କାହିଁକି କାମବନ୍ଧ (କାମ କଳାର ମୂର୍ତ୍ତି) ରହିଛି ସେ ବିଷୟରେ ଶିଳ୍ପ ପ୍ରକାଶରେ ଯାହା ଲେଖା ହେଇଛି, ଏଠି ଉଦ୍ଧୃତ କରୁଛି।

କାମବନ୍ଧ – “ଶିଳ୍ପ ଶାସ୍ତ୍ରର ଶିକ୍ଷା ଯେଉଁ ତତ୍ତ୍ୱ ଉପରେ ପ୍ରତିଷ୍ଠିତ ସେହି ତତ୍ତ୍ୱ ଅନୁସାରେ କାମବନ୍ଧ ଚିତ୍ରିତ ହେବା କଥା। ସୃଷ୍ଟିର ଉତ୍ପତ୍ତି ହେଇଛି କାମନାରୁ। କାମନା ନ ଥିଲେ ପ୍ରାଣୀର ଜନ୍ମ ଦେବା ସମ୍ଭବ ହେଇନଥାନ୍ତା। ମୂଳଭୂତ ଓ ପ୍ରାଣୀମାନେ କାମନାରୁ ଜାତ ହୁଅନ୍ତି ଓ କାମନାରେ ଲୟ ହୁଅନ୍ତି।

ଶିବ ଓ ଶକ୍ତିଙ୍କର ମିଳନ ନ ହେବା ଯାକେ ସୃଷ୍ଟି କଳ୍ପନାରେ ଥାଏ। ଶିବ ଓ ଶକ୍ତିଙ୍କର ମିଳନରୁ ସୃଷ୍ଟି ପ୍ରପଞ୍ଚ ଆରମ୍ଭ ହୁଏ। କାମ କ୍ରିୟାରୁ ପ୍ରାଣୀ ବିରତ ହେଲେ ଜନ୍ମ ଓ ମୃତ୍ୟୁର ମଧ୍ୟ ବିରତି ଘଟିବ।

ଶିବ ମହାଲିଙ୍ଗ ରୂପରେ ଆବିର୍ଭାବ ହେଲେ ଓ ଶକ୍ତି ହେଲେ ଭଗସ୍ୱରୂପିଣୀ। ତାଙ୍କର ସଙ୍ଗମରୁ ବିଶ୍ୱ ସୃଷ୍ଟି ହେଇଛି। କାମର ଆକାଙ୍‌କ୍ଷାରୁ କାମକ୍ରିୟା ଓ ସୃଷ୍ଟିର ଉଦ୍ଭବ।

ଆଗମ ଶାସ୍ତ୍ରରେ କାମକଳା ବିଦ୍ୟା ବିଷୟରେ ବହୁ ଗଭୀର ତତ୍ତ୍ବ ଅଛି। ଯେଉଁଠାରେ କାମକଳାର ମୂର୍ତ୍ତି ନାହିଁ, ସେ ସ୍ଥାନ ତ୍ୟାଗ କରିବା କଥା। କୌଳାଚାର ଅନୁସାରେ ସେ ସ୍ଥାନ ହେଲା ତ୍ୟକ୍ତ ମଣ୍ଡଳ; ଅର୍ଥାତ୍ ଏକ ଅନ୍ଧକାରମୟ ରସାତଳ ଓ ମୃତ୍ୟୁ ପରି ଅକଲ୍ୟାଣକର ଓ ଅଶୁଭ।’’

‘ଶିଳ୍ପ ପ୍ରକାଶ’ର ଲେଖକ ହେଲେ ନିଜେ କୌଳ ତାନ୍ତ୍ରିକ, ଯିଏକି ଆଗମ ଶାସ୍ତ୍ରର ବିଧି ବିଧାନ ମାନି ଚଳୁଥିଲେ। ତେଣୁ ସେ ଆଗାମ ଶାସ୍ତ୍ରର ଦୃଷ୍ଟି କୋଣରୁ ଜୀବନର ଅର୍ଥ ବୁଝିଥିଲେ। କୋଣାର୍କର ସୂର୍ଯ୍ୟ ବୈଦିକ ସୂର୍ଯ୍ୟ ନୁହନ୍ତି। ସେ ହେଲେ ତାନ୍ତ୍ରିକ ଯୁଗର ସୂର୍ଯ୍ୟ। ତାଙ୍କର ଦୁଇ ଶକ୍ତି କୋଣାର୍କ ମନ୍ଦିର ସୂର୍ଯ୍ୟଙ୍କର ଯନ୍ତ୍ର ଉପରେ ପ୍ରତିଷ୍ଠିତ। ଗର୍ଭଗୃହ ତଳେ ଅଛି ସୂର୍ଯ୍ୟ ପଞ୍ଚାବୁ ମଣ୍ଡଳ ଯନ୍ତ୍ର ଓ ନାଟ ମଣ୍ଡପ ତଳେ ଅଛି ମହାସୂର୍ଯ୍ୟ ଯନ୍ତ୍ର। ମହାସୂର୍ଯ୍ୟ ଯନ୍ତ୍ରରେ ସୂର୍ଯ୍ୟ ତାଙ୍କର ବିଭିନ୍ନ ଶକ୍ତି ସମନ୍ୱିତ ହୋଇ ପୂଜା ହୁଅନ୍ତି।

ଇନ୍ଦୋନେସିଆର ଜାଭାଦ୍ୱୀପର ବିଖ୍ୟାତ ବୋରୋବୁଦୁର ମନ୍ଦିରର ନକ୍‌ସା ଶ୍ରୀ ଯନ୍ତ୍ର ଉପରେ ପ୍ରତିଷ୍ଠିତ। ଶିଳ୍ପ ପ୍ରକାଶ ଅନୁସାରେ ଶକ୍ତି ମନ୍ଦିର ଶକ୍ତି ଯନ୍ତ୍ର ଉପରେ ପ୍ରତିଷ୍ଠିତ ହେବା ବିଧେୟ। ଯନ୍ତ୍ରକୁ ଗୁପ୍ତରେ ରଖିବା ହେଲା ନିୟମ, କାରଣ କେବଳ ଶିକ୍ଷକ ଏହାର ଲୌକିକ ବ୍ୟବହାର ଓ ଅଲୌକିକ ଶକ୍ତି ବିଷୟରେ ଶିକ୍ଷା ଦେବେ।

ଆଧୁନିକ ଯୁଗରେ କାମକ୍ରିୟା ହେଲା ଉପଭୋଗର ବିଷୟ। ଗର୍ଭାଧାନ ବା ଜୀବନର ସୃଷ୍ଟି କାର୍ଯ୍ୟ ସହିତ ଆଗପରି ସଂଶ୍ଳିଷ୍ଟ ନୁହେଁ। ବୈଜ୍ଞାନିକ ପ୍ରଣାଳୀରେ ବିନା ସହବାସରେ ସନ୍ତାନ ହେଇ ପାରିବ ବା ସହବାସ କଲେ ସୁଦ୍ଧା ସନ୍ତାନ ଜନ୍ମ ନିରୋଧ କରି ହେବ। ତେଣୁ କାମକ୍ରିୟା ବିଷୟରେ ଆମର ମନୋଭାବ ଜଟିଳ। ବିଜ୍ଞାନର ବ୍ୟାଖ୍ୟାକୁ ଆମେ ବିଶ୍ୱାସ କରୁ, ମାତ୍ର ଦେହରେ କେମିତି ଚୈତନ୍ୟର ସଞ୍ଚାର ହୁଏ, କେମିତି ତାର ସ୍ମୃତି ଶକ୍ତି ଓ ଇଚ୍ଛାର ଉଦୟ ହୁଏ, ପ୍ରତିଭା, ବୁଦ୍ଧି, ମେଧାର ଉଦ୍ଭବ ଇତ୍ୟାଦି ହୁଏ, ତାହା ଆମେ ଏଯାକେ ଆଂଶିକ ଭାବରେ ବୁଝୁ। ଆଉ ପୂର୍ଣ୍ଣ ରହସ୍ୟ ଏଯାକେ ଆମର ବୋଧଗମ୍ୟ ନୁହେଁ। ସୃଷ୍ଟିର ପ୍ରତୀକ ଭାବରେ କାମକଳାକୁ ଦେଖିଲେ ଆମେ ତାକୁ ପବିତ୍ର ବୋଲି ଭାବିବା, ଅନ୍ୟଥା ସାଧାରଣ ଦୃଷ୍ଟିରେ ଦେଖିଲେ ଏସବୁ ମୂର୍ତ୍ତି ଅଶ୍ଳୀଳ ଓ ନୀତି ବିଗର୍ହିତ ବୋଲି ନିଶ୍ଚିତ ଜଣାଯିବ।

(ସୌଜନ୍ୟ: ତନ୍ତ୍ର ପଥ)

Comment