ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ଓଡ଼ିଶାଲାଇଭ୍‌ର କଫି ଟେବୁଲ୍‌ ବୁକ୍ କଂସ ମହାରାଜା – ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା’ ପୁସ୍ତକ ଉନ୍ମୋଚିତ।

  • ବରଗଡ଼ ଧନୁଯାତ୍ରା ଉପରେ ଇଂରାଜୀରେ ‘କଫି ଟେବୁଲ୍ ବୁକ୍’ ଉନ୍ମୋଚିତ
  • ୪ ଯୁବ ପ୍ରତିଭାଙ୍କୁ ‘ଓଡ଼ିଶା ଲାଇଭ୍ ୟୁଥ୍ ଆଇକନ୍’ ସମ୍ବର୍ଦ୍ଧନା
  • ବହିରେ ଅଛି ବରଗଡ଼ ଧନୁଯାତ୍ରାର ୭ ଦଶନ୍ଧିର କଥା
  • ଓଡ଼ିଶାଲଇଭ୍‌ର ଉଦ୍ୟମକୁ ପ୍ରଶଂସା କଲେ ଅତିଥି

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍ ମିଡିଆ ପକ୍ଷରୁ ଇଂରାଜୀ ଭାଷାରେ ପ୍ରସ୍ତୁତ କଫି ଟେବୁଲ୍ ବୁକ୍ କଂସ ମହାରାଜା – ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା ପୁସ୍ତକ ଉନ୍ମୋଚିତ ହୋଇଯାଇଛି।

ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ଏକ ଉତ୍ସବରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି।

ଏହି ଉନ୍ମୋଚନ ଉତ୍ସବରେ ସମ୍ବାଦ ଡଟ୍‌ ଇନର ବାର୍ତ୍ତା ସମ୍ପାଦକ ଧୃତିକାମ ମହାନ୍ତି, ପ୍ରମେୟ ନ୍ୟୁଜ୍‌-୭ ଡଟ୍‌ କମ୍‌ର ସମ୍ପାଦକ ଶିଶିର କୁମାର ଭଟ୍ଟମିଶ୍ର, ବିଶିଷ୍ଟ ଲେଖିକା ତଥା ଅଡସପୁର ୟୁଏନ୍‌ କଲେଜର ଓମେନ୍ ଷ୍ଟଡିଜ୍ ସେଣ୍ଟରର ନିର୍ଦ୍ଦେଶିକା ଡକ୍ଟର ହିରଣ୍ମୟୀ ମିଶ୍ର, ଓଡ଼ିଶାଲାଇଭ୍‌ର ସିଇଓ ତଥା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ, ଓଡ଼ିଶାଲାଇଭ୍‌ର ନିର୍ଦ୍ଦେଶିକା ପ୍ରଣତୀ ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ପୁସ୍ତକର ସମୀକ୍ଷା କରି ଡକ୍ଟର ହିରଣ୍ମୟୀ ମିଶ୍ର କହିଥିଲେ, “ଜଣାଶୁଣା କଥା ଉପରେ ବହିଟି ପ୍ରସ୍ତୁତ କରାଯାଇଛି। କିନ୍ତୁ ବହିରେ ବରଗଡ଼ ଧନୁଯାତ୍ରାର ବିରଳ ଫଟୋକୁ ସ୍ଥାନିତ କରାଯାଇଥିବାରୁ ନୂଆ ଲାଗୁଛି। ପୁରାଣର କଂସ ଅତ୍ୟାଚାରୀ ହୋଇଥିବା ବେଳେ ଏହି ବହିରେ କଂସକୁ ନାୟକ ଭାବେ ଚିତ୍ରଣ କରାଯାଇଛି। ସଂସ୍କୃତି, ସାହିତ୍ୟକୁ ଭଲ ପାଉଥିବା ଏବଂ ବରଗଡ଼ ଧନୁଯାତ୍ରା ଦେଖିଥିବା ଓ ନଦେଖିଥିବା ଲୋକଙ୍କ ପାଇଁ ଏହା ଅତି ଉପାଦେୟ ବହି ହୋଇପାରିବ।”

ଡକ୍ଟର ମିଶ୍ର ଆହୁରି କହିଥିଲେ ଯେ ଏହି ବହିକୁ ପଢ଼ିଲେ ଆଖିରେ ବରଗଡ଼ ଧନୁଯାତ୍ରାର ନାଟକୀୟ ଦୃଶ୍ୟ ଆଖିରେ ନାଚି ଯାଉଛି। ସୁନ୍ଦର ଏବଂ ଧନୁଯାତ୍ରାର ବିରଳ ଫଟୋ ବହିକୁ ଅଧିକ ଆକର୍ଷଣୀୟ କରିପାରିଛି। ଫଟୋଚିତ୍ର ହିଁ ଧନୁଯାତ୍ରା ପରମ୍ପରା ସମ୍ପର୍କରେ ଅନେକ କଥା କହୁଛି।

“ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭ ଦଶନ୍ଧିର କଥାକୁ ନେଇ ଏହିଟି ପ୍ରକାଶନ କରାଯାଇଛି। ଆମ ଉତ୍ତର ପିଢ଼ି ପାଇଁ ଏହି ବହିଟି ଉପାଦେୟ ହୋଇପାରିବ। ଏହି ବହିରୁ କଂସ ମହାରାଜା ଏବଂ ବରଗଡ଼ ଧନୁଯାତ୍ରା ବିଷୟରେ ଭବିଷ୍ୟତର ପିଢ଼ି ଅନେକ କିଛି ଜାଣିବାର ସୁଯୋଗ ପାଇବେ। ବିଶେଷକରି ଡିଜିଟାଲ ଯୁଗର ପିଲାଙ୍କୁ ଏହି ବହି ଆକର୍ଷିତ କରିବ”, ଅତିଥି ଭାବେ ଯୋଗ ଦେଇ ଏହା କହିଥିଲେ ସମ୍ବାଦ ଡଟ୍ ଇନ୍‌ର ବାର୍ତ୍ତା ସମ୍ପାଦକ ଧୃତିକାମ ମହାନ୍ତି।

ଶ୍ରୀ ମହାନ୍ତି ଆହୁରି କହିଥିଲେ ଯେ ବର୍ତ୍ତମାନ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରା ଅବକ୍ଷୟ ଆଡ଼କୁ ଗତି କରୁଛି। ଏଭଳି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ଏହି ବହିଟି ଲୋକାର୍ପଣ ହୋଇଥିବାରୁ ଆମ ସଂସ୍କୃତି, ପରମ୍ପରା ଆଗକୁ ଯିବ ବୋଲି ଆଶା ରହିଛି।

ଏହି ଅବସରରେ କଳା ଓ ସଂସ୍କୃତି କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାର ତରୁଣ ପିଢ଼ିର ୪ ଜଣ ପ୍ରତିଭାବାନ୍  ଶିଳ୍ପୀଙ୍କୁ ‘ଓଡ଼ିଶା ଲାଇଭ୍ ୟୁଥ୍ ଆଇକନ୍’ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ଭାସ୍କର ଶିଳ୍ପୀ ନିତ୍ୟାନନ୍ଦ ଓଝା, ହିନ୍ଦୁସ୍ତାନୀ ସଙ୍ଗୀତ କଣ୍ଠଶିଳ୍ପୀ ଅରୋଶିଷ ପାଣି ଏବଂ ଦୁଇ ଓଡ଼ିଶୀ ନୃତ୍ୟାଙ୍ଗନା ମାହେଶ୍ଵରୀ ପ୍ରଧାନ ଓ ଅରୁଣିମା ଆଚାର୍ଯ୍ୟ।

“ବିଶ୍ବପ୍ରସିଦ୍ଧବିବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭ ଦଶନ୍ଧିର କଥାକୁ ନେଇ ଓଡ଼ିଶାଲାଇଭ୍‌ ମିଡିଆ ତରଫରୁ ଯେଉଁ ଉଦ୍ୟମ କରାଯାଇଛି ତାହା ପ୍ରଶଂସନୀୟ। ପାଠକଙ୍କ ମହଲରେ ଏହି ବହିଟି ନିଶ୍ଚିତ ଭାବେ ଆଦର ଲାଭ କରିବ”, କହିଥିଲେ ପ୍ରମେୟ ନ୍ୟୁଜ-୭ ଡଟ୍ କମ୍‌ର ସମ୍ପାଦକ ଶିଶିର ଭଟ୍ଟମିଶ୍ର।

ସେ ଆହୁରି କହିଥିଲେ, “ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରେ ନାଟକକୁ ନେଇ ଯାହା କୁହାଯାଇଛି ତାହା ବରଗଡ଼ ଧନୁଯାତ୍ରାରେ ବ୍ୟତିକ୍ରମ। ପ୍ରାନ୍ତୀୟ ନାଟକ ଧାରା ମଧ୍ୟ ଭରତ ମୁନିଙ୍କ ନାଟ୍ୟଧାରାରୁ ବହୁ ଉପରେ। ଗଞ୍ଜାମର ଦଣ୍ଡ ନାଚ ହେଉ କି ଦଶପଲ୍ଲାର ଲଙ୍କାକାଣ୍ଡ। ଏସବୁ ନାଟକ ଭରତ ମୁନିଙ୍କ ନାଟ୍ୟଶାସ୍ତକୁ ଚାଲେଞ୍ଜ ଦେଇ ଆସୁଛି।”

ଓଡ଼ିଶା ଲାଇଭ୍‌ର ମୁଖ୍ୟ ସମ୍ପାଦକ ତଥା ସିଇଓ ନୀଳାମ୍ବର ରଥ ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ସ୍ଵାଗତ ଭାଷଣ ଦେଇଥିଲେ।

ନୀଳାମ୍ବର ରଥ କହିଥିଲେ, “ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଡିଜିଟାଲ ମିଡିଆ ମାଧ୍ୟମରେ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍‌ ଉଦ୍ୟମ ଜାରି ରଖିଛି। ଆଗକୁ ମଧ୍ୟ ଆମର ଉଦ୍ୟମ ଜାରି ରହିବ। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭ ଦଶନ୍ଧିର କଥାକୁ ନେଇ ଇଂରାଜୀ ଭାଷାରେ ସଚିତ୍ର କଫି ଟେବୁଲ୍ ବୁକ୍ ପ୍ରକାଶନ କରାଯାଇଛି। ଏହା ପାଠକଙ୍କ ଆଦର ଲାଭ କରିବ ବୋଲି ଆଶା ରହିଛି।”

“ବରଗଡ଼ ଧନୁଯାତ୍ରା ପରି ଅନ୍ୟ ପ୍ରାନ୍ତୀୟ କଳା, ସଂସ୍କୃତିକୁ ଡିଜିଟାଲ ମିଡିଆ ମାଧ୍ୟମରେ ପ୍ରଚାର ପ୍ରସାର କରିବା ପାଇଁ ଆମର ପ୍ରଚେଷ୍ଟା ଜାରି ରହିଛି। ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା, ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଡକୁମେଣ୍ଟସନ କରି ଡିଜିଟାଲ ମିଡିଆର ଦର୍ଶକମାନଙ୍କୁ ଭେଟି ଦେବା ପାଇଁ ଆମର ଲକ୍ଷ୍ୟ ରହିଛି”, କହିଛନ୍ତି ନୀଳାମ୍ବର ରଥ।

ଓଡ଼ିଶାଲାଇଭ୍‌ ପକ୍ଷରୁ ସିଦ୍ଧାର୍ଥ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ମିଡିଆର ନିର୍ଦ୍ଦେଶକ ପ୍ରଣତୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ଲାଇଭର ପରାମର୍ଶଦାତା ସମ୍ପାଦକ ଭାସ୍କର ପରିଚ୍ଛା ପୁସ୍ତକ ଉନ୍ମୋଚନ ବେଳେ ମଞ୍ଚରେ ଉପସ୍ଥିତ ଥିଲେ।

କଂସ ମହାରାଜା ପୁସ୍ତକର କଣ୍ଟେଣ୍ଟ ରାଇଟର ଶର୍ମିଲୀ ମହାପାତ୍ର, ଡିଜାଇନର୍ ସୁଧାକର ବିଶ୍ଵାଳଙ୍କୁ ଓଡ଼ିଶାଲାଇଭ୍ ପକ୍ଷରୁ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ବିଶିଷ୍ଟ ଲେଖକ ପ୍ରଦୀପ ବିଶ୍ୱାଳ, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଡକ୍ଟର ଚିତ୍ତରଂଜନ ପାଣି, ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ ଭାସ୍କର ପରିଚ୍ଛା ଚାରି ଜଣ ଯୁବ ପ୍ରତିଭାମାନଙ୍କୁ ‘ଓଡ଼ିଶାଲାଇଭ୍ ୟୁଥ୍ ଆଇକନ୍’ ସମ୍ମାନ ପ୍ରଦାନ କରିଥିଲେ।

ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଏବଂ ବରିଷ୍ଠ ସାମ୍ବାଦିକ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ମଂଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଓଡ଼ିଶାଲାଇଭର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ପୁସ୍ତକର ପ୍ରକାଶନ ଲାଗି ସହଯୋଗର ହାତ ବଢ଼ାଇଥିବା ନାଲ୍‌କୋ, ଓଡ଼ିଶା ଖଣି ନିଗମ ଏବଂ ଓଡ଼ିଶା ପର୍ଯ୍ୟଟନକୁ ଓଡ଼ିଶାଲାଇଭ୍ ମିଡିଆ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

କାର୍ଯ୍ୟକ୍ରମ ଶେଷ ଭାଗରେ ଅରୁଣିମା ଆଚାର୍ଯ୍ୟ ଏକ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ବରଗଡ଼ ଧନୁଯାତ୍ରାର ଦୀର୍ଘ ୭ ଦଶନ୍ଧିର ପରମ୍ପରାକୁ ତଥ୍ୟ ଓ ଚିତ୍ର ମାଧ୍ୟମରେ ଏହି ପୁସ୍ତକରେ ଆକର୍ଷଣୀୟ ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରାଯାଇଛି। ବିଶେଷକରି, ଏହା ଅଣଓଡ଼ିଆ ପାଠକ, ପର୍ଯ୍ୟଟକ, ସାମ୍ବାଦିକ ଏବଂ ଗବେଷକମାନଙ୍କ ପାଇଁ ଉପାଦେୟ ହୋଇପାରିବ।

Comment