ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ କଠୋର ହେଉଛନ୍ତି ମୋଦି ସରକାର। ଭାରତ ଦେଇ ପାକିସ୍ତାନକୁ ବହି ଯାଉଥିବା ପାଣିକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଟୁଇଟ୍ କରି ସୂଚନା ଦେଇଛନ୍ତି।

ପାକିସ୍ତାନକୁ ଯାଉଥିବା ପାଣିକୁ ଜମ୍ମୁ, କଶ୍ମୀର କିମ୍ବା ପଞ୍ଜାବ ଆଡ଼କୁ ମୁହାଁଇବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଥିବା ଗଡକରୀ କହିଛନ୍ତି।

ଗଡକରୀ କହିଛନ୍ତି, “ଭାରତ ସୀମା ଦେଇ ପାକିସ୍ତାନକୁ ବହି ଯାଉଥିବା ନଦୀର ପାଣିକୁ ବନ୍ଦ କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବ ଦିଗରେ ବହି ଯାଉଥିବା ନଦୀର ପାଣିକୁ ଜମ୍ମୁ-କଶ୍ମୀର ଅଭିମୁଖେ ମୁହାଁଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।”

ଅନ୍ୟ ଏକ ଟୁଇଟ କରି ଗଡକରୀ କହିଛନ୍ତି, “ଶାହପୁର-କାଣ୍ଡୀ ନିକଟରେ ରାବି ନଦୀରେ ବନ୍ଧ ବାନ୍ଧିବା କାମ ଆରମ୍ଭ ହୋଇଛି। ପ୍ରକଳ୍ପ ଶେଷ ହେବା ପରେ ଜମ୍ମୁ-କଶ୍ମୀର ଏବଂ ପଞ୍ଜାବକୁ ପାଣି ମିଳିବ।”

ବୁଧବାର ଦିନ ଗଡକରୀ କହିଥିଲେ ଯେ ଦେଶ ବିଭାଜନ ପରେ ଭାରତ ଏବଂ ପାକିସ୍ତାନକୁ ତିନୋଟି ଲେଖାଏଁ ନଦୀର ପାଣି ବ୍ୟବହାର କରିବାକୁ ଚୁକ୍ତି ହୋଇଥିଲା। ହେଲେ ଭାରତ ଭାଗରେ ପଡ଼ିଥିବା ତିନୋଟି ନଦୀର ପାଣିକୁ ବର୍ତ୍ତମାନସୁଦ୍ଧା ପାକିସ୍ତାନ ବ୍ୟବହାର କରି ଆସୁଛି। ଏଣିକି ପାକିସ୍ତାନକୁ ପାଣି ବନ୍ଦ କରାଯିବ।

Comment