ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ନେଇ ଅଡୁଆ ବଢ଼ିଲା। ସହିଦ ଯବାନ ମନୋଜ ବେହେରାଙ୍କ ଦାଦାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଭିଡିଓ ପାକ୍‌ ମିଡିଆରେ ଚର୍ଚ୍ଚା ହେବା ପରେ ଦେବାଶିଷ ଅଡୁଆରେ ପଡ଼ିଛନ୍ତି।

ପାକିସ୍ତାନର ଟିଭି ଚ୍ୟାନେଲ ଆଜାଦ୍ ନ୍ୟୁଜରେ ଏହି ଭିଜୁଆଲକୁ ନେଇ ଚର୍ଚ୍ଚା ହେବା ପରେ ଓଡ଼ିଶାରେ ରାଜନୀତି ତେଜିଛି। ସହିଦ ପରିବାରଙ୍କୁ ବିଜେଡି ବିଧାୟକଙ୍କର ଏଭଳି ବ୍ୟବହାର ଲଜ୍ଜାଜନକ ବୋଲି କଂଗ୍ରେସ କହିଛି।

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ଭାରତୀୟ ଯବାନ ସହିଦ ହୋଇଥିଲେ। ସେମାନଙ୍କ ଭିତରେ ଥିଲେ ଓଡ଼ିଶାର ମନୋଜ ବେହେରା ଏବଂ ପ୍ରସନ୍ନ ସାହୁ।

ଦୁଇ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ନିଜ ଗାଁରେ ହୋଇଥିଲା। ମନୋଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବିଜେଡି ସମେତ ଅନ୍ୟ ଦଳର ନେତାମାନେ ନିଆଳିର ରତନପୁର ଗାଁରେ ପହଞ୍ଚିଥିଲେ। କିନ୍ତୁ ଶେଷକୃତ୍ୟ ସମ୍ପନ୍ନ ବେଳେ ସେଠାରେ ଉପସ୍ଥିତ ଥିବା ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ସହିଦଙ୍କ ଦାଦାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା।

ଏସବୁର ଭିଡିଓ ଗଣମାଧ୍ୟମ କ୍ୟାମେରାରେ କଏଦ ହୋଇଥିଲା। ଏହାକୁ ନେଇ ତୁମ୍ବି ତୋଫାନ ଜୋରଦାର ହୋଇଥିଲା। ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମଧ୍ୟ ବାଜିଥିଲା।

ଏହାପରେ ଦେବାଶିଷ ନିଃସର୍ତ୍ତ କ୍ଷମା ମାଗିଥିଲେ। ହେଲେ ଆଜି ପୁଣି ପାକ୍ ମିଡିଆରେ ଏହି ଭିଜୁଆଲକୁ ନେଇ ଚର୍ଚ୍ଚା ହେବା ପରେ ଦେବାଶିଷ ଅଡୁଆରେ ପଡ଼ିଛନ୍ତି।

“ସହିଦଙ୍କ ପରିବାର ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି। ସେଦିନ ମୁଁ ସହିଦଙ୍କ ପରିବାରକୁ ସାନ୍ତ୍ୱନା ଦେବାକୁ ଯାଇଥିଲି। ସହିଦଙ୍କ ସମ୍ପର୍କୀୟଙ୍କ ହାତ ଧରି ବସାଇ ଦେଇଥିଲି। ଏଥିରେ ଯଦି କାହାର ଅସମ୍ମାନ ହୋଇଛି ସେଥିପାଇଁ ମୁଁ କ୍ଷମା ମାଗୁଛି”, କହିଛନ୍ତି ଦେବାଶିଷ ସାମନ୍ତରାୟ।

ପାକ୍ ମିଡିଆରେ ଦେବାଶିଷଙ୍କ ଭିଜୁଆଲକୁ ନେଇ ଚର୍ଚ୍ଚା ହେବା ପରେ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ ସହିଦଙ୍କ ସମ୍ପର୍କୀୟଙ୍କୁ ବିଜେଡି ବିଧାୟକ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଲଜ୍ଜାଜନକ। ଏହା ହେଉଛି ବିଜେଡିର ଅସଲ ପରିଚୟ।

Comment