ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଦୂଷଣ ବୃଦ୍ଧି ଏବଂ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନଜରରେ ରଖି ଲୋକଙ୍କୁ ସାଇକେଲ ଚଳାଇବାକୁ ପରାମର୍ଶ ଦିଆଯାଉଛି। ଯାହାଦ୍ୱାରା ପ୍ରଦୂଷଣ ମାତ୍ରା କମ୍ ରହିବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ଅନ୍ୟପଟେ ସାଇକେଲ ଶସ୍ତା ହେବା ସହିତ ସ୍ୱାସ୍ଥ୍ୟ ବର୍ଦ୍ଧକ ମଧ୍ୟ ଅଟେ। କିନ୍ତୁ ବିଶ୍ୱରେ ଏମିତି ସାଇକେଲ ରହିଛି ଯାହାର ଦାମ୍ ଶୁଣିଲେ ହୋଶ୍ ଉଡ଼ିଯିବ।

ଏହି ସାଇକେଲର ଦାମ୍ ପାଖାପାଖି ୨୬ ଲକ୍ଷ ଟଙ୍କା ହେବ। ଫ୍ରାନ୍ସର ସୁପରକାର ନିର୍ମାତା କମ୍ପାନି ‘ବୁଗାତି’ ଏହି ଡିଜାଇନର ସାଇକେଲ ନିର୍ମାଣ କରିଛି। ସାଇକେଲର ମୂଲ୍ୟ ୪୦ ହଜାର ଡଲାର ଅର୍ଥାତ ୨୫ ଲକ୍ଷ ୯୨ ହଜାର ୨୦୦ ଟଙ୍କା। ସାଇକେଲଟି ଦେଖିବାକୁ ସୁନ୍ଦର ହୋଇଥିବାବେଳେ ହାଲକା ମଧ୍ୟ। ଏହାର ଓଜନ ପାଖାପାଖି ୧୧ ପାଉଣ୍ଡ ଅର୍ଥାତ ୫ କେଜି ହେବ । ସାଇକେଲ କାର୍ବନ ଫାଇବର ଏବଂ ଏରୋଡାଇନାମିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି, ଯାହାଦ୍ୱାରା ଗତିକୁ ବଢ଼ାଇ ଦିଆଯାଇପାରିବ।

ପ୍ରକୃତ କାରଣ ହେଉଛି, ଏହାର ଡିଜାଇନ ସୁପରକାରକୁ ଧ୍ୟାନରେ ରଖି ସ୍ପୋଷ୍ଟର୍ସ ରାଇଡିଙ୍ଗ ପାଇଁ ନିର୍ମାଣ କରାଯାଇଛି। ଖରାପ ରାସ୍ତାରେ ଯେଭଳି ଆରାମରେ ଯାଇପାରିବେ ତାହାକୁ ନଜରରେ ରଖି ସାଇକେଲ  ପ୍ରସ୍ତୁତ କରାଯାଇଛି। ଏହା ଲିମିଟେଡ୍ ଏଡିଶନ ସାଇକେଲ ହୋଇଥିବାରୁ ମାତ୍ର୍ ୬୬୭ ୟୁନିଟ ନିର୍ମାଣ କରାଯାଇଛି। ଆଗକୁ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଉପଲବ୍ଧ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Comment