ଓଡ଼ିଶାଲାଇଭ୍‌ ବ୍ୟୁରୋ

 

“ମୁଁ ଏକ ପ୍ରକାର ଯୁଦ୍ଧ ଲଢ଼ିଛି। ମୁଁ ମୃତ୍ୟୁକୁ ଅତି ନିକଟରୁ ଦେଖିଛି”, ନିକଟରେ କ୍ୟାନ୍‌ସରକୁ ଜିତି ନିଜ ସଂଘର୍ଷର କାହାଣୀ କହିଛନ୍ତି ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ।

କ୍ୟାନ୍‌ସର ରୋଗରୁ ଭଲ ହୋଇଥିବା ଅଭିନେତ୍ରୀ ସେନାଲି ବେନ୍ଦ୍ରେ ତାଙ୍କ କ୍ୟାନ୍‌ସର ବିଷୟରେ ଫ୍ୟାନ୍‌ମାନଙ୍କୁ ଜଣାଇଥିଲେ। ଏକ ସାକ୍ଷାତକାରରେ ସୋନାଲି କ୍ୟାନ୍‌ସରକୁ ନେଇ ତାଙ୍କ ଜୀବନରେ ଘଟିଥିବା କିଛି ଅନୁଭୂତିକୁ ସେୟାର କରିଛନ୍ତି।

ସେନାଲି କ୍ୟାନସରରେ ପୀଡ଼ିତ ହେବାଠୁ ଆରମ୍ଭ କରି ସୁସ୍ଥ ହେବା ଯାଏଁ ପ୍ରତିଟି ଖବର ନିଜ ଫ୍ୟାନ୍‌ମାନଙ୍କ ସହ ସେୟାର କରିଛନ୍ତି।

ସେ କହିଛନ୍ତି, “ମୁଁ କ୍ୟାନ୍‌ସର ଚିକିତ୍ସା ପାଇଁ ନ୍ୟୁୟର୍କ ଯିବାକୁ ଚାହଁ ନଥିଲି। କିନ୍ତୁ ମୋ ସ୍ୱାମୀ ଗୋଲ୍ଡୀ ବହଲ ମୋତେ ବାଧ୍ୟ କରିଥିଲେ। ମୁଁ ତାଙ୍କୁ କହିଥିଲି କି ଭାରତରେ ବି ଭଲ ଡାକ୍ତର ଅଛନ୍ତି। କିନ୍ତୁ ସେ ମୋ କଥା ଶୁଣି ନଥିଲେ।”

ସୋନାଲି ଆହୁରି ମଧ୍ୟ କହିଛନ୍ତି, “ମୋର ଘର ହିଁ ମୋର ଜୀବନ କିନ୍ତୁ ମୋର ଅନେକ ମନା କରିବା ପରେ ବି ମୋ ସ୍ୱାମୀ ମୋର ଚିକିତ୍ସା ପାଇଁ ବିଦେଶ ନେଇଥିଲେ। ନ୍ୟୁୟର୍କରେ ପହଞ୍ଚିବା ପରେ ଡାକ୍ତର ପାଖକୁ ଗଲୁ, ଡାକ୍ତର ରିପୋର୍ଟ ଦେଖିଲେ ଏବଂ ମୋର ଟେଷ୍ଟ ବି କରାଗଲା। ଟେଷ୍ଟ ରିପୋର୍ଟ ଆସିବା ପରେ ଡାକ୍ତର କହିଲେ ଯେ କ୍ୟାନ୍‌ସରର ଚତୁର୍ଥ ତଥା ଶେଷ ଷ୍ଟେଜ। ମୋତେ ହାଇଗ୍ରେଡ କ୍ୟାନସର ବା ମେଟାସ୍ଟେସାଇଜ୍‌ଡ ହୋଇଛି। ଡାକ୍ତର କହିଲେ ମୋର ୩୦ ପ୍ରତିଶତ ବଞ୍ଚିବାର ସମ୍ଭାବନା ରହିଛି।”

ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସରରେ ପୀଡ଼ିତ ଥିବା ବିଷୟରେ ଜୁଲାଇ ୪ ତାରିଖରେ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫ୍ୟାନମାନଙ୍କୁ ସୂଚନା ଦେଇଥିଲେ।ଏହା ପରେ ଚିକିତ୍ସା ହେବା ପାଇଁ ନ୍ୟୁୟର୍କ ଯାଇଥିଲେ। ଦୀର୍ଘ ୪ ମାସ ଧରି ନିଜ ଦେଶଠାରୁ ଦୂରେଇ ରହିଥିଲେ ସୋନାଲି।

ଭାରତ ଫେରିବା ପୂର୍ବରୁ ନିଜ ଖୁସିକୁ ଇନ୍‌ଷ୍ଟାଗ୍ରାମରେ ସେୟାର କରି ସୋନାଲି କହିଥିଲେ, “ଦୂରତା ଦୁଇ ହୃଦୟକୁ ଏକାଠି କରିଥାଏ, ଏହା ସତ୍ୟ। କିନ୍ତୁ ଏହି ଦୂରତାରୁ ମୁଁ ବହୁତ କିଛି ଶିଖିଛି। ନିଜ ଦେଶ ଓ ପରିବାରଠାରୁ ଦୂରରେ ରହି ମୋ’ ଜୀବନରେ ବହୁତ କିଛି ଘଟିଯାଇଛି। ବର୍ତ୍ତମାନ ମୁଁ ସେଠାକୁ ଫେରୁଛି ଯେଉଁଠି ମୋ’ ହୃଦୟ ରହିଛି। ଏହି ଖୁସିକୁ ମୁଁ ଶବ୍ଦରେ ପରିପ୍ରକାଶ କରିପାରୁ ନାହିଁ।”

ସୋନାଲି କହିଛନ୍ତି ଯେ କ୍ୟାନସ୍‌ରର ଯାତ୍ରା ବର୍ତ୍ତମାନ ସରିନାହିଁ। ସେ କିଛି ସମୟ ପାଇଁ ଭାରତ ଆସିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପୁଣିଥରେ ନ୍ୟୁୟର୍କ ଯିବାକୁ ପଡ଼ିବ।

ଜୁଲାଇ ୪ରେ ପ୍ରଥମଥର ପାଇଁ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଜରିଆରେ ସମସ୍ତଙ୍କୁ ନିଜର ରୋଗ ବିଷୟରେ ଜଣାଇଥିଲେ। ହଠାତ୍‌ ସୋନାଲିଙ୍କ ଏହି ରୋଗରେ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

Comment