ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଆଶ୍ଚର୍ଯ୍ୟର ଆଶ୍ଚର୍ଯ୍ୟ। ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଏବେ ବିଜେଡିରେ। ଶନିବାର ଦିନ ସୁନିତା ବିଶ୍ୱାଳ ଯେତେବେଳେ ବିଜୁ ଜନତା ଦଳରେ ଯୋଗ ଦେଲେ ଅନ୍ୟ କାହାର ହେଉ କି ନହେଉ କଂଗ୍ରେସ ନେତାଙ୍କର ନିଶ୍ଚୟ ଆଖି ଖୋସି ହୋଇଯାଇଥିବ!

୨୦୧୯ ନିର୍ବାଚନ ପୂର୍ବରୁ ଜଣକ ପରେ ଜଣେ ନେତା ଓ କର୍ମୀ କଂଗ୍ରେସ ଦଳ ଛାଡ଼ି ଶାସକ ଦଳରେ ଯୋଗ ଦେଉଥିବା ନିଶ୍ଚିତ ଭାବରେ ଦଳ ପ୍ରତି ଧକ୍କା। ହେମାନନ୍ଦଙ୍କ ଝିଅ ସୁନିତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେବା ଯାହାକୁ କୁହାଯାଏ ଡବଲ  ଧକ୍କା। ଡବଲ ଧକ୍କା ଏଥିପାଇଁ ଯେ ସେ ହେଉଛନ୍ତି ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କନ୍ୟା ଓ ଗୋଟିଏ ଦିନ ପୂର୍ବରୁ ହିଁ ଦଳର ସଭାପତି ରାହୁଲ ଗାନ୍ଧି  ସେଇ ଆଡ଼େ ଗସ୍ତ କରି ଦିଲ୍ଲୀ ଫେରି ଯାଇଛନ୍ତି।

ସୁନିତା କହିଛନ୍ତି, “ମୁଁ ବହୁତ ଦିନରୁ ବିଜେଡିରେ ଯୋଗ ଦେବା ପାଇଁ ମନ ସ୍ଥିର କରିଥିଲି। କିନ୍ତୁ ବାପା କଂଗ୍ରେସରେ ଥିବାରୁ ବିଜେଡିକୁ ଯିବି କି ନା ନିଷ୍ପତ୍ତି ନେଇ ପାରୁନଥିଲି। ଶେଷରେ ସ୍ୱାମୀଙ୍କ ପରିବାରର ସଦସ୍ୟଙ୍କ ପରାମର୍ଶ କ୍ରମେ ବିଜେଡିରେ ଯୋଗ ଦେଲି।”

ଯଦିଓ ସେ କହିଛନ୍ତି ଯେ ଟିକେଟ ପାଇବା ଆଶା ନେଇ ସେ ନବୀନଙ୍କ ଦଳରେ ଯୋଗ ଦେଇନାହାନ୍ତି, ଘଟଣାଟି କିନ୍ତୁ ପ୍ରକୃତରେ ସେୟା।

ସୁନିତା ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ। ଖବର ଅନୁସାରେ ସେ ସୁନ୍ଦରଗଡ଼ ଲୋକସଭା ଆସନରୁ ଲଢ଼ିବା ପାଇଁ ଚାହୁଁଥିଲେ ଓ ଏ ନେଇ ଦରଖାସ୍ତ ବି କରିଥିଲେ। କିନ୍ତୁ କଂଗ୍ରେସ ସଭାପତି ଓ ହାଇକମାଣ୍ଡ ମିଶି ଆଉ ଜଣକୁ ପ୍ରାର୍ଥୀ କରିବା ପାଇଁ ନିଷ୍ପତ୍ତି ନେବା ପରେ ସେ ଫିଡିକି ଯାଇଥିଲେ।

ଶୁଣାଯାଉଛି ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ଜର୍ଜ ତିର୍କୀଙ୍କୁ କଂଗ୍ରେସ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବା ପାଇଁ  ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କାଳେ ସୁନିତା ମନ ଖରାପ କରିବେ ସେହି ଭୟରେ ତାଙ୍କୁ ସୁନ୍ଦରଗଡ଼ ବିଧାନସଭା ଆସନରେ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା।

କିନ୍ତୁ ତାଙ୍କୁ ଏହା ପସନ୍ଦ ହୋଇନଥିଲା। ଏଣୁ ଦଳୀୟ ନେତାଙ୍କ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ସେ ବିଜେଡିରେ ଯୋଗ ଦେଲେ। କଥା ଆସି ଏଠି।

Comment