ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

‘ମୁଁ ଏବେ ବିଜେଡିରେ ଅଛି। ଆଗ କଥା କିଏ ଜାଣିଛି’ – ଏହା ଥିଲା ବ୍ରହ୍ମପୁର ଲୋକସଭା ଆସନ ପାଇଁ ଟିକେଟ ଦୌଡ଼ରେ ଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ମନ୍ତବ୍ୟ।

ଏହି ମନ୍ତବ୍ୟରୁ ହିଁ ଅନୁମାନ କରି ହେଉଥିଲା କି ସିଦ୍ଧାନ୍ତଙ୍କ ଟିକେଟ ନାହିଁ। ସିଦ୍ଧାନ୍ତଙ୍କୁ ଡାକି ରବିବାର ଦିନ ବିଜେଡି ସୁପ୍ରିମୋ ‘ଟିକେଟ ନା’ କହିଥିଲେ ମଧ୍ୟ ସିନେମା ଷ୍ଟାଇଲରେ ସେ ଏଭଳି ମନ୍ତବ୍ୟ ଦେଇଥିବା ଚର୍ଚ୍ଚା ହେଉଛି।

ବ୍ରହ୍ମପୁର ଲୋକସଭା ଆସନରୁ କିଏ ବିଜେଡି ଟିକେଟ ପାଇବ ସେନେଇ ଗତ କିଛିଦିନ ହେଲା ଚର୍ଚ୍ଚା ଲାଗି ରହିଥିଲା। ଏହି ଚର୍ଚ୍ଚା ପଛର କାରଣ କ’ଣ ତାହା ଜାଣିବା ପାଇଁ ଓଡ଼ିଶାଲାଇଭ୍‌ କ୍ୟାମେରା ଟିମ୍ ସିଦ୍ଧାନ୍ତଙ୍କୁ ଭେଟିଥିଲା।

ଫେବ୍ରୁଆରି ୧୪ ତାରିଖ, ଗୁରୁବାର। ଟିକେଟ ନପାଇବା ଚର୍ଚ୍ଚା ସମ୍ପର୍କରେ ସିଦ୍ଧାନ୍ତ କହିଥିଲେ, “ଏହା କେବଳ ଚର୍ଚ୍ଚା। ଏହାକୁ ନେଇ ସେ ଆଦୌ ଚିନ୍ତିତ ନୁହନ୍ତି। ଆମ ନେତା ଯଦି ମତେ ଦକ୍ଷ ଭାବନ୍ତି ତାହାଲେ ମୁଁ ଟିକେଟ ପାଇବି।”

ଫେବ୍ରୁଆରି ୧୬ ତାରିଖରେ ଟିକେଟ ଚର୍ଚ୍ଚା ସମ୍ପର୍କରେ ସିଦ୍ଧାନ୍ତ କହିଥିଲେ, “ମୁଁ ତଥାକଥିତ ରାଜନେତା ନୁହେଁ। ପଛରୁ ଛୁରୀ ଭୁଷିବା ମୋର କାମ ନୁହେଁ। ଯଦି ମତେ ଟିକେଟ ନମିଳେ ତାହାଲେ ମୁଁ ପ୍ରଚାର କରିବି।”

ଏହି ମନ୍ତବ୍ୟ ଆସିବାର ଠିକ୍ ଦିନକ ପରେ ନବୀନ ନିବାସରୁ ସିଦ୍ଧାନ୍ତଙ୍କୁ ଡକରା ଆସିଥିଲା। ସିଦ୍ଧାନ୍ତ ନବୀନ ନିବାସକୁ ଆସିଥିଲେ। ନବୀନ ନିବାସରେ ବିଜେଡି ମ୍ୟାନେଜରଙ୍କୁ ଭେଟିବା ପରେ ଗଣମାଧ୍ୟମ ପ୍ରତିନିଧି ସିଦ୍ଧାନ୍ତଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ସିଦ୍ଧାନ୍ତ ଯାହା ଉତ୍ତର ଦେଇଥିଲେ ଏଥିରୁ ସଙ୍କେତ ମିଳିଥିଲା ଯେ ତାଙ୍କର ଏଥର ଟିକେଟ ନାହିଁ। ଆଜି ଟିକେଟ ଘୋଷଣା ବେଳେ ଏହା ସ୍ପଷ୍ଟ ହୋଇଯାଇଛି।

ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ ଆପଣ ଟିକେଟ ଆଶାୟୀ କି?

ଏହାର ଉତ୍ତର ଦେବାକୁ ଯାଇ ସିଦ୍ଧାନ୍ତ କହିଥିଲେ “ମୁଁ ଆଶାୟୀ ବୋଲି କହିପାରିବି ନାହିଁ। ଆମ ନେତା ଯାହା ବିଚାର କରିବେ ତାହା ହିଁ ଠିକ୍। ତାଙ୍କ ଇଚ୍ଛା ହେଲେ ମତେ ଟିକେଟ ଦେବେ। ନହେଲେ ନାହିଁ।

ଟିକେଟ ନମିଳିଲେ ବିଜେପି ଯିବେ କି?

“ମୁଁ କାହା ସହ ଯୋଗାଯୋଗରେ ନାହିଁ କି ମତେ କେହି ଯୋଗାଯୋଗ କରି ନାହାନ୍ତି। ମତେ ଯଦି ଦଳ କହିବ ପ୍ରଚାର କରିବାକୁ ତାହାଲେ କରିବି। ଯଦି କହିବ ନା ପ୍ରଚାର କରନି ତାହାଲେ କରିବିନି”, କହିଥିଲେ ସିଦ୍ଧାନ୍ତ।

ଆପଣ ବିଜେଡିରେ ରହିବେ ତ?

“ମୁଁ ଏବେ ବିଜେଡିରେ ଅଛି। ଦଳ ଛାଡ଼ି କୁଆଡ଼େ ଯାଇନି। ଆଗକୁ କିଏ ଦେଖିଛି?”

କଂଗ୍ରେସ ଛାଡ଼ି ବିଜେଡିରେ ଚନ୍ଦଶେଖର ସାହୁ ଯୋଗ ଦେବା ପରେ ଚର୍ଚ୍ଚା ହେଉଥିଲା ଯେ ସିଦ୍ଧାନ୍ତ ଟିକେଟ ପାଇବେନି। ଏହା ଆଜି ସ୍ପଷ୍ଟ ହୋଇଛି। ବ୍ରହ୍ମପୁରର ଦୁଇ ଥରର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଟିକେଟ କାଟି ଚନ୍ଦ୍ର ଶେଖର ସାହୁଙ୍କୁ ବିଜେଡି ଟିକେଟ ଦେଇଛି।

Comment