ଓଡ଼ିଶାଲାଇଭ୍ ବ୍ୟୁରୋ

  • ବିଜେପି ପାର୍ଟି ଅଫିସରେ ତୁମୁଳକାଣ୍ଡ
  • ବାବୁ ସିଂଙ୍କ ପ୍ରାର୍ଥିତ୍ୱକୁ ବିରୋଧ
  • ବିରୋଧ କଲେ ଅମୀୟ ଦାସଙ୍କ ସମର୍ଥକ
  • ପାର୍ଟି ଅଫିସରେ ତାଲା ପକାଇ ଧାରଣା

ଶେଷ ହୋଇନି ଟିକେଟ ବଣ୍ଟା। ମାତ୍ର ୧୦୦ ବିଧାନସଭା ଆସନ ପାଇଁ ବିଜେପି ଟିକେଟ ବାଣ୍ଟିଥିବା ବେଳେ ଆହୁରି ୪୭ଟି ଆସନ ବାକି ପଡ଼ିଛି। ହେଲେ ପ୍ରଥମ ଦଫା ଟିକେଟ ବଣ୍ଟନକୁ ନେଇ ବିଜେପିରେ ମହାଭାରତ ସୃଷ୍ଟି ହୋଇଛି। କେବଳ ଶଙ୍ଖ ଛାଡ଼ି ପଦ୍ମ ଧରିଥିବା ବାବୁ ସିଂଙ୍କ ପାଇଁ ହିଁ ଏହି ମହାଭାରତ ଦେଖାଦେଇଛି।

ନିକଟରେ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ ଭୁବନେଶ୍ୱର ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ବାବୁ ସିଂ। ଦଳକୁ ଆସୁ ଆସୁ ତାଙ୍କୁ ଏକାମ୍ର-ଭୁବନେଶ୍ୱର ପାଇଁ ଟିକେଟ ଦେଇଛି ବିଜେପି। ପ୍ରାର୍ଥୀ ତାଲିକା ଘୋଷଣା ହେବାର କିଛି ଘଣ୍ଟା ପରେ ବାବୁଙ୍କ ପ୍ରାଥିତ୍ୱକୁ ବିରୋଧ କରିଛନ୍ତି ଅମୀୟ ଦାସଙ୍କ ସମର୍ଥକ।

ବିଜେପି ଉପ-ସଭାପତି ସମୀର ମହାନ୍ତିଙ୍କ ଘରେ ଭଙ୍ଗାରୁଜା କରିବା ସହ ରାଜ୍ୟ ବିଜେପି ପାର୍ଟି ଅଫିସରେ ତାଲା ପକାଇ ଦେଇଛନ୍ତି ଅମୀୟଙ୍କ ସମର୍ଥକ। ପାର୍ଟି ଅଫିସରେ ଧାରଣାରେ ବସି ଏକାମ୍ର-ଭୁବନେଶ୍ୱର ଆସନ କଥା ପୁନର୍ବିଚାର କରିବାକୁ ସେମାନେ ଦାବି କରିଛନ୍ତି।

ଅମୀୟ ଥିଲେ ଏକାମ୍ର-ଭୁବନେଶ୍ୱର ବିଧାନସଭା ଆସନ ପାଇଁ ଆଶାୟୀ ପ୍ରାର୍ଥୀ। ୨୦୧୪ରେ ମଧ୍ୟ ଏହି ଆସନରୁ ସେ ବିଜେପି ଟିକେଟରେ ଲଢ଼ିଥିଲେ। ଏହି ନିର୍ବାଚନମଣ୍ଡଳୀରେ ତାଙ୍କର ଭଲ ସଙ୍ଗଠନ ରହିଛି। ହେଲେ ବିଜେପି ତାଙ୍କୁ ଟିକେଟ ନଦେବାରୁ ଅସନ୍ତୋଷ କୁହୁଳିଛି। ବାବୁ ସିଂଙ୍କ ଟିକେଟ କାଟି ଅମୀୟଙ୍କୁ ଟିକେଟ ଦେବା ପାଇଁ ଦାବି କରିଛନ୍ତି ସମର୍ଥକ।

ପ୍ରଥମ ଦଫାରେ ବିଜେପି ଯେଉଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ସେଥିରେ ବିଜେଡି ଛାଡ଼ି ବିଜେପିକୁ ଆସିଥିବା ଅଧିକାଂଶ ନେତାଙ୍କୁ ଟିକେଟ ମିଳିଛି। ହେଲେ ଏହାକୁ ନେଇ ଅସନ୍ତୋଷ ଭୁବନେଶ୍ୱରରୁ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here