ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାମିଲନାଡୁର ଓଲ୍ଡିଂ ୱାର୍କସପରେ କାର୍ଯ୍ୟ କରୁଥିବା ଏସ୍ ଶ୍ରାବଣା ମୁଥୁ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ଖୁବ ଅସୁସ୍ଥ ଥିଲେ। ଦୁଇମାସ ତଳେ ଅପରେସନ ଯୋଗୁଁ ସେ ବେଡରୁ ଉଠି ଯିବା ଆସିବା କରିବା କଷ୍ଟକର ଥିଲା। ପତ୍ନୀଙ୍କ ଦୁଃଖ ସହିନପାରି ଶ୍ରାବଣା ଏକ ରିମୋଟ୍ କଣ୍ଟ୍ରୋଲ  ଟୟଲେଟ୍ ବେଡ୍ ନିର୍ମାଣ କରିଛନ୍ତି। ଯାହା ଖୁବ୍ ଆରାମ ଦାୟକ ଥିଲା। ଏଥିରେ ଶୋଇକି ମଧ୍ୟ ନିତ୍ୟକର୍ମ କରିବାର ସୁବିଧା ସେ କରିଥିଲେ। ଏଥିରେ ସେ ଫ୍ଲସ ଟ୍ୟାଙ୍କ ଠୁ ଆରମ୍ଭ କରି ସେଫ୍ଟି ଟ୍ୟାଙ୍କ ମଧ୍ୟ ଲଗାଇଥିଲେ।

ଏହା ସମ୍ପୂର୍ଣ୍ଣ ଭାବେ ରିମୋଟ୍ ଦ୍ୱାରା ପରିଚାଳିତ ବେଡ୍। ଏଥିରେ ତିନୋଟି ବଟନ୍ ରହିଛି। ଗୋଟିଏ ବଟନ୍ ବେଡକୁ ଓପନ କରିବାରେ ସାହାଯ୍ୟ କରିବ, ଦ୍ୱିତୀୟ ବଟନଟି କ୍ଲୋଜେଟକୁ ଓପନ କରିବାରେ ମଧ୍ୟ ସହଯୋଗ କରିବ। ତୃତୀୟ ବଟନର କାର୍ଯ୍ୟ ହେଲା ଟୟଲେଟକୁ ଫ୍ଲସ କରିବା। ପ୍ରଥମେ ପ୍ରଥମେ ଏହାକୁ ନିର୍ମାଣ କରିବାରେ ଟିକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ହେଁ ଚେଷ୍ଟା ଜାରି ରଖିଥିଲେ ବ୍ୟକ୍ତି ଜଣକ। ଏହାକୁ ତିଆରି କରିବାରେ ଏକ ବର୍ଷ ସମୟ ଲାଗିବା ସହିତ ୩୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା।

ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ ପକ୍ଷରୁ ହୋଇଥିବା ପ୍ରତିଯୋଗିତାରେ ମୁଥୁଙ୍କ ଏହି ଉଦ୍ଭାବନକୁ ଦ୍ୱିତୀୟ ପୁରସ୍କାର ମିଳିଛି। ପୁରସ୍କାର ସ୍ୱରୂପ ତାଙ୍କୁ ୨ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି। ଗୁଜରାଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଥିଲେ। ବେଡ୍ କଥା ଶୁଣି ତାଙ୍କୁ ୩୫୦ଟି ବେଡର ଅର୍ଡର ମଧ୍ୟ ମିଳିସାରିଛି। ଏହାକୁ ନେଇ ମୁଥୁ ଖୁବ ଖୁସି ଥିବା ପ୍ରକାଶ କରିଛନ୍ତି।

Comment