ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଗ ଧାଡ଼ିର ମହିଳା ନେତ୍ରୀଙ୍କୁ ଏଥର ମିଳିନି ଟିକେଟ।

(ଭୁବନେଶ୍ୱରରୁ ସରୋଜ ମହାପାତ୍ର): ରାଜନୀତିରେ ମହିଳା ବ୍ରିଗେଡ କଥା ଉଠିଲେ ଆଗ ଧାଡ଼ିର ଅନେକ ମହିଳା ନେତ୍ରୀଙ୍କ କଥା ଆଗକୁ ଆସେ। ସେମାନେ ହେଲେ ବିଜେଡିର ସୁଲତା ଦେଓ, ସୁଲୋଚନା ଦାସ ଏବଂ ଶ୍ରୀମୟୀ ମିଶ୍ର। ବିଜେପିର ଲେଖାଶ୍ରୀ ସାମନ୍ତ ସିଂହାର ଏବଂ କଂଗ୍ରେସର ସୁମିତ୍ରା ଜେନା ଓ ସୋନାଲିକା ସାହୁ।

ଏହି ନାରୀ ନେତ୍ରୀମାନେ ଏଥର ଟିକେଟ ନେବା ପାଇଁ ଆଶା କରିଥିଲେ। ହେଲେ ସେମାନଙ୍କୁ ଟିକେଟ ଦେଇନି ଦଳ। ଏହି ନାରୀ ନେତ୍ରୀମାନେ ସେମାନଙ୍କ ଦଳରେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଥିଲେ ମଧ୍ୟ ଟିକେଟ ଦୌଡରେ ବାଜି ମାରି ପାରି ନାହାନ୍ତି।

ବିଜେଡିର ମହିଳା ବ୍ରିଗେଡରଙ୍କୁ ଟିକେଟ ନା

ବିଜୁ ଜନତା ଦଳର ମହିଳା ବ୍ରିଗେଡ ଭାବେ ଜଣାଶୁଣା ହେଉଛନ୍ତି ସୁଲତା ଦେଓ, ସୁଲୋଚନା ଦାସ ଏବଂ ଶ୍ରୀମୟୀ ମିଶ୍ର। ଏମାନଙ୍କୁ ବିଜେଡିର ଟିଭି ଚେହେରା କୁହାଯାଏ।

ବିଭିନ୍ନ ପ୍ରସଙ୍ଗରେ ଏମାନେ ଟିଭି ଡିବେଟରେ ଭାଗ ନେଇ ଦଳ ସପକ୍ଷରେ ମତ ରଖିଥାନ୍ତି। ଏହାଛଡ଼ା ବିରୋଧୀଙ୍କ ବାକ୍ୟବାଣରୁ ନିଜ ଦଳକୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଥାନ୍ତି। ହେଲେ ଦଳ ଏମାନଙ୍କୁ ଟିକେଟ ଦେଇନି।

ବିଜେଡିର ସୁଲତା, ସୁଲୋଚନା ଏବଂ ଶ୍ରୀମୟୀ ଟିକେଟ ଦୌଡ଼ରେ ରହିଥିଲେ। ସୁଲତା ଯାଜପୁର ଜିଲ୍ଲାର ବରୀ, ସୁଲଚନା ବିଞ୍ଝାରପୁର କିମ୍ବା ବରୀ, ଶ୍ରୀମୟୀ ବଲାଙ୍ଗିର ବିଧାନସଭା ଆସନ ପାଇଁ ଟିକେଟ ନେବାକୁ ଚାହୁଁଥିଲେ। କିନ୍ତୁ ଏମାନଙ୍କୁ ନିରାଶ ହେବାକୁ ପଡ଼ିଛି।

ସୁଲଚନାଙ୍କ ଘର ବିଞ୍ଝାରପୁର ବ୍ଲକରେ। କିନ୍ତୁ ତାଙ୍କ ଶାଶୂଘର ବରୀରେ। ସେ ଦୁଇଟି ଆସନ ମଧ୍ୟରୁ ଗୋଟିଏ ପାଇଁ ଆଶାୟୀ ରହିଥିଲେ। ହେଲେ ତାଙ୍କୁ ଗୋଟିଏ ବି ଆସନ ମିଳିଲା ନାହିଁ। ସେହିପରି ସୁଲତାଙ୍କ ଘର ବରୀ ନିର୍ବାଚନ ମଣ୍ଡଳୀରେ ହୋଇଥିବାରୁ ସେ ବରୀ ପାଇଁ ଆଶାୟୀ ଥିଲେ। ହେଲେ ଏହି ଦୁଇ ଜଣ ଟିକେଟରୁ ବାଦ୍ ପଡ଼ିଛନ୍ତି।

ସେହିପରି ଶ୍ରୀମୟୀ ବଲାଙ୍ଗିର ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ। କିନ୍ତୁ ଏଠାରେ ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶ ସିଂହଦେଓଙ୍କୁ ଟିକେଟ ଦେଇଛି ବିଜେଡି।

‘‘ଆମ ଦଳରେ ବହୁତ ଲୋକ ଅଛନ୍ତି। ଗୋଟିଏ ଗଣତାନ୍ତ୍ରିକ ଦଳରେ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଆଶା ରହିଥାଏ। ତେବେ କିଏ ଟିକେଟ ପାଇବ ଏବଂ ନପାଇବ ତାହା ଦଳର ସୁପ୍ରିମୋ ହିଁ ବିଚାର କରିଥାନ୍ତି। ହୁଏତ ମୋ’ଠାରୁ ଭଲ ପ୍ରାର୍ଥୀ ମିଳିଥିବେ ସେଥିପାଇଁ ମୁଁ ଟିକେଟ ପାଇନାହିଁ’’, ଓଡ଼ିଶାଲାଇଭକୁ କହିଛନ୍ତି ସୁଲୋଚନା ଦାସ।

ସେ ଆହୁରି କହିଛନ୍ତି ଯେ କିଏ ଟିକେଟ ପାଇଲା ନ ପାଇଲା ସେଟା ଆମ ପାଇଁ ବଡ଼ ନୁହେଁ। ଦଳ କେମିତି ଅଧିକ ଆସନରେ ଜିତିବ ତାହା ଆମ ପାଇଁ ବଡ଼ ଆହ୍ୱାନ।

ବିଜେପିର ଲେଖାଶ୍ରୀ ବି ବାଦ

ବିଜେପିର ଆଉ ଜଣେ ଆଗ ଧାଡ଼ିର ନେତ୍ରୀ ହେଲେ ଲେଖାଶ୍ରୀ ସାମନ୍ତ ସିଂହାର। ୨୦୧୪ ନିର୍ବାଚନ ପରେ ଲେଖାଶ୍ରୀ ବିଜେପି ରାଜନୀତିରେ ଅଧିକ ସକ୍ରିୟ ହୋଇ ଉଠିଥିଲେ। ଏବେ ଲେଖାଶ୍ରୀ ବିଜେପିର ସାଧାରଣ ସମ୍ପାଦିକା ଅଛନ୍ତି।

ଲେଖାଶ୍ରୀ ବିଜେପିର ଟିଭି ଚେହେରା ମଧ୍ୟ। ବିଭିନ୍ନ ଟିଭି ଚ୍ୟାନେଲରେ ହେଉଥିବା ପ୍ୟାନେଲ ଡିସକସନରେ ଲେଖାଶ୍ରୀ ଭାଗ ନେଇ ଦଳ ସପକ୍ଷରେ ଯୁକ୍ତି ଉପସ୍ଥାପନ କରି ଆସୁଥିଲେ। ଲେଖାଶ୍ରୀ ଶାଣିତ ଢଙ୍ଗରେ ବିରୋଧୀଙ୍କୁ ଜବାବ ଦେଇଥିଲେ।

ସେ ବାଲେଶ୍ୱର ଜିଲ୍ଲା ନିଳଗିରିର ବୋହୂ ହୋଇଥିବାରୁ ନିଳଗିରି ପାଇଁ ଟିକେଟ ଆଶାୟୀ ଥିଲେ। କିନ୍ତୁ ବିଜେପି ନିଳଗିରି ପାଇଁ ଲେଖାଶ୍ରୀଙ୍କୁ ଟିକେଟ ଦେଇନି। ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ସୁକାନ୍ତ ନାୟକଙ୍କୁ ଦଳ ଟିକେଟ ଦେଇଛି।

‘‘ମୁଁ ସରକାରୀ ଚାକିରି ଛାଡ଼ି ମୋଦି ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛି। ଦଳ ଯେତେବେଳେ ଯାହା ଦାୟିତ୍ୱ ଦେଇଛି ତାକୁ ମୁଁ ତୁଲାଇବାକୁ ଚେଷ୍ଟା କରିଛି। ଟିକେଟ ପାଇବା ନପାଇବା କିଛି ବଡ଼ କଥା ନୁହେଁ। ମୁଁ କୌଣସି ଆଶା ନେଇ ବିଜେପିକୁ ଆସି ନଥିଲି’’, ଓଡ଼ିଶାଲାଇଭକୁ କହିଛନ୍ତି ଲେଖାଶ୍ରୀ।

ସୁମିତ୍ରା, ସୋନାଲିକା ବି ବାଦ୍

ମହିଳା ପ୍ରାର୍ଥୀଙ୍କ ଉପରେ ଏଥର କଂଗ୍ରେସ ଗୁରୁତ୍ୱ ଦେବ ବୋଲି କହିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହାପରେ ମହିଳା ଆଶାୟୀଙ୍କ ସଂଖ୍ୟା ଦଳରେ ବଢ଼ିଥିଲା। ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଏବଂ ମୁଖପାତ୍ର ସୋନାଲିକା ଟିକେଟ ଆଶାୟୀ ରହିଥିଲେ। ହେଲେ ଦଳ ଏମାନଙ୍କୁ ଟିକେଟ ଦେଇନି। ସେହିପରି ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ବି ଏଥର ଟିକେଟ ଆଶାୟୀ ଥିଲେ। ସେ ବି ଟିକେଟ ଦୌଡ଼ରୁ ବାଦ ପଡ଼ିଛନ୍ତି।

୨୦୧୯ ନିର୍ବାଚନରେ ଏକ ନୂଆ ଗଣିତ ଦେଖିବାକୁ ମିଳିଛି। ଯେଉଁମାନେ ଟିକେଟରୁ ବାଦ୍ ପଡୁଛନ୍ତି ସେମାନେ ଅନ୍ୟ ଦଳକୁ ଡେଉଁଛନ୍ତି। ବିଭିନ୍ନ ଦଳର ଆଗଧାଡ଼ିର ମହିଳା ନେତ୍ରୀମାନେ ଏଥର ଟିକେଟ ପାଇ ନଥିବାରୁ ଏମାନଙ୍କ ଉପରେ ସମସ୍ତଙ୍କ ନଜର।

Comment