ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

(ମାନସ ରଞ୍ଜନ ଦାଶ) : ମହିଳା ସଶକ୍ତିକରଣର ଏକ ଅନନ୍ୟ ଉଦାହରଣ ସାଜିଛି ପିଙ୍କ ବୁଥ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଥିଲା ଏହି ପିଙ୍କ ବୁଥ। ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ମତଦାନରେ ୫ଟି ପିଙ୍କ ବୁଥ ଖୋଲା ଯାଇଥିବା ଜଣାପଡ଼ିଛି।

ବ୍ରହ୍ମପୁର ଲୋକସଭା ଆସନରେ ଆଜି ଥିଲା ଭୋଟ। ବିଭିନ୍ନ ବୁଥରେ ଧାଡ଼ି ଲଗାଇ ଭୋଟର ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଦେଉଥିଲେ ଭୋଟ। ତେବେ ବ୍ରହ୍ମପୁରର ବିଭିନ୍ନ ବୁଥ ଅପେକ୍ଷା ୨୧ ନମ୍ବର ବୁଥ ଥିଲା ଭିନ୍ନ। କାରଣ ପ୍ରଶାସନ ତରଫରୁ ଏହାକୁ ପିଙ୍କ ବୁଥ ଭାବେ ନାମିତ କରାଯାଇଥିଲା।

ପିଙ୍କ ବୁଥର ସ୍ୱତନ୍ତ୍ରତା ହେଉଛି ବୁଥରେ ଥିବା ପ୍ରିଜାଇଡିଙ୍ଗ ଅଫିସର ଓ ପୋଲିଙ୍ଗ ଅଫିସର ସମସ୍ତେ ମହିଳା। ମହିଳା ପୋଲିଂ ପାର୍ଟି ହିଁ ପିଙ୍କ ବୁଥରେ ସୁରୁଖରୁରେ ନିର୍ବାଚନ ପରିଚାଳନା କରିଥିଲେ।

”ସରକାର ଆମକୁ ଏହି ସୁଯୋଗ ଦେଇଥିବାରୁ ଆମେ ଅତ୍ୟନ୍ତ ଖୁସି। ଏହା ମହିଳା ବିକାଶର ଆଉ ଏକ ମାଧ୍ୟମ।। ଏହା ନାରୀ ସଶକ୍ତିକରଣର ଏକ ଜ୍ୱଳନ୍ତ ଉଦାହରଣ”, ଓଡ଼ିଶାଲାଇଭକୁ କହିଛନ୍ତି ବ୍ରହ୍ମପୁର ୨୧ ନମ୍ବର ବୁଥ ପ୍ରିଜାଇଡିଙ୍ଗ ଅଫିସର ଉଷା ସାହୁ।

ନିର୍ବାଚନ ପାଇଁ ପିଙ୍କ ବୁଥଗୁଡ଼ିକୁ ଅତି ସୁନ୍ଦର ଭାବେ ସଜା ଯାଇଥିଲା। ପ୍ରଥମ ଥର ଏପରି ବ୍ୟବସ୍ଥା କରାଯାଇଥିବାରୁ ପ୍ରିଜାଇଡିଙ୍ଗ ଅଫିସର, ପୋଲିଙ୍ଗ ଅଫିସରଙ୍କ ସହ ଭୋଟରମାନେ ମଧ୍ୟ ଅତ୍ୟନ୍ତ ଖୁସି ଥିଲେ।

ଅଧିକରୁ ଅଧିକ ମହିଳା ଭୋଟର ଯେଭଳି ଭୋଟ ଦେବା ପାଇଁ ଆଗେଇ ଆସିବେ ସେଥିପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ଲାଗି ପିଙ୍କ ବୁଥର ବ୍ୟବସ୍ଥା କରାଯାଇଥିଲା।

ଏହି ପିଙ୍କ ବୁଥ ଗୁଡ଼ିକରେ ୫ ଜଣ ଲେଖାଏଁ ପୋଲିଂ କର୍ମଚାରୀ ଥିଲେ। ଏଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

ଗଞ୍ଜାମ ଜିଲ୍ଲାରେ ଏତର ପ୍ରଶାସନ ତରଫରୁ ୧୩ଟି ପିଙ୍କ ବୁଥ ଖୋଲା ଯାଇଛି। ପ୍ରଥମ ପର୍ଯ୍ୟାୟରେ ୫ଟି ପିଙ୍କ ବୁଥ ଖୋଲା ଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ୮ଟି ପିଙ୍କ ବୁଥ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here