ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ଶେଷ ପ୍ରଚାରରେ ନବୀନ କହିଲେ, ‘‘କେନ୍ଦ୍ରାପଡ଼ାର ଦାୟିତ୍ୱ ମୁଁ ନିଜେ ନେବି’’।

‘‘କେନ୍ଦ୍ରାପଡ଼ାର ଦାୟିତ୍ୱ ମୁଁ ଜଣେ ଯୁବକ ଏବଂ ଉଚ୍ଚଶିକ୍ଷିତଙ୍କ ହାତରେ ଦେଇଥିଲି। ମୋ’ ଭରସାରେ ଲୋକ ତାଙ୍କୁ ଭୋଟ ଦେଲେ। ହେଲେ ସେ କେନ୍ଦ୍ରାପଡ଼ାବାସୀଙ୍କ ସ୍ୱାର୍ଥ ବଦଳରେ ନିଜ ସ୍ୱାର୍ଥ ଦେଖିଲେ। ସେ ସମସ୍ତଙ୍କ ସହ ବିଶ୍ୱାସଘାତ କଲେ। କେନ୍ଦ୍ରାପଡ଼ାବାସୀ ସ୍ୱାଭିମାନୀ। ଏଥର ତାଙ୍କୁ ବରଦାସ୍ତ କରିବେନି’’, ବୈଜୟନ୍ତଙ୍କ ନାଁ ନନେଇ ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

୬ ଲୋକସଭା ଏବଂ ୪୨ ବିଧାନସଭା କ୍ଷେତ୍ର ପାଇଁ ଆଜି ଶେଷ ହୋଇଛି ପ୍ରଚାର। ପ୍ରଚାରର ଶେଷ ଦିନରେ ବିଜେଡି ଶକ୍ତି ପ୍ରଦର୍ଶନ କରିଛି କେନ୍ଦ୍ରାପଡ଼ାରେ। ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରି ଶେଷ କାର୍ଡ ଖେଳିଛନ୍ତି। ବୈଜୟନ୍ତଙ୍କ ନାଁ ନନେଇ ବର୍ଷିଛନ୍ତି।

କେନ୍ଦ୍ରାପଡ଼ାରେ ନବୀନ ବୈଜୟନ୍ତଙ୍କୁ ଟାର୍ଗେଟ କରିଥିବାରୁ ରାଜନୀତି ମାହୋଲ ପୂରା ଗରମ ହୋଇଯାଇଛି। ନବୀନ ଓଡ଼ିଶାର ବିଭିନ୍ନ ଲୋକସଭା କ୍ଷେତ୍ର ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ହେଲେ କେଉଁଠି ବି ପ୍ରାର୍ଥୀଙ୍କୁ ଟାର୍ଗେଟ କରି ନଥିଲେ। ହେଲେ କେନ୍ଦ୍ରାପଡ଼ାରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତଙ୍କୁ ନବୀନ ଟାର୍ଗେଟ କରିଥିବାରୁ ନିର୍ବାଚନ ମଇଦାନ ସରଗରମ ହୋଇଯାଇଛି।

ନବୀନ ଆଜି ଆଳି, ପଟ୍ଟାମୁଣ୍ଡାଇ ସମେତ ସାଲେପୁରରେ ରୋଡ ସୋ’ କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି। ‘ଆଜିଠୁ କେନ୍ଦ୍ରାପଡ଼ାର ଦାୟିତ୍ୱ ମୁଁ ନିଜେ ନେବି’ ବୋଲି ନବୀନ କହିଥିଲେ।

ନବୀନ ଏହି ଅବସରରେ କେନ୍ଦ୍ରର ବିଜେପି ସରକାରକୁ ବି ଆକ୍ଷେପ କରିବାକୁ ପଛାଇ ନଥିଲେ।

ନବୀନ କହିଥିଲେ, ‘‘ନିର୍ବାଚନ ପାଇଁ ଗୋଟିଏ ମାସରେ ପ୍ରଧାନମନ୍ତ୍ରୀ ମୋଦି ୧୦ ଥର ଓଡ଼ିଶା ଆସିଲେଣି। ବନ୍ୟା, ବାତ୍ୟା ବେଳେ ଆଦୌ ଆସି ନଥିଲେ। କେବଳ ଭୋଟ ନେବା ପାଇଁ ଆସିଛନ୍ତି। ବିଜେପିକୁ ଲୋକେ ଏଥର ଜବାବ ଦେବେ।’’

ଶୁକ୍ରବାର ନବୀନ କେନ୍ଦ୍ରାପଡ଼ାର ମହାକାଳପଡ଼ା ଏବଂ ପାଟକୁରାରେ ହାଇଟେକ ବସରେ ପ୍ରଚାର କରିଥିଲେ। ଏହାପରେ କେନ୍ଦ୍ରାପଡ଼ାର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବଳଦେବଜୀଙ୍କୁ ଦର୍ଶନ କରିଥିଲେ।

Comment