ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ 

ବିଜୟଙ୍କ ବିଜୟରେ ବ୍ରେକ ଦେବା ପାଇଁ ନବୀନଙ୍କ ଡବଲ ଧମାକା।

ପାଟକୁରାରେ ନବୀନଙ୍କ ଡବଲ ଧମାକା। ବିଜୟ ମହାପାତ୍ରଙ୍କ ବିଜୟରେ ବ୍ରେକ ଦେବା ପାଇଁ ନବୀନ ମହିଳା ଓ ଅନୁକମ୍ପା କାର୍ଡ ଖେଳିଛନ୍ତି। ବେଦପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିବା ପରେ ଏହି ଚର୍ଚ୍ଚା ଏବେ ରାଜନୀତି କରିଡରରେ ଚାଲିଛି।

ବିଜେପୁର ଉପ-ନିର୍ବାଚନରେ ରୀତା ସାହୁଙ୍କୁ ପ୍ରାର୍ଥୀ କରି ନବୀନ ଯେମିତି ଡବଲ କାର୍ଡ ଖେଳିଥିଲେ ପାଟକୁରାରେ ଠିକ୍ ସେମିତି କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି।

ପାଟକୁରା ବିଧାନସଭା ଆସନ ପାଇଁ ବିଜେଡି ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପ୍ରାର୍ଥୀ କରିଥିଲା ବିଜୟ ମହାପାତ୍ରଙ୍କୁ। ବିଜୟ ଏବଂ ବେଦପ୍ରକାଶ ପ୍ରାର୍ଥିପତ୍ର ଦାଖଲ କରି ପ୍ରଚାର ଆରମ୍ଭ କରିଦେଇଥିଲେ। ହେଲେ ନିର୍ବାଚନ ଯୁଦ୍ଧ ପୂର୍ବରୁ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ବେଦପ୍ରକାଶ।

ଗତ ୨୦ ତାରିଖରେ ବେଦପ୍ରକାଶ ଆରପାରିକୁ ଚାଲି ଯାଇଥିଲେ। ଫଳରେ ନିର୍ବାଚନ ସ୍ଥଗିତ ହୋଇଥିଲା ଏହି ନିର୍ବାଚନମଣ୍ଡଳୀରେ। ପାଟକୁରାରେ ମେ’୧୯ରେ ନିର୍ବାଚନ ହେବ ବୋଲି ନିର୍ବାଚନ ଅଧିକାରୀ ଘୋଷଣା ହେବା ପରେ ବିଜେଡି ଟିକେଟ କିଏ ନେବ ତାକୁ ନେଇ ଚର୍ଚ୍ଚା ବଢ଼ିଥିଲା।

ବେଦପ୍ରକାଶଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ଟିକେଟ ରେସରେ ଆଗରେ ରହିଥିଲେ। ସୁଯୋଗ ମିଳିଲେ ସେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ବୋଲି ସଞ୍ଜୟ ଗଣମାଧ୍ୟମରେ କହିଥିଲେ। ହେଲେ ଶେଷରେ ପୁଅ ସଞ୍ଜୟଙ୍କୁ ପ୍ରାର୍ଥୀ ନକରି ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀଙ୍କୁ ଟିକେଟ ଦେଇଛି ବିଜେଡି।

ଏବେ ସାବିତ୍ରୀ ଏବଂ ବିଜୟଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ଚିତ୍ର ସ୍ପଷ୍ଟ ହୋଇଯାଇଛି। ପାଟକୁରା ବିଜୟଙ୍କ ପାରମ୍ପାରିକ ଆସନ ହୋଇଥିବାରୁ ୧୯ ବର୍ଷ ପରେ ବିଧାନସଭାକୁ ଯିବା ଲାଗି ବିଜୟ ପୁଣି ସଜବାଜ ହେଉଛନ୍ତି। ବେଦପ୍ରକାଶଙ୍କ ଦେହାନ୍ତ ପରେ ବି ବିଜୟ ପାଟକୁରାରେ କ୍ୟାମ୍ପେନିଂ ଜାରି ରଖିଛନ୍ତି। ହେଲେ ବିଜୟଙ୍କ ବିଜୟରେ ବ୍ରେକ ଦେବା ପାଇଁ ପୁଅ ସଞ୍ଜୟଙ୍କ ବଦଳରେ ସାବିତ୍ରୀଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ।

ସଞ୍ଜୟଙ୍କୁ ପ୍ରାର୍ଥୀ କରିଥିଲେ ହୁଏତ ବିଜୟଙ୍କ ପାଇଁ ନିର୍ବାଚନୀ ଯୁଦ୍ଧ ସହଜ ହୋଇଥାନ୍ତା। କିନ୍ତୁ ଏବେ ସାବିତ୍ରୀ ପ୍ରାର୍ଥୀ ହୋଇଥିବାରୁ ବିଜୟଙ୍କ ପାଇଁ ନିର୍ବାଚନ ଜିତିବା ଏତେଟା ସହଜ ହୋଇ ନପାରେ ବୋଲି ରାଜନୀତି ପଣ୍ଡିତ ମତ ଦେଉଛନ୍ତି। କାରଣ ସାବିତ୍ରୀ ଜଣେ ମହିଳା ହୋଇଥିବା ବେଳେ ନିକଟରେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଛି। ଏଣୁ ସାବିତ୍ରୀଙ୍କୁ ମହିଳା ଭୋଟ ସହ ଅନୁକମ୍ପାମୂଳକ ଭୋଟ ମିଳିବାର ଅନେକ ସମ୍ଭାବନା ରହିଛି।

୨୦୧୮ରେ ବିଜେପୁର ଉପ-ନିର୍ବାଚନରେ ମଧ୍ୟ ବିଜେଡି ସଭାନ କାର୍ଡ ଖେଳିଥିଲା। ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ଦଳରେ ସାମିଲ କରି ବିଜେଡି ପ୍ରାର୍ଥୀ କରିଥିଲା। ଅନୁକମ୍ପାମୂଳକ ଭୋଟ ଏବଂ ନବୀନଙ୍କ ଲୋକପ୍ରିୟତା ଆଧାରରେ ରୀତା ଜିତି ଯାଇଥିଲେ। ଏବେ ସମାନ ଫର୍ମୁଲା ବିଜେଡି ପାଟକୁରାରେ ପ୍ରୟୋଗ କରିଛି। ତେବେ ନବୀନଙ୍କ ଏହି ଡବଲ ଧମାକା କେତେ ଫଳପ୍ରଦ ହେଉଛି ତାହା ଅପେକ୍ଷା କରି ଦେଖିବାର କଥା।

Comment