ଓଡ଼ିଶାଲାଇଭ୍ ବ୍ୟୁରୋ

  • ଘଣ୍ଟାକୁ ୨୧ କିଲୋମିଟର ବେଗରେ ଆସୁଛି ଫନି
  • କିଛି ଘଣ୍ଟା ପରେ ଅତି ଭୟଙ୍କର ରୂପ ନେବ
  • ୪ ତାରିଖ ଯାଏଁ ରହିବ ପ୍ରଭାବ
  • ଓଡ଼ିଶାର ସବୁ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ

ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫନି’। ଉତ୍ତର-ପଶ୍ଚିମ ଦିଗ ଦେଇ ଏହା ଓଡ଼ିଶା ଉପକୂଳ ଆଡ଼େ ମୁହାଁଇଛି। ଘଣ୍ଟାକୁ ପ୍ରାୟ ୨୧ କିଲୋମିଟର ବେଗରେ ମାଡ଼ି ଆସୁଛି ଫନି।

କିଛି ସମୟ ପରେ ଏହା ଅତି ଭୟଙ୍କର ବାତ୍ୟାର ରୂପ ନେବ ବୋଲି ଆଇଏମଡି ସୂତ୍ରରୁ ଜଣାପଡ଼ିଛି। ଆଜି ରାତି ସାଢ଼େ ୧୧ଟା ସୁଦ୍ଧା ଏହା ଅତି ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହି ସମୟରେ ପବନର ବେଗ ଘଣ୍ଟାକୁ ୧୭୦ରୁ ୧୮୦ କିଲୋମିଟର ରହିବ। ସ୍ଥଳ ବିଶେଷରେ ପବନର ବେଗ ୨୦୦ କିଲୋମିଟର ଛୁଇଁବାର ସମ୍ଭାବନା ରହିଛି। ୩ ଏବଂ ୪ ତାରିଖ ବେଳକୁ ବାତ୍ୟା ଉଗ୍ର ରୂପ ଧାରଣ କରିବ। ପବନର ବେଗ ଘଣ୍ଟାକୁ ୧୭୫ରୁ ୧୮୫ ରହିବ। ସ୍ଥଳ ବିଶେଷରେ ପବନର ବେଗ ୨୦୫ କିଲୋମିଟର ରହିପାରେ।

ଏପଟେ ୨ ତାରିଖରୁ ବାତ୍ୟା ଫନି ପ୍ରଭାବରେ ରାଜ୍ୟରେ ବର୍ଷା ହୋଇପାରେ। ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଆଦି ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

୩ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ।

୪ ତାରିଖରେ ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶାର ସବୁ ବନ୍ଦରରେ ୨ ନମ୍ବର ବିପଦସଙ୍କେତ ଜାରି କରାଯାଇଛି।

Comment