ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘ଫନି’କୁ ନେଇ ପଢ଼ନ୍ତୁ ଗୁରୁତ୍ୱପୂର୍ଣ୍ଣ ଖବର।

‘ଫନି’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

‘ଫନି’ ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି। ସମ୍ଭାବ୍ୟ ବାତ୍ୟା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ଗଞ୍ଜାମରେ ଏହାର ପ୍ରଭାବ ଅଧିକ ପଡ଼ିବ। ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି।

‘ଫନି’ ପାଇଁ କେମିତି ରହିବେ ସତର୍କ?

ଭୟଙ୍କର ରୂପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ଯାହାପାଇଁ ସାରାରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ଫନି’। ‘ଫନି’ ବାତ୍ୟାରୁ ବର୍ତ୍ତିବା ପାଇଁ ଏସଆରସି କେତୋଟି କଥା ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି।

‘ଫନି’ ପାଇଁ ୫ ଆଇଏଏସଙ୍କୁ ୫ ଜିଲ୍ଲାର ଦାୟିତ୍ୱ

ବାତ୍ୟା ‘ଫନି’  ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଜୋର କରିଛନ୍ତି। ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ୫ ଜଣ ଆଇଏଏସଙ୍କୁ ୫ଟି ଜିଲ୍ଲାର ଦାୟିତ୍ୱ ମିଳିଛି। ପୁରୀ ଜିଲ୍ଲା ପାଇଁ ସୁରେଶ ମହାପାତ୍ର ରହିଥଲା ବେଳେ ଜଗତସିଂହପୁର ଦାୟିତ୍ୱରେ ଅଛନ୍ତି ପ୍ରଦୀପ୍ତ କୁମାର ମହାପାତ୍ର। ସେହିପରି କେନ୍ଦ୍ରାପଡ଼ା ଦାୟିତ୍ୱରେ ପ୍ରଦୀପ ଜେନା, ଯାଜପୁର ଲାଗି ଅନିଲ ସାମଲ, ବାଲେଶ୍ୱର ଲାଗି ବଳଓ୍ୱନ୍ତ ସିଂହ ଦାୟିତ୍ୱରେ ଅଛନ୍ତି।

ଘଣ୍ଟାକୁ ୧୦ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ‘ଫନି’

ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ଼ ‘ଫନି’। ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଫନି। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଫନି ମେ’ ୩ ତାରିଖ ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ। ‘ଫନି’ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ସୂଚନା ମିଳିଛି। ଘଣ୍ଟାପ୍ରତି ‘ଫନି’ର ବେଗ ୧୦ କିଲୋମିଟର ରହିଛି। ପୂର୍ବରୁ ଏହି ବେଗ ଘଣ୍ଟାପ୍ରତି ୭ କିମି ଥିଲା।

ମାଡ଼ି ଆସୁଛି ‘ଫନି’ – ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପର୍ଯ୍ୟଟକଙ୍କୁ ପୁରୀ ଛାଡ଼ିବାକୁ ନିର୍ଦ୍ଦେଶ

ସାମୁଦ୍ରିକ ଝଡ଼ ଫନିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅର୍ଥାତ୍ ମେ’ ୨ରେ ପୁରୀ ଛାଡ଼ିବାକୁ ପଯ୍ୟଟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ୨ରୁ ୪ ତାରିଖ ମଧ୍ୟରେ ‘ଫନି’ ଦ୍ୱାରା ପ୍ରଭାବିତ ଅଞ୍ଚଳ ମଧ୍ୟ ପର୍ଯ୍ୟଟକମାନଙ୍କୁ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ସାମୁଦ୍ରିକ ଝଡ଼ ‘ଫନି’ ଏବେ ଘଣ୍ଟାପ୍ରତି ୧୦କିମି ବେଗରେ ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବେ ଏହା ପୁରୀଠାରୁ ୬୮୦ କିଲୋମିଟର ଦୂରରେ ରହିଛି।

‘ଫନି’ ପାଇଁ ୨ରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ସାମୁଦ୍ରିକ ଝଡ଼ ‘ଫନି’ ମୁକାବିଲା ନେଇ ରାଜ୍ୟ ସରକାର ତତ୍ପର। ଏହା ଏବେ ଘଣ୍ଟାପ୍ରତି ୭କିମି ବେଗରେ ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବେ ଏହା ପୁରୀଠାରୁ ୭୧୦ ଓ ବିଶାଖପଟନମଠାରୁ ୪୧୦ କିମି ଦୂରରେ ରହିଛି। ଫନି ପ୍ରଭାବରେ ସାରା ରାଜ୍ୟରେ ୨ତାରିଖରୁ ବର୍ଷା ଆରମ୍ଭ ହେବ। ସେପଟେ ରାଜ୍ୟ ମୁଖ୍ୟ ରିଲିଫ କମିଶନ ‘ଫନି’ ପାଇଁ ଆସନ୍ତାକାଲିଠାରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଆଦେଶ ଯାଏଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ତେବେ ଏହି ସମୟରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ଘୁଞ୍ଜାଇଦିଆଯାଇପାରେ ବୋଲି ସୂଚନା ମିଳିଛି।

Comment