ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘ଫନି’କୁ ନେଇ ପଢ଼ନ୍ତୁ ବର୍ତ୍ତମାନର ଟିକିନିଖି ଖବର।

୧୫ କିମି ବେଗରେ ମାଡ଼ି ଆସୁଛି ‘ଫନି’ –  ପୁରୀରୁ ୪୫୦ କିମି ଦୂରରେ

କ୍ଷୀପ୍ର ଗତିରେ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫନି’। ବାତ୍ୟା ‘ଫନି’ ଅତ୍ୟଧିକ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଓଡ଼ିଶା ଆଡ଼େ ମାଡ଼ି ଆସୁଛି। ପୁରୀଠାରୁ ଏହା ମାତ୍ର ୪୫୦ କିଲୋମିଟର ଦୁରରେ କେନ୍ଦ୍ରୀଭୂତ ହେଉଛି। ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ‘ଫନି’ ଗତି କରୁଛି। ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଅପରାହ୍ଣ ସାଢ଼େ ୫ଟାରେ ପୁରୀର ଗୋପାଳପୁର-ଚାନ୍ଦବାଲି ମଧ୍ୟରେ ମାଡ଼ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି।

ଓଡ଼ିଶା ମୁହାଁ ବାତ୍ୟା ‘ଫନି’ – ମାଡ଼ି ଆସିବ ଦେଢ଼ ମିଟର ଉଚ୍ଚ ଜୁଆର

‘ଫନି’ ଆସନ୍ତା ୩ ତାରିଖ ଅର୍ଥାତ ଶୁକ୍ରବାର ଦିନ ଅପରାହ୍‌ଣରେ ଓଡ଼ିଶା ଛୁଇଁବ। ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟଭାଗ ପୁରୀ ନିକଟରେ ଲ୍ୟାଣ୍ଡ୍‌ଫଲ ହେବ ବାତ୍ୟା ‘ଫନି’। ଲ୍ୟାଣ୍ଡଫଲ କରିବା ସମୟରେ ତଳିଆ ଅଞ୍ଚଲରେ ପାଣି ପସିବା ଆଶଙ୍କା କରାଯାଉଛି। ୨ରୁ ୪ ତାରିଖରେ ସମୁଦ୍ର ଅଶାନ୍ତ ରହିବ। ପବନର ବେଗ ବଢ଼ିବା ସହିତ ଅତିପ୍ରବଳ ବର୍ଷା ଲାଗି ରହିବା। ଲ୍ୟାଣ୍ଡଫଲ୍‌ କରିବା ସମୟରେ ସମୁଦ୍ର ଭୟଙ୍କର ରୂପ ନେଇ ଦେଢ଼ ମିଟର ଉଚ୍ଚର ଜୁଆର ଆସିବ ବୋଲି ଆଇଏମ୍‌ଡି ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।

‘ଫନି’ ପ୍ରଭାବରେ ଆଜି ସଂଧ୍ୟାରୁ ରାଜ୍ୟରେ ଆରମ୍ଭ ହେବ ବର୍ଷା

ଭୟଙ୍କର ରୂପ ଧାରଣ କରି ଓଡ଼ିଶା ମୁହାଁ ବାତ୍ୟା ‘ଫନି’। ସୂଚାନୁସାରେ ଏହା ଆସନ୍ତାକାଲି ଅପରାହ୍ନରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ। ‘ଫନି’ ବର୍ତ୍ତମାନ ପୂରୀଠାରୁ ୫୧୦ ଓ ବିଶାଖାପଟନମଠାରୁ ୨୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟାପ୍ରତି ୭କିମି ବେଗରେ ମାଡ଼ିଆସୁଛି ବାତ୍ୟା ‘ଫନି’। ‘ଫନି’ ପ୍ରଭାବରେ ଆଜି ସଂଧ୍ୟାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ବାତ୍ୟା ‘ଫନି’ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୭୦ରୁ ୧୮୦ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

‘ଫନି’ ପାଇଁ ବିଭିନ୍ନ ଜିଲ୍ଲାରେ ଆଲର୍ଟ ଜାରି କଲା ପାଣିପାଗ ବିଭାଗ – ୧୭ଜିଲ୍ଲାରୁ ରେଡ୍ ୱାର୍ଣ୍ଣିଂ

ଓଡ଼ିଶାମୁହାଁ ବାତ୍ୟା ‘ଫନି’। ପାଣିପାଗ ବିଭାଗ ସୂଚନାନୁସାରେ ଆସନ୍ତାକାଲି ଅପରାହ୍ନ ୫.୩୦ରେ ଏହା ସ୍ଥଳଭାଗ ଛୁଇଁବା ସହ ଲ୍ୟାଣ୍ଡଫଲ କରିବ। ‘ଫନି’ ପ୍ରଭାବିତ ବିଭିନ୍ନ ଜିଲ୍ଲାଲାଗି ଅରେଞ୍ଜ,ୟଲୋ,ରେଡ ଆଲର୍ଟ ଜାରି କରାଯାଇଛି। ଗଜପତି, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କୋରାପୁଟ,ରାୟଗଡ଼ା ଓ କନ୍ଧାମାଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଗଜପତି,ପୁରୀ,ଖୋର୍ଦ୍ଧା, ନୟାଗଡ଼,ଗଞ୍ଜାମ,କଟକ, ଜଗତସିଂହପୁର,ଭଦ୍ରକ,ଯାଜପୁର,କନ୍ଧମାଳ,ରାୟଗଡ଼ା,କନ୍ଧମାଳ, ଢେଙ୍କାନାଳ,ଅନୁଗୁଳ,ମୟୂରଭଞ୍ଜ ଭଳି ଜିଲ୍ଲାଲାଗି ରେଡ ଆଲର୍ଟ ଜାରି କରାଯାଇଛି। ସେହିପରି ଗଞ୍ଜାମ,କନ୍ଧମାଳ,ସମ୍ବଲପୁର,ଦେବଗଡ ଲାଗି ୟଲୋ ଆଲର୍ଟ ଜାରି କରାଯାଇଛି।

ବାତ୍ୟା ‘ଫନି’ ମୁକାବିଲା ଲାଗି ପ୍ରସ୍ତୁତ ସରକାର – ଆଜି ସଂଧ୍ୟାସୁଦ୍ଧା ୮ଲକ୍ଷ ଲୋକଙ୍କୁ କରାଯିବ ସ୍ଥାନାନ୍ତର

ଆସନ୍ତାକାଲି ଅପରାହ୍ନରେ ବାତ୍ୟା ‘ଫନି’ ସ୍ଥଳଭାଗ ଛୁଇଁବ। ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୧୭୦ରୁ ୧୮୦ କିମି ରହିବା ସହ ବର୍ଷାମଧ୍ୟ ଅଧିକ ହେବ। ଏହାକୁ ଦୃଷ୍ଟିରେ ରଖି ଆଜି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଆଜି ସଂଧ୍ୟାସୁଦ୍ଧା ପାଖାପାଖି ୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ।

ମେ’ ମାସରେ କେବେ ଓ କେଉଁଠି ହୋଇଥିଲା ବାତ୍ୟା ?

ମେ’ ମାସରେ ବାତ୍ୟା, ଏଥିପାଇଁ କେବଳ ବିଶ୍ୱ ଜଳବାୟୁରେ ପରିବର୍ତ୍ତନ ହିଁ ଦାୟୀ। ପୂର୍ବରୁ ମେ’ ମାସରେ ବି ବାତ୍ୟା ହୋଇଛି।  ୧୮୯୩, ୧୯୧୪, ୧୯୧୭, ୧୯୮୨, ୧୯୮୯ ମେ’ମାସରେ ବାତ୍ୟା ହୋଇଥିବା ଜଣାପଡ଼ୁଛି। କେବଳ ଓଡ଼ିଶା ନୁହେଁ ଦେଶ ଓ ବିଶ୍ୱର ଅନେକ ରାଷ୍ଟ୍ରରେ ମଧ୍ୟ ଏପ୍ରିଲ ଏବଂ  ମେ’ ମାସରେ ବାତ୍ୟା ହୋଇଛି।

Comment