ଓଡ଼ିଶାଲାଇଭ ବ୍ୟୁରୋ

‘‘ଝଡ଼ ଦିନ ବାପାଙ୍କ ଉପରେ ଗଛ ଡ଼ାଳ ପଡ଼ିଲା। ବାପାଙ୍କୁ ଡାକ୍ତରଖାନା ନେବାକୁ ଆମ୍ବଲାନ୍ସକୁ ଫୋନ କଲୁ। ହେଲେ ରାସ୍ତାରେ ଗଛ ପଡ଼ିଥିବାରୁ ଆମ୍ବୁଲାନ୍ସ ଆସିଲାନି। ପ୍ରବଳ ଝଡ଼ ବର୍ଷାରେ ପଡ଼ୋଶୀ ଘରକୁ ବାପାଙ୍କୁ ଟେକି ଟେକି ନେଇଗଲୁ। ହେଲେ କିଛି ଲାଭ ହେଲା ନାହିଁ ଶେଷରେ ବାପା ଆଖି ବୁଜି ଦେଲେ’’ , ଏହି କଥା ଜଣେ ଝିଅର ଯିଏ ଫନିରେ ବାପାଙ୍କୁ ହରାଇ ବାପଛେଉଣ୍ଡ  ହୋଇଛନ୍ତି।

ସାମୁଦ୍ରିକ ଝଡ଼ ଫନିରେ ପୁରୀ ଜିଲ୍ଲା ଡେଲାଙ୍ଗ, ରେଞ୍ଚାରେ ଘଟିଥିଲା ଏହି ହୃଦୟ ବିଦାରକ ଘଟଣା। ପବନ ପ୍ରଭାବରେ ନିଜ ଘର ଭାଙ୍ଗୁ ଥିବାର ଦେଖି ଅନ୍ୟ ଏକ କୋଠା ଘର ଦେଖିବାକୁ ଯାଇଥିଲେ। ହେଲେ ଆଉ ଫେରିଲେନି। ଘର ଆଗରେ ଥିବା ଗଛର ଡାଳ ବ୍ୟକ୍ତିଙ୍କ ଉପରେ ପଡ଼ିଥିଲା। ରାସ୍ତାରେ ଗଛ ଭାଙ୍ଗ ପଡ଼ିରହିଥିବାରୁ ଆମ୍ବୁଲାନ୍ସ ବି ଆସିନଥିଲା। ଚିକିତ୍ସା ଅଭାବରୁ ଅକାଳରେ ଆଖି ବୁଜି ଦେଇଥିଲେ ବ୍ୟକ୍ତି ଜଣକ।

‘‘ପିପିଲି ହାଟରୁ ପାନ ଆଣୁଥିଲେ। ପାନ ବିକ୍ରି କରି ପେଟ ପୋଷୁଥିଲୁ। ସେ ହିଁ ଆମର ଏକମାତ୍ର ସାହା ଭରସା ଥିଲେ’’, କହିଛନ୍ତି ମୃତ ବ୍ୟକ୍ତିଙ୍କ ସ୍ତ୍ରୀ।

ଫନିରେ ମୃତ୍ୟୁ ଘଟିଥିବା ଏହି ବ୍ୟକ୍ତିଙ୍କର ୪ ଝିଅ ଗୋଟିଏ ପୁଅ। ପୁଅଟି ଝିଅମାନଙ୍କଠାରୁ ସାନ। ଏଯାଏଁ ରୋଜଗାର କ୍ଷମ ବି ହୋଇନାହିଁ। ଜଣେ ଝିଅର ବିବାହ ହୋଇଥିଲା ବେଳେ ଘରେ ଆହୁରି ୩ ଝିଅ।  ସମ୍ପୂର୍ଣ୍ଣ ପରିବାର ନିର୍ଭର କରୁଥିଲା ତାଙ୍କ ଉପରେ। ହେଲେ ଫନିରେ ଚାଲିଗଲା ଜୀବନ। ନିସହାୟ ହୋଇଗଲା ପରିବାର।

ଏବେ କେମିତି ଚଳିବ ସଂସାର। ସେହି ଚିନ୍ତାରେ ପୂରା ପରିବାର।

ଝଡ଼ ଫନି ନେଇଛି ପୁରୀରେ ଅନେକ ଜୀବନ। ଅନେକ ଫନିରେ ଆପଣା ଲୋକଙ୍କୁ ହରେଇଛନ୍ତି। ସମ୍ପୂର୍ଣ୍ଣ ଜିଲ୍ଲାରେ ଫନି ଯୋଗୁଁ ୨୧ ଜଣ  ଲୋକ ପ୍ରାଣ ହରାଇଥିଲେ। ମେ’୩ରେ ପୁରୀରେ ଲାଣ୍ଡଫଲ କରିଥିଲା ଫନି। ସକଳା ୮ ବେଳକୁ ଆରମ୍ଭ ହୋଇଯାଇଥିଲା ବାତ୍ୟାର ପ୍ରକୋପ। ଯାହା ଆକଳନ କରାଯାଉଥିଲା ତା’ଠୁ ଢ଼େର ଅଧିକ ଥିଲା ପବନର ବେଗ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment