ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ ଯେ ମୋଦିଙ୍କ ପାଇଁ ଘାତକ ସାବ୍ୟସ୍ତ ହେବ ସେଭଳି ଏକ ସମ୍ଭାବନା ନଥିଲେ ମଧ୍ୟ, ଏହିଭଳି ଏକ ପରିସ୍ଥିତି ଯେ ସୃଷ୍ଟି ନହେବ ସେ କଥା କହିହେବ ନାହିଁ। କାରଣ ନିର୍ବାଚନ ଫଳାଫଳ କଥା କିଛି କହି ହେବନାହିଁ। ମୋଦିଙ୍କ ହାର-ଜିତକୁ ନେଇ ସଟ୍ଟା ବଜାରରେ ଢେର ଉତୁରା ଚଢ଼ା  ବି ଲାଗିଛି। ତିନି ମାସ ତଳେ ଯେଉଁମାନେ ମୋଦିଙ୍କ ଜିତିବା ଉପରେ ଭରସା ରଖୁ ନଥିଲେ ସେମାନେ ତାହା ଏବେ କରିବାକୁ ଆରମ୍ଭ କଲେଣି। ବାଲାକୋଟ ଆକ୍ରମଣ ପରେ ସଟ୍ଟା ବଜାର ଏବେ ଖୁବ୍ ଉତ୍ସାହିତ ହୋଇପଡ଼ିଥିବା ଦେଖାଯାଉଛି।

ମାଧବ ଉବାଚ

ଅନ୍ୟ କେହି କହୁ କି ନକହୁ ବିଜେପି ନେତା ରାମ ମାଧବ କିନ୍ତୁ ଖୋଲା ଖୋଲି କହୁଛନ୍ତି ଯେ ପରବର୍ତ୍ତୀ ସରକାର ଗଢିବା ପାଇଁ ତାଙ୍କ ଦଳକୁ ଅଂଶୀଦାର ଦଳଙ୍କ ସାହାଯ୍ୟ ନେବାକୁ ପଡ଼ିବ। ଏହି ଖବରରେ ଏନଡିଏର ସହଯୋଗୀ ଦଳ ବେଶ୍ ଖୁସି ଅଛନ୍ତି। କାରଣ ଗତ ସରକାରରେ ଯେଉଁ ମୂଲଚାଲ କରିପାରିନଥିଲେ ତାହା ଏଥର କରିବେ। ତେବେ ଏସବୁ କେବଳ ଅନୁମାନ ମାତ୍ର। ମୋଟାମୋଟି ମତ ପ୍ରକାଶ ପାଇଛି ଯେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଫେରୁଛନ୍ତି। ହୁଏତ କିଛି ଆସନ କମିପାରେ।

ଆସନ କମିଲେ …

ମୋଦି ଯଦି ଜିତନ୍ତି ଓ ଏନଡିଏକୁ  ୨୦୦ରୁ କମ ଆସନ ପ୍ରାପ୍ତ ହୁଏ, ଗୋଟିଏ ବଡ଼ କଥା ହେବ ଯେ କିଛି ପରିମାଣରେ  ମୋଦିଙ୍କ ପକ୍ଷ ଛେଦନ ହେବ। କିନ୍ତୁ ପୁଣି ବିଜେପି ଓ ଅନ୍ୟ ସହଯୋଗୀ ଦଳ ଦେଶର ଭାଗ୍ୟ ବିଧାତା ହେବେ। ସେହି ପରିସ୍ଥିତିରେ ବିଜେପି ବାଲା ବେଶୀ ବାଣ ଫୁଟେଇବେ ନାହିଁ କି ‘ହାଓ ଇଜ ଦ ଜୋଶ’ ଏଭଳି ପ୍ରଶ୍ନ ପଚାରିବାକୁ ସାହସ କରିବେ ନାହିଁ। ଖାଲି ଯାହା ବିଜେପି ନେତାମାନେ ଆଶ୍ୱସ୍ତ  ହେବେ ଓ ବିରୋଧୀ ଦଳ ସେମାନଙ୍କର ନୈତିକ ବିଜୟ ହେଲା ବୋଲି ଘୋଷଣା କରିବେ।

ପରାଜୟ ନୁହଁ ମୁଖଲଜ୍ଜା

ଯଦି ୨୦୦ ପାଖାପାଖି ଆସନ ମୋଦିଙ୍କୁ ମିଳେ ଏହାକୁ ପରାଜୟ କୁହାଯିବ ନାହିଁ, ମୁଖଲଜ୍ଜା କୁହାଯିବ। ଯାହା ଅନୁମାନ କରାଯାଉଛି ମେଣ୍ଟ ସରକାର ହେଲେ କିଛି ସପ୍ତାହ ପାଇଁ ମୋଦି ଚୁପଚାପ ବସିବେ ଓ ପୁଣି ତାଙ୍କ ଷ୍ଟାଇଲରେ କାମ କରିବା ଆରମ୍ଭ କରିବେ। କିନ୍ତୁ ବିଜେପିକୁ ଯଦି ମାତ୍ର ୧୭୫ ଆସନ ମିଳେ ଓ ସରକାର ଗଠନ ପାଇଁ ଆଉ ୧୦୦ଟି ଆସନ ଲୋଡ଼ା ପଡେ, ତେବେ ଏହା ନିଶ୍ଚିତ ଯେ ଆମେ ଆଉ ଜଣକୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବା। ମେ ୨୩ ତାରିଖରେ ଯଦି ଆମେ ପ୍ରକୃତରେ ଶୁଣିବା ଯେ ମୋଦି : ଗଲେ’ ତେବେ ଦେଶର ସ୍ଥିତି କ’ଣ ହେବ ତାହାର ଏକ ଆକଳନ କରାଯାଇପାରେ।

ବଜାର ସ୍ଥିତି

ମୋଦିଙ୍କ ହାରିବା ପରେ ପ୍ରଥମ ପ୍ରତିକ୍ରିୟା ଆସିବ ଷ୍ଟକ ମାର୍କେଟରୁ। ବାମପନ୍ଥୀ ସମର୍ଥିତ ସରକାରକୁ ସବୁବେଳେ ନାକ ଟେକୁଥିବା ସେୟାର ବଜାରରେ ସେନସେକ୍ସ ରସାତଳଗାମୀ ହେବ। ଏପରିକି କାରବାର ବି ବନ୍ଦ ହୋଇଯାଇପାରେ। କାରଣ ମୋଦିଭକ୍ତମାନେ ତାଙ୍କ ପରାଜୟକୁ ଏତେ ସହଜରେ ଗ୍ରହଣ କରିବେ ନାହିଁ। ଏମିତି ମନେ ହେବ  ଯେ ଦେଶକୁ ଏକ ବଡ଼ ବିପର୍ଯ୍ୟୟ ଆସିଛି  ଯେଉଁଥିରୁ କି ମୁକୁଳିବା କଷ୍ଟ। ତେବେ ଷ୍ଟକ ମାର୍କେଟର କେହି ସ୍ଥାୟୀ ବାପା ମା’ ନଥାନ୍ତି। ଏଣୁ ଦୁଇ ତିନି ଦିନ ପରେ ସବୁ କିଛି ଠିକ୍ ହୋଇଯିବ।

ଅର୍ଥନୀତି କୁଆଡ଼େ ଯିବ?

ମୋଦି ହାରିଲେ ଦେଶର ଅର୍ଥନୀତିର ଅବସ୍ଥା କ’ଣ ହେବ? ବିଜେପି ନେତା କହିବା ଆରମ୍ଭ କରିବେ ଯେତେ ଭଲ କାମ ହୋଇଥିଲା ସବୁ ନଷ୍ଟ ହୋଇଯିବ। ଯଦି ବିକାଶ ପୁରୁଷ ଗଲେ ଭାରତକୁ ଆଉ କିଏ ରକ୍ଷା କରିବ ଏହି ପ୍ରଶ୍ନ ଚାରିଆଡ଼େ ଗୁଞ୍ଜରିତ ହେବ। କିନ୍ତୁ କଥା ହେଉଛି, ମୋଦି ଯଦି ସେଭଳି କିଛି ଆଶ୍ଚର୍ଯ୍ୟ ଛାଡ଼ି ଯାଇ ଥାଆନ୍ତେ ହୁଏତ ଦୁଃଖ କରିବା ଯଥାର୍ଥ ହୁଅନ୍ତା। ବାସ୍ତବ କଥା ହେଉଛି, ମୋଦିଙ୍କ ଯାଗାରେ ଯିଏ ବି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ସେୟା ହିଁ ହୋଇଥାନ୍ତା – ୫/୬ ପ୍ରତିଶତ ଅଭିବୃଦ୍ଧି। ବରଂ ନୋଟବନ୍ଦୀ ବା ବିମୁଦ୍ରାକରଣ ନହୋଇଥିଲେ ଅଭିବୃଦ୍ଧି ୭ ପ୍ରତିଶତ ଟପିଥାନ୍ତା।

ବାକି ଯାହା ରହିଲା…

ଅର୍ଥନୀତିକୁ ଛାଡ଼ିଦେଲେ ବାକି ଯାହା ରହିଲା ସେଥିରେ ଯିଏ ସରକାର ଗଢୁ ନା କାହିଁକି ବିଶେଷ କିଛି ଫରକ ପଡ଼ିବ ନାହିଁ। କାରଣ ଜିଏସଟି ଭଲ ଚାଲିଛି, ଏଟିଏମରୁ ଟଙ୍କା ଠିକ୍ ବାହାରୁଛି, ଲୋକେ ଯାଇତାଇ ରୋଜଗାର କରୁଛନ୍ତି, ଧନୀଲୋକ ଧନୀ ହେଉଛନ୍ତି। କେବଳ ସମସ୍ୟା ହେଉଛି ଚାକିରୀ। ଯିଏ  ବି ନୂଆ ସରକାର କରୁ ଚାକିରୀ ଉପରେ ଗୁରୁତ୍ୱ ଦେବାକୁ ବାଧ୍ୟ।

କଂଗ୍ରେସ ଆସିବ କି?

ଯଦି କଂଗ୍ରେସକୁ ୧୨୫5ରୁ ୧୩୦ ଆସନ ମିଳେ, ଧରି ନିଅନ୍ତୁ କଂଗ୍ରେସ ନେତୃତ୍ୱରେ ୟୁପିଏ ଭଳି ଏକ ସରକାର ଗଠନ ହେବ। ଯେଉଁମାନେ ମୋଦିଙ୍କୁ ଘୃଣା କରନ୍ତି ସେମାନେ ଏକାଠି ହେବେ କିମ୍ବା ସରକାରକୁ ବାହାରୁ ସମର୍ଥନ ଦେବେ।ଯଦି ତାହା ହିଁ ହୁଏ, ସେହି ସରକାରଟି  ବେଶି ଦିନ ତିଷ୍ଠି ନପାରେ। ଅନ୍ୟ ବିକଳ୍ପଟି ହେଉଛି ତୃତୀୟ ସାମ୍ମୁଖ୍ୟର ନେତୃତ୍ୱରେ ସରକାର ଗଠନ ଓ କଂଗ୍ରେସ ପକ୍ଷରୁ ବାହାରେ ଥାଇ ସମର୍ଥନ। ସତ କହିଲେ, ମୋଦିଙ୍କ ପରାଜୟର ସବୁଠାରୁ ଘାତକ ପରିଣାମ ହେବ ଯଦି ଦେଶରେ ତୃତୀୟ ସାମ୍ମୁଖ୍ୟ ସରକାର କରେ। ଏକେତ ଏହି ସରକାର ଅଧିକ ଦିନ  ତିଷ୍ଠି ରହି ପାରିବ ନାହିଁ, ଅଧିକନ୍ତୁ ଦେଶର କୌଣସି ନୀତିଗତି ରହିବ ନାହିଁ। ସୁତରାଂ, ବିଜେପି ପରେ ଦ୍ୱିତୀୟ ବୃହତ୍ତମ ଦଳକୁ କେତୋଟି ଆସନ ମିଳୁଛି ତାହା ଉପରେ ସବୁ କିଛି ନିର୍ଭର କରିବ।

ଦିହିଁଙ୍କର କ’ଣ ହେବ?

ଯଦି ମୋଦି ହାରନ୍ତି  ବିଜେପି ରାଜନୀତିରେ କଣ ସବୁ ଘଟିବ? ମୋଦି ଯଦି ହାରନ୍ତି ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଛୁଟି ହେବା ନିଶ୍ଚିତ। ସେ ୨୦୨୨ରେ ଆଉ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ହୋଇପାରିବେ ନାହିଁ। ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କର କ’ଣ ହେବ? ସେ ପୂର୍ବବତ ରହିବେ ନା ସଭାପତି ପଦରୁ ବିଦାୟ ନେବେ? ସବୁଠୁ ବଡ଼ କଥା ମୋଦିଙ୍କର କ’ଣ ହେବ? ୨୦୦୧ ପର ଠାରୁ ଯିଏ କେବେ ବି କ୍ଷମତା କେନ୍ଦ୍ରର ବାହାରେ ରହିନାହାନ୍ତି ସେ ଏହି ପରାଜୟକୁ କେମିତି ନେବେ? ମୋଦିଙ୍କ ୫୬ ଇଞ୍ଚ ଛାତି ଏହି ଗ୍ଲାନିକୁ ସହିପାରିବ ତ ?

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment