ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

‘‘ବିଜୁ ଜନତା ଦଳ ଏଥର ଓଡ଼ିଶା ବିଧାନସଭାରେ ମ୍ୟାଜିକ ନମ୍ବର ହାସଲ କରି ନପାରେ। ୬୮ରୁ ୭୦ ଭିତରେ ରହିବ ବିଜେଡି। ସେହିପରି ବିଜେପି ୫୦ରୁ ୫୫ ଆସନ ପାଇବ। କଂଗ୍ରେସ ଏବଂ ଅନ୍ୟମାନେ କିଛି ଆସନ ପାଇବେ। ଫଳରେ ଓଡ଼ିଶାରେ ଝୁଲା ବିଧାନସଭା ହେବ’’, ଓଡ଼ିଶାଲାଇଭ୍‌କୁ କହିଛନ୍ତି ବିଜେପିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ।

ରବିବାର ଦେଶରେ ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ନ୍ୟୁଜ ଚ୍ୟାନେଲ ଏବଂ ସଂସ୍ଥା ପକ୍ଷରୁ କରାଯାଇଥିଲା ଏକ୍‌ଜିଟ୍‌ ପୋଲ। ଏହି ଏକ୍‌ଜିଟ୍‌ ପୋଲରେ ଆକଳନ କରାଯାଇଛି ଯେ କେନ୍ଦ୍ରରେ ଏନଡିଏ ସରକାର ଗଢ଼ିବ। ଓଡ଼ିଶା ପରିପ୍ରେକ୍ଷୀରେ ଆକଳନ ହୋଇଛି ଯେ ଏଠି ବିଜେପି ୧୦ରୁ ଅଧିକ ଲୋକସଭା ଆସନ ପାଇବ।

ଏକ୍‌ଜିଟ୍‌ ପୋଲ ଆକଳନ ପରେ ଓଡ଼ିଶାଲାଇଭ୍‌ ଟିମ୍ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ଭେଟିଥିଲା।

ଦାମ କହିଛନ୍ତି, ‘‘କେନ୍ଦ୍ରରେ କ’ଣ ହେବ ତାହା କହି ପାରିବିନି। କିନ୍ତୁ ଓଡ଼ିଶାରେ ମୁଁ ଦୀର୍ଘ ବର୍ଷ ହେଲା ରାଜନୀତି କରୁଛି ଏଠି ଚିତ୍ର କ’ଣ ହେବ ତାହା ସ୍ପଷ୍ଟ ଦେଖାଯାଉଛି। ବିଜେପି ଏଥର ୧୨ରୁ ଅଧିକ ଲୋକସଭା ଆସନ ପାଇବ। ଏହାର ପ୍ରତିଫଳନ ବିଧାନସଭା ଆସନରେ ପଡ଼ିବ। ବିଜେପି ମିଶନ ୧୨୦ର ଲକ୍ଷ୍ୟ ରଖିଥିଲା। ହେଲେ ତାହା ସମ୍ଭବ ହେବନି। ୫୦ରୁ ୫୫ ଆସନ ପାଇବ ବିଜେପି। ବିଜେଡି ଏକକ ସଂଖ୍ୟା ଗରିଷ୍ଠତା ପାଇବ ନାହିଁ।’’

‘‘ନବୀନ ବାବୁ ଚାରି ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଛନ୍ତି। କିନ୍ତୁ ଶେଷ ପାଳିର ମୁଖ୍ୟମନ୍ତ୍ରୀତ୍ୱ ସମୟରେ ତାଙ୍କ ବିରୋଧରେ ବହୁ ଦୁର୍ନୀତି ଅଭିଯୋଗ ଆସିଛି। ଏଥର ନିର୍ବାଚନ ଉପରେ ଏହାର ପ୍ରଭାବ ପଡ଼ିିଛି।’’, କହିଛନ୍ତି ଦାମ।

ସେହିପରି କଂଗ୍ରେସ ଗୋଟିଏ କିମ୍ବା ଦୁଇଟି ଲୋକସଭା ଆସନ ପାଇବ ବୋଲି ଦାମ କହିଛନ୍ତି।

Comment