ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ପାଣିପାଗ ବିଭାଗ ସୂଚନା ଅନୂଯାୟୀ ସୋମବାର ରାଜ୍ୟର ୯ଟି ସହରରେ ପାରଦ ୪୦ଡିଗ୍ରୀ ଟପିଛି। ଏହାସହିତ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ପାର କରିସାରିଲାଣି। ଖରା ଗରମ ଯୋଗୁଁ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ଆସୁଥିବା ଅଭିଯୋଗ ଆସିବା ଆରମ୍ଭ ହୋଇଗଲାଣି। ଏହାସହିତ ଯେଉଁଭଳି ଖରାଗରମ ଲାଗି ରହିଛି ସେଥିରୁ ଅଂଶୁଘାତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ତେବେ ଆସନ୍ତୁ ଜାଣିବା କେତେବେଳେ ଅଂଶୁଘାତ ହୋଇଥାଏ ଏବଂ ଅଂଶୁଘାତରୁ ଆମେ କିପରି ନିଜକୁ ରକ୍ଷା ପାଇପାରିବା।

କିପରି ହୋଇଥାଏ ଅଂଶୁଘାତ?

ଦୀର୍ଘ ସମୟ ଧରି ଖରାରେ ବା ଅଧିକ ତାପମାତ୍ରାରେ ରହିଲେ ଶରୀରରୁ ଜଳୀୟ ଅଂଶ କମି ଯାଇଥାଏ। ଏହା ଯୋଗୁଁ ମୁଣ୍ଡ ବୁଲାଇବା, ମୁର୍ଚ୍ଛା ହୋଇଯିବା, ବାନ୍ତି ହେବା, ଚାଲିବାରେ ଅସୁବିଧା ଅନୁଭବ କରିବା ପରି ବହୁ ଲକ୍ଷଣ ଦେଖାଯାଏ। ଅଂଶୁଘାତର ଲକ୍ଷଣ ଅଧିକ ହେଲେ ସମ୍ପୂର୍ଣ କୋମା କିମ୍ବା ମୃତ୍ୟୁର ଆଶଙ୍କା ମଧ୍ୟ ଥାଏ। ଅଂଶୁଘାତ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକମାନଙ୍କୁ ହୋଇପାରେ।

କିପରି ଅଂଶୁଘାତରୁ ରକ୍ଷା ପାଇବା

ଅଂଶୁଘାତରୁ ରକ୍ଷା ପାଇବା ପାଇଁ ନିମ୍ନଲିଖିତ ନିୟମ ପାଳନ କରନ୍ତୁ;

  • ଖରାକୁ ବାହାରନ୍ତୁ ନାହିଁ। ବାହାରକୁ ଯାଉଥିଲେ ମୁଣ୍ଡରେ ଓଦା ଗାମୁଛା କିମ୍ବା ଛତା, ଚପଲ, କଳା ଚଷମା ଇତ୍ୟାଦି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ।
  • ଘରେ ଟିଣ ବା ଆଜବେଷ୍ଟ ଛାତ ଥିଲେ ତା ଉପରେ ନଡା ପକାନ୍ତୁ।
  • ପ୍ରଚୁର ପରିମାଣରେ ପାଣି, ତୋରାଣି, ଘୋଳଦହି, ସର୍ବତ ପିଅନ୍ତୁ। ଶରୀରରେ ଜଳୀୟ ଅଂଶ ସର୍ବଦା ଅଧିକ ରହିବା ଆବଶ୍ୟକ। ଫାଷ୍ଟଫୁଡ୍‌ ଠାରୁ ଦୂରେଇ ରୁହନ୍ତୁ।
  • ହାଲିଆ ଲାଗିଲେ ଗଛ ଛାଇ ବା ପବନ ଚଳାଚଳ ହେଉଥିବା ସ୍ଥାନରେ ବିଶ୍ରାମ ନିଅନ୍ତୁ।
  • କୌଣସି ବ୍ୟକ୍ତିଙ୍କ ଠାରେ ଅଂଶୁଘାତର ସନ୍ଦେହ ଦେଖିଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ।

Comment