ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

“ଓଡ଼ିଶାରେ ମୋଦି ଲହର ନୁହଁ ବିଜୁ ଲହର କାମ କରିଛି, ଏହା କହିଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ।”

ବିଜେପିରେ ଥାଇ ମଧ୍ୟ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କୁ ସୁହାଇଲା ଭଳି ମତ ରଖିଥିବାରୁ ସେ ପୁଣି ବିଜେଡିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏଥର ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି ବରିଷ୍ଠ ନେତା ଦାମୋଦର ରାଉତଙ୍କୁ। ସେ ଏଥର ବାଲିକୁଦ-ଏରସମା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ତାଙ୍କ ବିପକ୍ଷରେ ବିଜେଡିର ପ୍ରାର୍ଥୀ ହୋଇଥିଲେ ରଘୁନନ୍ଦନ ଦାସ, ଯେ ଏଥର ନିର୍ବାଚନ ଜିତିଛନ୍ତି।

ବିଜୁ ପଟ୍ଟନାୟକ ଅମଳରୁ ବିଜେଡିରେ ଥିବା ଡାକ୍ତର ଦାମୋଦର ରାଉତ ପ୍ରଥମ ଥର ଲାଗି ଦଳ ବଦଳାଇ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ଫଳାଫଳ ଆସିବା ପରେ ତାଙ୍କୁ ଭେଟିଥିଲେ ଆମ ପ୍ରତିନିଧି। ସେ କାହିଁକି ହାରିଲେ କେଉଁଠି ଭୂଲ ରହିଲା ସେ ସମ୍ପର୍କରେ କହିଛନ୍ତି।

ଓଡ଼ିଶାରେ ସାଇଲେଣ୍ଟଲି ବିଜୁ ଲହର କାମକରେ

ଏଥର ନିର୍ବାଚନ କାହିଁକି ହାରିଲେ ତାହାର ଉତ୍ତରରେ ଦାମ ରାଉତ କହିଛନ୍ତି, “ସାରା ଦେଶରେ ମୋଦି ଲହର କାମ କରିଛି। ମାତ୍ର ଓଡ଼ିଶାରେ କାମ ଦେଲାନି.। ମତେ ଲାଗୁଛି ଏବେବି ଓଡ଼ିଶାରେ ସାଇଲେଣ୍ଟଲି ବିଜୁ ଲହର କାମ କରୁଛି। ତେଣୁ ଓଡ଼ିଶାର ଲୋକ ଚାହିଁଲେନି ଯେ ଓଡ଼ିଶାରେ ମୋଦି ଲହର କାମ ଦେଉ। ଦ୍ଵିତୀୟ କାରଣଟି ହେଉଛି ମୋ ପରାଜୟ। ”

 ନବୀନଙ୍କ ପଟ୍ଟନାୟକଙ୍କ ବିରୋଧରେ ମୋର କିଛି ନଥିଲା

“ବିଜେଡିରୁ ବହିଷ୍କୃତ ହେବା ପରେ ମୁଁ ବର୍ଷେ 4 ମାସ ପର୍ଯ୍ୟନ୍ତ କୌଣସି ଦଳରେ ଯୋଗ ଦେଇନଥିଲି। ମୁଁ କୌଣସି ଦଳକୁ ଯାଇନଥିଲି। ସୂନନା ଅଧିକାରୀ କର୍ମୀଙ୍କ ସହି ଶାସନ ବ୍ୟବସ୍ଥାରେ ଭ୍ରଷ୍ଟାଚାର, ଦୁର୍ନୀତି ଓ ମହିଳା ମାନଙ୍କ ପ୍ରତି ଅସମ୍ମାନ ବାବଦରେ ଲୋକଙ୍କୁ ବୁଝାଉଥିଲା। ମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛି ନଥିଲା। ଏହାରି ଭିତରେ ଯେତେବେଳେ ଭାରତୀୟ ଜନତା ପାର୍ଟି ମତେ ତାଙ୍କ ଦଳରେ ଯୋଗ ଦେବାଲାଗି ନିମତନ୍ତ୍ର କରିଥିଲେ, ତାଙ୍କ ସାଙ୍ଗରେ ମିଶିଲି। ମୋର ଲକ୍ଷ୍ୟ ଥିଲା ବ୍ୟବସ୍ଥାର ପରିବର୍ତ୍ତନ। ବିଜେପିର ଲକ୍ଷ୍ୟ ଥିଲା ୧୨୦ପ୍ଲସ। ଯାହା ମୋର ଲକ୍ଷ୍ୟ ନଥିଲା” ଏହା କହିଛନ୍ତି ଦମୋଦର ରାଉତ

“ନିର୍ବାଚନ ଫଳାଫଳରୁ ଜଣାପଡ଼ୁଛି ମୁଁ ଅନେକ ଭୋଟ ବ୍ୟବଧାନରେ ହାରିଛି। ହାରିବାର ଅନେକ କାରଣ ରହିଛି। ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଦୁଇଟି ଜିଲ୍ଲାରେ ଲୋକେ ବିଜୁ ପଟ୍ଟନାୟକଙ୍କ ବ୍ୟତିତ ଅନ୍ୟକାହାକୁ ଗ୍ରହଣ କରିନାହାନ୍ତି। ତେଣୁ ଯେହେତୁ ମୁଁ ବିଜେଡି ଦଳକୁ ଛାଡି ଅଲଗା ଦଳରୁ ନିର୍ବାଚନ ଲଢ଼ିଲି ସେଥିଲାଗି ନିର୍ବାଚନ ହାରିଯାଇଥାଇ ପାରେ। ଅନ୍ୟ କାରଣ ହୋଇଥାଇପାରେ ବ୍ୟବସ୍ଥାରେ କିଛି ଭୂଲ। ତେବେ ଯାହା ବି ହେଉ ଲୋକଙ୍କ ନିଷ୍ପତ୍ତି ଉଚିତ ବିଚାରରେ ହୋଇଛି। ଯଦି ଲୋକେ ଭୂଲ କରିଥାନ୍ତି ଅନୁତାପ କରିବେ, ଯଦି ବ୍ୟବସ୍ଥାରେ ଭୂଲ ହୋଇଛି ତାହା ଭବିଷ୍ୟତରେ ଜଣାପଡ଼ିବ।” ଓଡ଼ିଶାଲାଇଭକୁ ଏହା କହିଛନ୍ତି ଡାକ୍ତପ ଦମୋଦର ରାଉତ।

‘ବିଧାନସଭା ଆସନରେ ମୋଦିଲହର କାମ ଦେଲାନି’

“ମୁଁ କହୁଥିଲି ଝୁଲା ସରକାର ହେବ। କଥା କହୁଥିଲି, ଭାରତୀୟ ଜନତା ପାର୍ଟି ନିଶ୍ଚିତ ସରକାର ଗଢ଼ିବେ ବୋଲି କହୁଥିଲେ। ପରିସ୍ଥିତି ବି ସେମିତି ଜଣାପଡ଼ୁଥିଲା। ୨୦୧୪ ରେ ବିଜେପିକୁ ଲୋକସଭାରେ ଗୋଟିଏ ସିଟରେ ବିଜୟ ମିଳିଥିବା ବେଳେ ଏଥର ଫଳାଫଳ ଅନୁସାରେ ବିଜେପି ୧ରୁ  ୮ ରେ ପହଞ୍ଚିଛି। ମାତ୍ର ବିଧାନସଭାରେ କ୍ଷେତ୍ରରେ ମୋଦି ଲହର କାମ ଦେଲାନି। ଓଡ଼ିଶାବାସୀ ବିଜୁମୟ ଓଡ଼ିଶାକୁ ମୋଦି ମୟ କରିବାକୁ ଚାହିଁଲେନି।”

“ମୁଁ ବୁଝିଛି ନିର୍ବାଚନରେ ହାର ଜିତ୍ ନଥାଏ। ଏହା ଏକ ପ୍ରକ୍ରିୟା ମାତ୍ର। ଲୋକଙ୍କ ସେବା ହିଁ ପ୍ରାଥମିକତା ହେବା ଦରକାର। ମୁଁ ଏହା କରିଆସିଛି।” ନିର୍ବାଚନ ହାରିବାପରେ ଏହା କହିଛନ୍ତି ଦାମୋଦର ରାଉତ।

ପୁଅ ସମ୍ବିତ ରାଉତ ଜିତିବା ପରେ କେତେ ଖୁସି ପ୍ରଶ୍ନରେ ସେ କହିଛନ୍ତି,“ମୋ ପୁଅ ଜିତିଛି ବୋଲି ଯେତିକି ଖୁସି ନୁହଁ, ପାରାଦୀପ ହେଉଛି ବିଜୁ ବାବୁଙ୍କ ସ୍ମୃତିର ଚିହ୍ନ ଆଉ ପାରାଦୀପବାସୀ ତାହାକୁ ମନେ ରଖି ମୋ ପୁଅକୁ ମନେ ରଖିଛନ୍ତି ସେଥିପାଇଁ ମୁଁ ଅଧିକ ଖୁସି ଅଛି।”

ମୁଁ ଲୋକଙ୍କ ସହ ଅଛି ଓ ରହିବି

“ଯାହା ହୋଇଛି ସେଥିପାଇଁ ମୁଁ ଅନୁତପ୍ତ ନୁହଁ। ଯେଉଁ ଲୋକମାନଙ୍କୁ ମୁଁ ଭଲପାଏ, ଯେଉଁମାନେ ମତୋ ଗଲାର ମାଳିକରିଥାନ୍ତି। ସେମାନେ ମତେ ଭୋଟ ଦେଇନାହାନ୍ତି ତାହାକୁ ମୁଁ ବିଶ୍ଵାସ କରିପାରୁନାହି। ମୁଁ ବିଜେଡି ଛାଡି ବିଜେପିରେ ଯୋଗ ଦେଲି ସେଥିଲାଗି ଲୋକେ ମତେ ଭୋଟ ଦେଇନାହାନ୍ତି, ଏହା ଭାବି ନେବି। ଲୋକଙ୍କ ପାଇଁ ଥିଲି ଅଛି ଆଉ ରହିବ ବୋଲି କହିଛନ୍ତି ଦାମ ରାଉତ।”

Comment