ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଆଜି ସନ୍ଧ୍ୟା ବେଳକୁ ରାହୁଲଙ୍କ ଇସ୍ତଫା ସଂକ୍ରାନ୍ତ ନିଷ୍ପତ୍ତିର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବା ଆଶା କରାଯାଉଛି।

ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ଇସ୍ତଫା ଉପରେ ଅଟଳ ଅଛନ୍ତି। ଏହି ପରିସ୍ଥିତିରେ ମଙ୍ଗଳବାର ସନ୍ଧ୍ୟାରେ ସେ ତାଙ୍କ ବାସଭବନରେ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି। ଆଜି ସକାଳୁ ସକାଳୁ ରାହୁଲଙ୍କ ବାସଭବନକୁ  ଦଳର ବରିଷ୍ଠ ନେତାଙ୍କ ଯିବା ଆସିବା ବଢ଼ିଯାଇଛି।

ରାହୁଲ ନିଜ ଇସ୍ତଫା ଫେରାଇ ନେବା ପାଇଁ ତାଙ୍କୁ ବୁଝାଇବାରେ ଲାଗିପଡିଛନ୍ତି ନେତା। ମଙ୍ଗଳବାର ସକାଳେ ଭଉଣୀ ପ୍ରିୟଙ୍କାଙ୍କ ବ୍ୟତୀତ ରଣଦୀପ ସୁରେଜୱାଲା, ଅହମ୍ମଦ ପଟେଲ ଓ ସଚିନ ପାଇଲଟ ପ୍ରମୁଖ ରାହୁଲଙ୍କୁ ବୁଝାଇବା ଥିବା ଜଣାପଡ଼ିଛି।ମିଡ଼ିଆ ରିପୋର୍ଟ ଅନୁସାରେ କେତେକ ସର୍ତ୍ତରେ ରାହୁଲ ଇସ୍ତଫା ଫେରାଇ ନେଇ ପାରନ୍ତି। ସୋମବାର ଦିନ କିଛି ନେତା ରାହୁଲଙ୍କୁ ଭେଟିବା ପାଇଁ ଚାହିଁଥିଲେ କିନ୍ତୁ ସେମାନଙ୍କୁ ଫେରାଇ ଦିଆ ଯାଇଥିଲା। ଏପରିକି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବି ରାହୁଲ ଦେଖା ଦେଇନଥିଲେ।

ଖବର ଆସୁଛି କଂଗ୍ରେସର କିଛି ବରିଷ୍ଠ ନେତାଙ୍କ ଉପରେ ରାହୁଲ ଖପ୍ପା ହୋଇପଡିଛନ୍ତି –  ବିଶେଷ କରି ଚିଦାମ୍ବରମ, କମଲନାଥ ଓ ଗେହଲଟ। ଏ ତିନି ନେତା ଦଳର ପ୍ରାର୍ଥୀଙ୍କ ପାଇଁ ଲାଗିବା ପରିବର୍ତ୍ତେ ନିଜ ନିଜ ପୁଅ ମାନଙ୍କ ବିଜୟ ପାଇଁ ପରିଶ୍ରମ କରିଥିଲେ ବୋଲି ରାହୁଲଙ୍କ ନିକଟରେ ଖବର ପହଂଚିଛି।

ସେହି କ୍ରମରେ ଯେଉଁ ରାଜ୍ୟ ସଭାପତି ମାନେ ନିଜ ପରିବାରବର୍ଗଙ୍କ ପାଇଁ ଅଧିକ ଦରଦ ଦେଖାଇ ଥିଲେ ସେମାନଙ୍କ କଥା ମଧ୍ୟ ଉଠିଛି। ଆଜି ସନ୍ଧ୍ୟା ବେଳକୁ ରାହୁଲଙ୍କ ଇସ୍ତଫା ସଂକ୍ରାନ୍ତ ନିଷ୍ପତ୍ତିର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବା ଆଶା କରାଯାଉଛି।

Comment