ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସାଧାରଣ ନିର୍ବାଚନରେ ବିଜେପିର ବମ୍ପର ବିଜୟ ପରେ ଲୋକସଭାରେ ବିରୋଧୀ ଦଳ କିଏ ହେବେ ସେ ନେଇ ଆଶଙ୍କା ଓ ଅନିଶ୍ଚିତତା ସୃଷ୍ଟି ହୋଇଛି। ଇତି ମଧ୍ୟରେ ବିରୋଧୀ ଦଳର ମାନ୍ୟତା ଦାବି କରିବ ନାହିଁ ବୋଲି କଂଗ୍ରେସ ସ୍ପଷ୍ଟ ଭାବରେ କହିଛି। ଗତ ଲୋକସଭାରେ କଂଗ୍ରେସର ୪୪ ସାଂସଦ ଥିବାରୁ ବିରୋଧୀ ଦଳ ପାହ୍ୟା କଂଗ୍ରେସକୁ ମିଳିନଥିଲା।

ଏଥର ମଧ୍ୟ ଅବସ୍ଥା ସେୟା। କଂଗ୍ରେସର ପ୍ରବକ୍ତା ରଣଦୀପ ସୁରେଜବାଲା ଟୁଇଟ କରି କହିଛନ୍ତି ଯେ ଆମ ତରଫରୁ ଏହି ମର୍ଯ୍ୟାଦା ଦାବି କରାଯିବ ନାହିଁ। ସେ କହିଛନ୍ତି ଯେ ବିରୋଧୀ ଦଳର ମାନ୍ୟତା ପାଇବା ପାଇଁ ତାଙ୍କ ପାଖରେ ସଂଖ୍ୟା ନାହିଁ।

ବ୍ୟବସ୍ଥା ଅନୁସାରେ ଲୋକସଭାରେ ମୋଟ ସଦସ୍ୟ ସଂଖ୍ୟାର ୧୦ ପ୍ରତିଶତ ସଭ୍ୟ ଥିଲେ ଯାଇ ଗୋଟିଏ ଦଳକୁ ବିରୋଧୀ ଦଳର ମାନ୍ୟତା ଦିଆଯାଇପାରିବ। ଏହି ଦୃଷ୍ଟିରୁ କଂଗ୍ରେସ ପାଖରେ ଦୁଇଟି ଆସନ କମ ରହିଛି। ବିଶେଷଜ୍ଞଙ୍କ ମତରେ ଏବେ ମୋଦି ସରକାର ଉପରେ ନିର୍ଭର  କରୁଛି ଆବଶ୍ୟକୀୟ ସଂଖ୍ୟା ନଥିବା ସତ୍ତ୍ୱେ ବି କୌଣସି ଦଳକୁ ବିରୋଧୀ ଦଳର ଆଖ୍ୟା ଦେବେ କି ନା।

Comment