ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପୁର ବିଧାନସଭା ଆସନରୁ ଇସ୍ତଫା ଦେଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ତାଙ୍କ ଇସ୍ତଫାପତ୍ର ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିକଟକୁ ପଠାଇଛନ୍ତି।

ଇସ୍ତଫା ଦେବା ସହ ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ନବୀନ। ବିଜେପୁରବାସୀ ନିର୍ବାଚନ ବେଳେ ଭଲପାଇବା ଏବଂ ସମର୍ଥନ ଦେଇଥିବାରୁ ନବୀନ କୃତଜ୍ଞତା ଜଣାଇଲେ।

ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ହିଞ୍ଜିଳି ଏବଂ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ଦୁଇଟି ସ୍ଥାନରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଦୁଇଟି ଆସନ ଭିତରୁ ନବୀନ କେଉଟି ଛାଡ଼ିବେ ଏବଂ କେଉଁଟି ରଖିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଶେଷରେ ନବୀନ ହିଞ୍ଜିଳି ଆସନ ରଖି ବିଜେପୁର ଆସନ ଛାଡ଼ିଛନ୍ତି।

୨୦୦୦ ମସିହାରୁ ନବୀନ ହିଞ୍ଜିଳିରୁ ନିର୍ବାଚିତ ହୋଇ ଆସୁଛନ୍ତି। ଗତ ୨୯ ତାରିଖରେ ନବୀନ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ନୂଆ ସରକାର ଗଠନ ହେଉ ହେଉ ନବୀନ ବିଜେପୁର ପାଇଁ ସ୍ପେଶାଲ ପ୍ୟାକେଜ ଘୋଷଣା କରିଥିଲେ। ଏହି ସ୍ପେଶାଲ ପ୍ୟାକେଜକୁ ନେଇ ଚର୍ଚ୍ଚା ହୋଇଥିଲା ଯେ ନବୀନ ବିଜେପୁର ଆସନ ଛାଡ଼ିବେ।

୨୦୧୮ ଉପ-ନିର୍ବାଚନରେ ବିଜେପୁରରୁ ବିଜେଡି ପ୍ରାର୍ଥୀ ରିତା ସାହୁ ବିଜୟୀ ହୋଇଥିଲେ। ୨୦୧୯ ନିର୍ବାଚନରେ ରିତାଙ୍କୁ ଟିକେଟ ନଦେଇ ନିଜେ ନବୀନ ବିଜେପୁରରେ ପ୍ରାର୍ଥୀ ହୋଇଥିଲେ। ଏବେ ବିଜେପୁରରେ ଉପ-ନିର୍ବାଚନ ହେବା ସ୍ପଷ୍ଟ ହୋଇଯାଇଛି।

Comment