ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ସମ୍ବିତ ରାଉତରାୟ କହିଲେ – ‘ବିଜେପିରେ ଖୁସି ନାହାନ୍ତି ଦାମ’।

‘‘ବିଜେପିରେ ଖୁସି ନାହାନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ସୁପ୍ରିମୋ ଚାହିଁଲେ ସେ ପୁଣି ବିଜେଡିକୁ ଫେରି ଆସନ୍ତେ।’’

ଏହି ମନ୍ତବ୍ୟ ଆଉ କେହି ନୁହେଁ, ଦାମଙ୍କ ପୁଅ ସମ୍ବିତ ରାଉତରାୟ ଏହା କହିଛନ୍ତି। ସମ୍ବିତଙ୍କ ଏହି ମନ୍ତବ୍ୟ ପରେ ଦାମ ବିଜେଡି ଫେରିବା ନେଇ ଚର୍ଚ୍ଚା ହେଉଛି। ହେଲେ ଦାମ ବିଜେଡି ଫେରିବା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ଓଲଟା ବିଜେଡି ଯାଇଥିବାରୁ ପୁଅ ସମ୍ବିତକୁ ସମାଲୋଚନା କରିଛନ୍ତି ଦାମ।

ସମ୍ବିତ କହିଛନ୍ତି, ‘‘ଡାକ୍ତର ଦାମୋଦର ରାଉତ ଦୀର୍ଘଦିନ ହେଲା ଜନତା ଦଳ ଏବଂ ବିଜୁ ଜନତା ଦଳରେ ଜଡ଼ିତ ଥିଲେ। ହଠାତ୍ ସେ ଦଳ ବଦଳାଇ ବିଜେପିରେ ଯୋଗ ଦେଲେ। ବିଜେପି ଟିକେଟରେ ଏଥର ସେ ନିର୍ବାଚନ ଲଢ଼ିଥିବାରୁ ତାଙ୍କୁ ଲୋକେ ଗ୍ରହଣ କରି ନାହାନ୍ତି। ଏହାସହ ସେ ବିଜେପିକୁ ଯାଇ ଖୁସି ନଥିବା ଭଳି ମନେହେଉଛି। ସୁପ୍ରିମୋ ଚାହିଁଲେ ସେ ପୁଣି ବିଜେଡିକୁ ଫେରି ପାରନ୍ତି।’’

ସମ୍ବିତଙ୍କ ଏହି ମନ୍ତବ୍ୟ ପରେ ଦାମ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।

ଦାମ କହିଛନ୍ତି, ‘‘ମୁଁ ବିଜେଡିରୁ ବିଦା ହେବା ପରେ ହିଁ ମୋ’ ପୁଅ ଦଳକୁ ଆସିଛି। ଏଣୁ ଏଥିରୁ ଜଣାପଡୁଛି ମୋ’ ପୁଅର ବାପା ପ୍ରତି ଭକ୍ତିଭାବ କେତେ? ସେ ଯାହା ବି କହିଛି ମୋ’ ସହ କିଛି ଆଲୋଚନା କରିନାହିଁ। କ’ଣ ପାଇଁ ସେ ଏମିତି କହିଲା ତାହା ମୁଁ ଜାଣିନି।’’

୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିରୁ ଦାମଙ୍କୁ ବହିଷ୍କାର କରାଯାଇଥିଲା। ଦାମ ବିଜେପିରେ ଯୋଗ ଦେଇଥିଲେ। ବାଲିକୁଦା-ଏରସମାରୁ ଦାମ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ସେପଟେ ଦାମଙ୍କ ପୁଅ ସମ୍ବିତଙ୍କୁ ବିଜେଡି ପାରାଦୀପ ଆସନରୁ ପ୍ରାର୍ଥୀ କରିଥିଲା।

ଦାମ ବାଲିକୁଦା-ଏରସମାରୁ ପରାଜିତ ହୋଇଥିବା ବେଳେ ସମ୍ବିତ ପାରାଦୀପ ଆସନରୁ ବିଜୟୀ ହୋଇଛନ୍ତି।

Comment