ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଡ଼ିଆ ଓ ଓଡ଼ିଶା (୧୦)

ଆଗରୁ ଆମେ “କାଳ” ବିଷୟରେ ଆଲୋଚନା କରିଥିଲେ। “କାଳ” ର ମାପ ନାହିଁ। “କାଳ” ହିଁ ନିୟନ୍ତା। ସବୁ ବସ୍ତୁ ଓ ଜୀଵ “କାଳ” ର ଅଧୀନ। “କାଳ” ସୃଷ୍ଟି କରେ, “କାଳ” ବିନାଶ କରେ। “କାଳ” ଆମକୁ ଯଶ ଦିଏ, ଆଉ ମଧ୍ୟ ଆମ ଜୀବନକୁ ଅପଯଶ ଆଣେ। ମଣିଷର ସୁଖ ଦୁଃଖ ସବୁ “କାଳ” ର ଅଧୀନ। “କାଳ” ର ନିର୍ଦ୍ଦେଶ ଅମାନ୍ୟ ନୁହେଁ।

ତେବେ “କାଳ” ର ପରିସର ହେଲା ମନ। ମନର କଳନା ନାହିଁ। ମନ କ୍ଷଣିକ ପରି ଅନୁଭୂତ ହୁଏ, କିନ୍ତୁ ଅବସ୍ଥାରେ ମନ ସ୍ଥାୟୀ। ମନ ଗହନ ଓ ଗଭୀର। ମନ ଭିତରୁ ଆମକୁ ଜ୍ଞାନ ମିଳେ, ବୁଝିବାର ଶକ୍ତି ମିଳେ, କଥା କହିବାର ଭାଷା ମିଳେ, ସଂସାରରେ ବଞ୍ଚିବା ପାଇଁ ବୁଦ୍ଧି ମିଳେ। ସମସ୍ତ ବିଶ୍ଵବ୍ରହ୍ମାଣ୍ଡ ଓ ତତ୍ ବ୍ୟତିରେକ ଶୂନ୍ୟ – ସଭିଏଁ ମନର ଗନ୍ତାଘର। ଯେତେ ଖୋଳିଲେ ମନ ସେତେ ଶାଣୁଆ ହୁଏ। ଆଗକୁ ସତ୍ୟ ଦେଖାଏ, ପୁଣି ସତ୍ୟକୁ ବଦଳାଏ। ମନ ଅନନ୍ତ।

ମଣିଷର ମନ ଯେ’ ମଣିଷକୁ ନିୟନ୍ତ୍ରଣ କରେ, ଏହା ଆମ ପୁରୁଣା ସମାଜର ଗୋଟିଏ ବଡ ଆବିଷ୍କାର। ମଣିଷର ସୁଖ ଶରୀରରେ ନ ଥାଇ ମନରେ ଥାଏ। ବିତ୍ତ, ଯଶ, ଜାୟା, ପରିବାର, ପ୍ରଭୁତ୍ଵ ଠାରୁ ମନର ଆନନ୍ଦ ଢେର ଗୁଣ ସୁଖ ଦିଏ। ସବୁଠାରୁ ବଡ ଆବିଷ୍କାର ହେଲା – ମଣିଷର ରୋଗ ଶରୀରରେ ଯେତିକି, ମନ ରେ ବେଶୀ। ସଂସାରରେ ସୁସ୍ଥ ରହିବାର ଏକମାତ୍ର ଉପାୟ ହେଲା ମନର ସ୍ଵସ୍ତି। ଏହା କେବେ ବା କିପରି ଆବିଷ୍କାର ହୋଇଛି ତା ଆମେ କହିପାରିବା ନାହିଁ, କିନ୍ତୁ ଚିକିତ୍ସକ ଚରକ ଏହାକୁ ତାଙ୍କର ପ୍ରଥମ ଔଷଧି ବୋଲି ଶିକ୍ଷା ଦେଇଛନ୍ତି। ଓଡିଆ ଲୋକକଥା ଓ କିମ୍ବଦନ୍ତୀରେ ସାଂସାରିକ ସୁଖ ଲାଗି ମନରେ ସଦ୍ ଭାବନା।

ତା’ ପରେ ପୁଣି ଧାରଣା କରା ହେଲା ଯେ’ ଏ’ ମନ କାହାରି ଭିତରେ ସୀମିତ ନୁହେଁ। ଏହାର ପରିକ୍ରମା ସବୁଠାରେ। ତା’ର ଅର୍ଥ ହେଲା – ମଣିଷର ମନ ବୋଲି ଗୋଟିଏ କୌଣସି ଲୌକିକ ପଦାର୍ଥ ନାହିଁ, ବ୍ରହ୍ମାଣ୍ଡର ମନ ଗୋଟିଏ। ତା’ ଭିତରେ ମଣିଷର ମନ ଗୋଟିଏ ଅଂଶ। ଏହାର କାରଣ ହେଲା, ଆମେ ଆମ ମନ ମାଧ୍ୟମରେ ଅନ୍ୟ କେଉଁଠି କ’ଣ ହେଉଛି ତା’ କଳନା କରିପାରିବା, କେବେ କେବେ ମଧ୍ୟ ନିର୍ଦ୍ଧାରଣ କରି ପାରିବା। ଏହି ପ୍ରକାରର କଳନା ଓ କଳ୍ପନା ଶକ୍ତି ମଣିଷକୁ ଲୌକିକ ଅବସ୍ଥାରୁ ଅଲୌକିକ କରେ। କଳ୍ପନାର ଅନ୍ତ ନାହିଁ। କଳ୍ପନାରୁ କୃତୀ ହୁଏ, କଳ୍ପନା ମାଧ୍ୟମରେ ଅଲୌକିକ ଶକ୍ତି ମଣିଷ ମାଧ୍ୟମରେ ଭାବନାରେ ରୂପ ନିଏ। ସେ ଭାବନା ଚିତ୍ର ହୋଇପାରେ, ବା  କାବ୍ୟ ହୋଇପାରେ, ବା କଥା ହୋଇପାରେ। ସମସ୍ତ କଳାର ପ୍ରଜନନ କଳ୍ପନାରୁ। କଳ୍ପନାର ପ୍ରଜନନ ମନରୁ।

ଆଗକୁ ବୁଝିବାକୁ ହେବ କଳ୍ପନା କିପରି ଭାବନାରେ ପରିଣତ ହୁଏ। କଳ୍ପନା ର ଅସ୍ତିତ୍ଵ ନାହିଁ। କଲ୍ପନାର ରୂପ ହେଲା ଭାବନା, କଳ୍ପନା ବସ୍ତୁଗତ ନୁହେଁ। ଅନ୍ୟ ପକ୍ଷରେ ଭାବନା ପାର୍ଥିବ। ଭାବନାକୁ ଆମେ ବସ୍ତୁସଂଗ୍ରହ କରି ତୋଳି ପାରିବା। କଳା, ସ୍ଥାପତ୍ୟ, ସଂଗୀତ, ନୃତ୍ୟ, କାବ୍ୟ – ଏ ସମସ୍ତେ କଳ୍ପନାରୁ ହିଁ ସୃଷ୍ଟି ହୋଇଥାନ୍ତି। ଏ ପ୍ରକାର କଳାର ସୃଷ୍ଟି ନୈସର୍ଗିକ ବୋଲି ଆମେ ଅନୁମାନ କରୁ।

ସାରରେ ମଣିଷକୁ ବାଟ କଢାଇବା ମନର ଆଉ ଗୋଟିଏ କାର୍ଯ୍ୟ। ଏ କାର୍ଯ୍ୟ ସାଧନ ପାଇଁ ମନ ମଣିଷ ଭିତରେ ବୁଦ୍ଧି ଭାବରେ ନିହିତ ହୁଏ। ନୈସର୍ଗିକ ବୁଦ୍ଧି କୁ “ବିବେକ” କୁହାଯାଏ। ମଣିଷର ବ୍ୟାବହାରିକ ବୁଦ୍ଧି ପ୍ରକୃତି ଦ୍ଵାରା ବନ୍ଧା ହୁଏ। ସବୁ ମଣିଷର ପ୍ରକୃତି ଅଲଗା। ପ୍ରକୃତିକୁ ନେଇ ସବୁ ମଣିଷର ବୁଦ୍ଧି ବି ଅଲଗା। ବୁଦ୍ଧି ପୁଣି ତିଆରି ହେଲେ ବି ବୁଦ୍ଧିର ପ୍ରୟୋଗ ଅଲଗା!

ବୁଦ୍ଧିର ପ୍ରୟୋଗ ମଣିଷର ଭାବ ଉପରେ ନିର୍ଭର କରେ। ଭାବ ପ୍ରକୃତିଗତ। କେତେଟା ଭାବ ଅଛି ଆମେ ତା’ କହିପାରିବା ନାହିଁ, କିନ୍ତୁ ଆଠଟି ଭାବ ପ୍ରକାଶିତ ହୋଇପାରେ ବୋଲି ଆମର ଉପଲବ୍ଧି ହୁଏ। ଏ ପ୍ରକାର ନିର୍ଣ୍ଣୟ ଓ ଭାବର ସଂକେତ ତିଆରି କରିବା ଭାରତବର୍ଷର ନାଟ୍ୟ ପରମ୍ପରା। ଏ ଆଠଟି ଭାବ ପ୍ରକୃତିରେ ରସ ହିସାବରେ ଲୁଚି କରିଥାଏ। ଯେପରି ଭୟ ଗୋଟିଏ ରସ। କେବେ ସାପ ଦେଖିଲେ ଭୟ ଭାବ ଜାତ ହୁଏ। ଗୋଟିଏ ବସ୍ତୁର ଗୁଣ ରସ ଆକାରରେ ଅନ୍ୟ ବସ୍ତୁରେ ପହଞ୍ଚେ। ଅପର ବସ୍ତୁରେ ଏହା ଭାବ ଉତ୍ପାଦନ କରେ।

ରସ ଗୋଟିଏ ଥାଇ ଭାବ ଅନେକ ହୋଇପାରେ। ସାପକୁ ଦେଖି କେହି କ୍ରୋଧ କରି ପାରନ୍ତି, ବା ଆଉ କେହି ଆଶ୍ଚର୍ଯ୍ୟ ହୋଇ ପାରନ୍ତି। ଗୋଟିଏ ରସ ଫଳରେ କେଉଁ ଭାବ ଜାତ ହେବ – ତା’ ମଣିଷର ପ୍ରକୃତି ଓ ପୂର୍ବ ଅନୁଭୂତି ଉପରେ ନିର୍ଭର କରେ। ଏ ଗବେଷଣା ଏବେ ନୂଆକରି ଆରମ୍ଭ ହେଉଛି।

Comment