ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭାରେ ପୁଣି ଥରେ ଆଗତ ହେଲା ‘ତିନ୍ ତଲାକ୍‌ ବିଲ’। କେନ୍ଦ୍ରରେ ନୂତନ ସରକାର ଗଢ଼ିବା ପରେ  ‘ତିନ୍ ତଲାକ୍‌ ବିଲ’ ବିଲକୁ ନୂଆ ରୁପରେ ପୁଣିଥରେ ଆଗତ କରିଛି ମୋଦି ମନ୍ତ୍ରୀମଣ୍ଡଳ। ସରକାର ଗଢ଼ିବା ପରେ ଏହା ହେଉଛି ଏନ୍‌ଡିଏ ସରକାରଙ୍କ ପ୍ରଥମ ବିଲ୍‌। ଗୃହରେ ବିରୋଧୀଙ୍କ ହୋ-ହଲ୍ଲା ଭିତରେ ଶୁକ୍ରବାର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଲୋକସଭାରେ ‘ଟ୍ରିପଲ୍‌ ତଲାକ୍‌ ବିଲ’ ଆଗତ କରିଛନ୍ତି।

‘ଟ୍ରିପଲ୍‌ ତଲାକ୍‌ ବିଲ’କୁ ନେଇ ଆଜି ଲୋକସଭାରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଥିଲେ। ବିରୋଧୀ ଏହାକୁ ଜୋରଦାର ବିରୋଧ କରିବା ସହିତ ବିଲ୍‌କୁ ଅସାମ୍ବିଧାନିକ ବୋଲି ଦର୍ଶାଇ ଥିଲେ। ଏହି ପରିପ୍ରେକ୍ଷୀରେ ବିଲ ଆଗତ କରିବାକୁ ଯାଇ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ସଂସଦରେ ଭୋଟିଂ ବ୍ୟବସ୍ଥାର ସାହାର ନେବାକୁ ପଡ଼ିଥିଲା।

‘ଟ୍ରିପଲ୍‌ ତଲାକ୍‌ ବିଲ’କୁ ୧୮୬ ଜଣ ସାଂସଦ ସମର୍ଥନ କରିଥିବା ବେଳେ ୭୪ ଜଣ ଏହାକୁ ବିରୋଧ କରିଛନ୍ତି। ତେବେ ଆମ ରାଜ୍ୟ ଓଡ଼ିଶାର ବିଜେଡି ସାଂସଦମାନେ ଏହି ଭୋଟିଂ ବ୍ୟବସ୍ଥାରୁ ଦୂରେଇ ରହିଥିଲେ। ଏନେଇ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି।

ସଂଖ୍ୟା ଗରିଷ୍ଠ ପାଇ ଲୋକସଭାରେ ଆଜି ‘ଟ୍ରିପଲ୍‌ ତଲାକ୍‌ ବିଲ’ ଉପସ୍ଥାପିତ ହୋଇଛି। ତେବେ ଏଆଇଏମ୍‌ଆଇଏମ୍‌ର ସାଂସଦ ଅସାଦୁଦ୍ଦିନ ଓୱେସି ଏହି ବିଲ୍‌କୁ ଜୋରଦାର ବିରୋଧ କରିଥିଲେ। ସେହିପରି ଆର୍‌ଏସ୍‌ପି ଏବଂ କଂଗ୍ରେସ ମଧ୍ୟ ବିଲ୍‌କୁ ବିରୋଧ କରିଥିଲେ।

Comment