ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ଆଇସିସି ବିଶ୍ଵକପରେ ଶନିବାର ସାଉଥମ୍ପଟନରେ ଅପରାଜୟେ ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ। ପୂର୍ବରୁ ଭାରତୀୟ ଦଳ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚରେ ବର୍ଷା ଯୋଗୁଁ ପଏଣ୍ଟ ଭାଗ କରାଯାଇଥିଲା।

ଅନ୍ୟପକ୍ଷରେ ଆଫଗାନିସ୍ତାନ ଦଳ ୫ଟି ମ୍ୟାଚ ଖେଳି କୌଣସି ବି ମ୍ୟାଚରେ ବିଜୟୀ ହୋଇପାରି ନାହିଁ। ଏହି ମ୍ୟାଚଟି ଆଫଗାନିସ୍ତାନ ପାଇଁ ଜିତିବା କାଠିକରପାଠ ହୋଇପାରେ।

ଚଳିତ ବିଶ୍ଵକପରେ ଭାରତ ଉନ୍ନତ ଫର୍ମରେ ରହିଛି। ପ୍ରଥମେ ଶିଖର ଧାଓ୍ଵନ ପରେ ଭୁବନେଶ୍ଵର କୁମାର ଓ ବର୍ତ୍ତମାନ ବିଜୟ ଶଙ୍କର ଆହତ ହେବା ଫଳରେ ଦଳ ପାଇଁ ବିପଦ ସୃଷ୍ଟି ହୋଇଛି।

ଧାଓ୍ଵନଙ୍କ ସ୍ଥାନରେ ରିଷବ ପନ୍ତଙ୍କୁ ସ୍ଥାନ ମଳିଛି। ତାଙ୍କ ଆଇପିଏଲ ଫର୍ମକୁ ସେ ଏହି ମ୍ୟାଚରେ ଦୋହରାଇ ପାରନ୍ତି। ସେହିପରି ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନି, ବିରାଟ କୋହଲି, ଯଶପ୍ରିତ ବୁମରା, ୟୁଜବେନ୍ଦ୍ର ଚହଲଙ୍କ ଫର୍ମ ଆଫଗାନିସ୍ତାନ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ପାଇଁ କି ପ୍ଲେୟାର ଭୂମିକା ଗ୍ରହଣ କରିପାରନ୍ତି। ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ ଆଫଗାନିସ୍ତାନ ବୋଲିଂ ବିଭାଗକୁ ଟାର୍ଗେଟ କରିବାକୁ ହେବ।

ସେହିପରି ଆଫଗାନିସ୍ତାନର ଚଳିତ ବିଶ୍ଵକପ ସନ୍ତୋଷଜନକ ରହିନାହିଁ। ଦଳ ୫ଟି ମ୍ୟାଚ ଖେଳି ୫ଟିରେ ପରାଜୟର ଶିକାର ହୋଇଛି। ଏହି ମ୍ୟାଚ ଆଫଗାନିସ୍ତାନ ପାଇଁ ଆଉ ଏକ ଅଗ୍ନି ପରୀକ୍ଷା ହେବ। ଦଳ ପକ୍ଷରୁ ନଜିବଉହ୍ଲା ଜରଦନ, ହାସମତୁହ୍ଲା ସାହିଦି, ଅଫତାବ ଆଲମ, ମହମ୍ମଦ ନବି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇବାରେ ଅସଫଳ ହୋଇଥିଲେ।

ଦଳର ଷ୍ଟାର ଖେଳାଳି ରସିଦ ଖାନଙ୍କ ଖରାପ ପ୍ରଦର୍ଶନ ଆଫଗାନିସ୍ତାନ ପାଇଁ ଚିନ୍ତାର କାରଣ। ତେବେ ଆଫଗାନିସ୍ତାକୁ ଆଜିର ମ୍ୟାଚ ନିଜ ଅଧୀନକୁ ଆଣିବାକୁ ହେଲେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନକୁ ସାମ୍ନା କରିବାକୁ ହେବ।

Comment