ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଦିଲ୍ଲୀରେ ଲଟକିଛି ବିଜେପି ତାଲିକା। ବିରୋଧୀ ଦଳ ନେତା ପଦକୁ ନେଇ ଛିଡୁନି ଅଙ୍କ।

ମଙ୍ଗଳବାରଠୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଆସନ୍ତକାଲିଠୁ ପ୍ରଥମ ଅଧିବେଶନ ବସୁଥିବାରୁ ସବୁ ବିଧାୟକ ଉତ୍ସାହିତ ଅଛନ୍ତି।

ନୂଆ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସଙ୍ଗ ଖୋଜୁଛନ୍ତି। ହେଲେ ଏହି ପ୍ରସଙ୍ଗକୁ ଅସ୍ତ୍ର କରିବା ପାଇଁ ବିରୋଧୀ ଦଳ ନେତା ଏଯାଏଁ ବଛା ହୋଇପାରିଲା ନାହିଁ। ବିରୋଧୀ ଦଳ ନେତା ତାଲିକା ଏବେ ଦିଲ୍ଲୀରେ ଝୁଲିକି ରହିଛି। ଯଦି ଆସନ୍ତକାଲି ସୁଦ୍ଧା ବିରୋଧୀ ଦଳ ନେତା ଚୟନ ନହୁଏ ତାହାଲେ ବିନା ବିରୋଧୀ ଦଳ ନେତାରେ ଗୃହ ଚାଲିବ ବୋଲି ଚର୍ଚ୍ଚା ହେଉଛି।

ବିରୋଧୀ ଦଳ ନେତା ବାଛିବା ପାଇଁ ଗତ ମଙ୍ଗଳବାର ଦିନ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିଥିଲା ବୈଠକ। ଦଳଳର ସମସ୍ତ ୨୩ ବିଧାୟକ ଏକାଠି ହୋଇଥିଲେ। ରାଜ୍ୟସଭାପତି ବସନ୍ତ ପଣ୍ଡା, ପ୍ରଭାରୀ ଅରୁଣ ସିଂହ ଏବଂ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସରୋଜ ପାଣ୍ଡେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପି ପାର୍ଟି ଅଫିସ୍‌ରେ ପ୍ରାୟ ୨ ଘଣ୍ଟା ଧରି ମାନସ ମନ୍ଥନ ଚାଲିଲା। ବିରୋଧୀ ଦଳ ନେତା କାହାକୁ କରାଯିବ ସେନେଇ ଜୋରଦାର ଚର୍ଚ୍ଚା ହେଲା। କିନ୍ତୁ ଫଳ କିଛି ମିଳିଲାନି।

ଏହି ପଦ ପାଇଁ ବିଜେପିର ୩ ବିଧାୟକଙ୍କ ନାଁ ଉଠିଲା। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଭବାନିପାଟଣା ବିଧାୟକ ପ୍ରଦୀପ୍ତ ନାୟକ ଏବଂ ଧାମନଗର ବିଧାୟକ ବିଷ୍ଣୁପଦ ସେଠୀଙ୍କ ନାଁ ବୈଠକରେ ଉଠିଥିଲା। ତିନି ଜଣଙ୍କୁ ନେଇ ବିଜେପି ନେତା ଅକଳିଆରେ ପଡ଼ିଥିଲେ। ଏଣୁ ଓଡ଼ିଶାରେ କାହା ନାଁ ଚୂଡ଼ାନ୍ତ ନକରି ତାଲିକା ଦିଲ୍ଲୀ ପଠାଇ ଦେଇଥିଲେ।

ଏବେ ଦିଲ୍ଲୀରେ ତାଲିକା ଝୁଲିକି ରହିଛି। ରାଷ୍ଟ୍ରୀୟ ସଭାପତି ଅମିତ ଶାହ ହିଁ ବିରୋଧୀ ଦଳ ନେତା ପଦରେ ମୋହର ମାରିବେ। ତେବେ ଏହି ତିନି ନେତାଙ୍କ ଭିତରୁ ଶାହ କାହାକୁ ଭରସା କରୁଛନ୍ତି ତା’ ଉପରେ ରହିଛି ସମସ୍ତଙ୍କ ନଜର।

ଅଭିଜ୍ଞ ତିନି ବିଧାୟକ

ବିରୋଧୀ ଦଳ ନେତା ପଦ ପାଇଁ ବିଜେପିର ଯେଉଁ ତିନି ବିଧାୟକଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି ସେମାନେ ଅଭିଜ୍ଞ ନେତା। ଜୟନାରାୟଣ ମିଶ୍ର ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେପି-ବିଜେଡି ମେଣ୍ଟ ସରକାରରେ ଜୟନାରାୟଣ ମନ୍ତ୍ରୀ ମଧ୍ୟ ଥିଲେ।

ସେହିପରି ପ୍ରଦୀପ୍ତ ନାୟକ ମଧ୍ୟ ଭବାନିପାଟଣା ବିଧାନସଭା ଆସନରୁ ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ମଧ୍ୟ ବିଜେପି-ବିଜେଡି ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ। ୨୦୧୯ ନିର୍ବାଚନରେ ବିଜେପି ଟିକେଟରେ ଧାମନଗର ଆସନରୁ ଜିତିଥିବା ବିଷ୍ଣୁପଦ ସେଠୀ ମଧ୍ୟ ଜଣେ ବରିଷ୍ଠ ନେତା। ବିଜେପିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ। ଏହି ତିନି ନେତାଙ୍କ ଭିତରୁ କାହା ନାଁରେ ରାଷ୍ଟ୍ରୀୟ ସଭାପତି ମୋହର ମାରୁଛନ୍ତି ତାକୁ ହିଁଅପେକ୍ଷା।

ଓଡ଼ିଶାରେ କାହିଁକି ପ୍ରହସନ?

ବିଜେପି ଓଡ଼ିଶା ବିଧାନସଭାରେ ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଛି। କଂଗ୍ରେସକୁ ପଛକୁ ଠେଲି ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିବାରୁ କର୍ମୀ ଏବଂ ନେତା ଉତ୍ସାହିତ ଅଛନ୍ତି। ହେଲେ ବିରୋଧୀ ଦଳ ନେତା ପଦକୁ ନେଇ ଏବେ ଦଳରେ ଛକାପଞ୍ଝା ଲାଗି ରହିଛି। ଯଦି ବିରୋଧୀ ଦଳ ନେତା ରାଷ୍ଟ୍ରୀୟ ସଭାପତି ବାଛିବେ ତାହାଲେ ରାଜ୍ୟ କାର୍ଯ୍ୟାଳୟରେ ଦୁଇ ଘଣ୍ଟା ବୈଠକ କରି ଏତେ ପ୍ରହସନ କାହିଁକି ଚାଲିଥିଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ଉଠିଛି।

୨୦୧୪ରେ ବି ସମାନ ଅବସ୍ଥା

୨୦୧୪ ନିର୍ବାଚନରେ ବିଜେପି ୧୦ଟି ଆସନ ପାଇଁ ତୃତୀୟ ସ୍ଥାନରେ ରହିଥିଲା। କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଆସନ ପାଇଥିଲା। ହେଲେ ବିଜେପି ବିଧାୟକ ଦଳ ନେତା ପଦକୁ ନେଇ ବି ନେତାଙ୍କ ଭିତରେ ତାଳ ମେଳ ରହି ନଥିଲା। ଦିଲ୍ଲୀପ ରାୟ, ବସନ୍ତ ପଣ୍ଡା ଏବଂ କନକବଦ୍ଧନ ସିଂହଦେଓଙ୍କ ମଧ୍ୟରୁ କାହାକୁ ବିଧାୟକ ଦଳ ନେତା କରାଯିବ ତାକୁ ନେଇ ମାନସମନ୍ଥନ ଚାଲିଥିଲା।

ଶେଷରେ ବସନ୍ତ ପଣ୍ଡାଙ୍କୁ ବିଧାୟକ ଦଳ ନେତା କରାଯାଇଥିଲା। ପରବର୍ତ୍ତୀ ସମୟରେ ବସନ୍ତ ରାଜ୍ୟ ସଭାପତି ହେବା ପରେ କେଭି ସିଂହଦେଓ ହୋଇଥିଲେ ବିଧାୟକ ଦଳ ନେତା। ଏହାକୁ ନେଇ ବରିଷ୍ଠ ନେତା ଦିଲ୍ଲୀପ ରାୟ ଅସନ୍ତୁଷ୍ଟ ରହିଥିଲେ।

Comment