ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ବିଶ୍ଵକପ ୩୦ତମ ମ୍ୟାଚରେ ରବିବାର ପାକିସ୍ତାନ ୪୯ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହାସହ ଏହି ମ୍ୟାଚ ହାରି ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ଵକପ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛି।

୩୦୯ରନ ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୨୫୯ରନ କରିବାକୁ ସକ୍ଷମ ହୋଇଥିଲା।

ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ପାକିସ୍ତାନ। ଦଳ ପକ୍ଷରୁ ଦୁଇ ଓପନର ଭଲ ଆରମ୍ଭ ଦେଇଥିଲେ। ୧୪.୫ ଓଭରରେ ଦଳୀୟ ସ୍କୋର ୮୧ ହୋଇଥିବା ବେଳେ ଫକର ଜମନ ଆଉଟ ହୋଇଯାଇଥିଲେ। ପରେ ଦ୍ଵିତୀୟ ଓପନର ମଧ୍ୟ ବେଶୀ ସମୟ ତିଷ୍ଠି ପାରି ନ ଥିଲେ। ୨୦ ଓଭରର ଶେଷ ସୁଦ୍ଧା ଦଳ ୯୮ରନରେ ୨ଟି ଓ୍ଵିକେଟ ହରାଇ ସାରିଥିଲା।

 

ପରବର୍ତ୍ତୀ ଓ୍ଵିକେଟରେ ବାବର ଆଜମ ଓ ମହମ୍ମଦ ହାଫିଜ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ମହମ୍ମଦ ହାଫିଜ ବ୍ୟକ୍ତିଗତ ୨୦ରନ କରି ଆଉଟ ହେବା ପରେ ହାରିସ ସୋହେଲ ବ୍ୟାଟିଂ କରିବାକୁ ଆସି ଦକ୍ଷିଣ ଆଫ୍ରିକା ବୋଲରଙ୍କ ନିଦ ହଜାଇ ଦେଇଥିଲେ। ବାବର ଆଜମ ୪୧ ଓଭରରେ ବ୍ୟକ୍ତିଗତ ୬୯ରନ କରିଆଉଟ ହେବା ପରେ ଅନ୍ୟ କୌଣସି ବି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିନଥିଲେ। ହେଲେ ହାରିସ ସୋହେଲ ଶେଷ ପର୍ଯ୍ୟନ୍ତ ଲଢ଼େଇ କରି ବ୍ୟକ୍ତିଗତ ୮୯ରନ କରିଥିଲେ ଫଳରେ ଦଳ ୩୦୮ ରନ କରିବାକୁ ସକ୍ଷମ ହୋଇଥିଲା।

୩୦୯ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଦଳକୁ ପ୍ରଥମ ଓଭରରୁ ହିଁ ଝଟକା ଲାଗିଥିଲା। ଦଳୀୟ ସ୍କୋର ୪ରନ ହୋଇଥିବା ବେଳେ ହାସିମ ଆମଲା ପାଭିଲିୟନ ଫେରିଯାଇଥିଲେ। ପ୍ରଥମ ଓ୍ଵିକେଟରେ କ୍ଵିଣ୍ଟନ ଡିକକ ଓ ଫାପ ଡୁ ପ୍ଲେସିଙ୍କ ଯୋଡ଼ି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ମାତ୍ର ୧୯ ଓଭରରେ ଦଳୀୟ ସ୍କୋର ୯୧ ହୋଇଥିବା ବେଳେ ଡି କକ ବ୍ୟକ୍ତିଗତ ୪୭ରନ କରି ଆଉଟ ହୋଇଯାଇଥିଲେ।

ଏହାପରେ ଫାପ ଡୁ ସ୍ଲେସି ଦୟିତ୍ଵର ସହ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ୨୯ ଓଭରରେ ଫାପ ଡୁ ପ୍ଲେସିସ ବ୍ୟକ୍ତିଗତ ୬୩ରନ କରି ଆଉଟ ହୋଇଯିବା ପରେ ରସି ଭାନ ଡର ଡୁସେନ(୩୬), ଡେଭିଡ ମିଲର(୩୧), ଆନ୍ଦିଲ ଫେଲୁକ୍ଵାଓ(୪୬) ରନ କରି ପାଭିଲିୟନ ଫେରିଯାଇଥିଲେ। ଦଳ ପକ୍ଷରୁ ଅନ୍ୟ କୌଣସିବି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନଥିଲେ ଫଳରେ ଦଳ ୫୦ ଓଭରରେ ୨୫୯ ରନ କରି ୪୯ରନରେ ପରାଜୟ ହୋଇଥିଲା। ବିଜୟୀ ପାକିସ୍ତାନ ଦଳ ପକ୍ଷରୁ ହାରିସ ସୋହେଲ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।

Comment