ଓଡ଼ିଶାଲାଇଭ୍ ବ୍ୟୁରୋ

  • ବାଦାମବାଡ଼ିରୁ ୮୧ ଲକ୍ଷ ଟଙ୍କା ଜବତ
  • ବ୍ୟାଗରେ କଲିକତା ଯାଉଥିଲା ପୁଳାପୁଳା ନୋଟ୍

କଟକ : ଦୀର୍ଘ ଦିନ ହେବ ଆନ୍ତରାଜ୍ୟ ସ୍ତରରେ ଚାଲିଥିବା ସୁନା ସ୍ମଗଲିଂ ରାକେଟର ପର୍ଦ୍ଦାଫାଶ କରିଛି ବାଦାମବାଡ଼ି ଥାନା ପୋଲିସ। ପୋଲିସ ପଞ୍ଝାରେ ପଡ଼ିଛନ୍ତି ଦୁଇ ସୁନା ସ୍ମଗଲର୍। ରାତି ଅଧରେ ବିଚ୍ ରାସ୍ତାରୁ ପୋଲିସ ଜବତ କରିଛି ପୁଳା ପୁଳା ନୋଟ୍ ବିଡ଼ା। ଚୋରା ସୁନା କାରବାରରେ ଏହି ନୋଟ୍ ବ୍ୟବହାର ପାଇଁ କଟକରୁ ବସ୍ ଯୋଗେ କଲିକତା ଯାଉଥିଲା। ଏହି ଦୁଇ ସ୍ମଗଲର ଧରାପଡ଼ିବା ପରେ ପୋଲିସ ଓ ଆୟକର ବିଭାଗ ଏବେ ମିଳିତ ଭାବେ ରାକେଟର ଚେର ଖୋଜୁଛନ୍ତି।

କେମିତି ଧରାହେଲେ ସ୍ମଗଲର?

ଶୁକ୍ରବାର ରାତି ପ୍ରାୟ ୧ଟା ବେଳର ଘଟଣା। ବାଦାମବାଡ଼ି ଛକର ଏକ୍ସିସ୍ ବ୍ୟାଙ୍କ୍ ପାଖରେ ଦୁଇ ଜଣ ଅଣଓଡ଼ିଆ ଯୁବକ ଦୁଇଟି ବଡ଼ ବ୍ୟାଗ୍ କାନ୍ଧରେ ପକାଇ ଚାଲିଚାଲି ଯାଉଥିଲେ। ଏହି ସମୟରେ ପୋଲି କର୍ମଚାରୀଙ୍କର ଏହି ଦୁଇ ଯୁବକଙ୍କ ଉପରେ ନଜର ପଡ଼ିଥିଲା।

ସନ୍ଦେହରେ ପୋଲିସ ଉକ୍ତ ଯୁବକଙ୍କୁ ଥାନାକୁ ଆଣିଥିଲା ଥାନାରେ ବ୍ୟାଗର ତାଲା ଖୋଲିବା ପରେ ପୋଲିସ କର୍ମଚାରୀ ହତବାକ୍ ହୋଇଯାଇଥିଲେ। ଦୁଇଟି ବ୍ୟାଗ୍ ଭିତରେ ଥିଲା ଖାଲି ପୁଳା ପୁଳା ନୋଟର ବିଡ଼ା। ପୋଲିସ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ଜେରା କରିଥିଲା ।

ଦୁଇ ଯୁବକ ନିଜକୁ ପଶ୍ଚିମ ମେଦିନାପୁରର ମନୋରଞ୍ଜନ ମାଝି ଓ ଅନୁପମ ମାଝି ବୋଲି ପରିଚୟ ଦେଇଥିଲେ। ଦୁହେଁ ଭଡ଼ାରେ ଦରଘାବଜାର ଅଞ୍ଚଳରେ ରହୁଥିବା କହିଥିଲେ। ତେବେ ସେ’ ଦୁହେଁ ସୁନା ବ୍ୟବସାୟ କରନ୍ତି ବୋଲି କହିଥିଲେ।

ବ୍ୟାଗରେ ଥିବା ଟଙ୍କାକୁ ସେମାନେ ସୁନା କିଣିବା ପାଇଁ କଲିକତା ନେଇ ଯାଉଥିଲେ ବୋଲି ପୋଲିସକୁ ଜଣାଇଥିଲେ। ଏହାପରେ ପୋଲିସ ସମସ୍ତ ଟଙ୍କା ଗଣି ଜାଣିବାକୁ ପାଇଲା ସେଥିରେ ୮୧ ଲକ୍ଷ ୫୦ ହଜାର ଟଙ୍କା ଅଛି।

ପୋଲିସ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଦରଘାବଜାର ଅଞ୍ଚଳରେ ଥିବା ଭଡ଼ା ଘରେ ଚଢଉ କରିଥିଲା। ମାତ୍ର ସେଠାରୁ ସେଭଳି କିଛି ସନ୍ଦେହଜନକ ଜିନିଷ ମିଳି ନଥିଲା। ଏନେଇ ପୋଲିସ ଆୟକର ବିଭାଗକୁ ସୂଚନା ଦେଇଥିଲା।

ଆୟକର ବିଭାଗର ଡେପୁଟି କମିସନର ଥାନାକୁ ଆସି ଘଟଣା ବିଷୟରେ ବୁଝାସୁଝା କରିବା ସହିତ ଏନେଇ ଏକ ମାମଲା ଦାୟର କରିଥିଲେ।

ଧରାପଡ଼ିଥିବା ଦୁଇ ଅଭିଯୁକ୍ତ ଏହି ଟଙ୍କା ସମ୍ପର୍କରେ ପର୍ଯ୍ୟାପ୍ତ ତଥ୍ୟ ଓ ପ୍ରମାଣ ଦେଇପାରୁ ନାହାନ୍ତି। କେଉଁଠୁ ଓ କିଭଳି ଏତେ ଟଙ୍କା ଆସିଲା ତାହାର କାଗଜପତ୍ର ମଧ୍ୟ ଦେଖାଇ ପାରୁ ନାହାନ୍ତି। ତେଣୁ ଏହି ଟଙ୍କା କଳା ଧନ ଓ ସୁନା ସ୍ମଗଲିଂରେ ବ୍ୟବହାର ହେଉଥିବା ପୋଲିସ ଆଶଙ୍କା କରିଛି।

ତେବେ ଘଟଣାର ପ୍ରାଥମିକ ତଦନ୍ତ ପାଇଁ ଆୟକର ବିଭାଗ ଆସନ୍ତା ସୋମବାର ଦିନ ଘଟଣାର ଶୁଣାଣି କରିବ। ଟଙ୍କା ନେଇ ପର୍ଯ୍ୟାପ୍ତ କାଗଜପତ୍ର ନମିଳିଲେ ପୋଲିସକୁ କାର୍ଯ୍ୟାନୁଷ୍ଠାନ ପାଇଁ ଆୟକର ବିଭାଗ ସୁପାରିଶ କରିବ।

ଏହି ଘଟଣାରୁ ଏକ ବଡ଼ ରାକେଟର ସୁରାକ ମିଳିଛି। ପ୍ରତି ମାସରେ କୋଟି କୋଟି ଟଙ୍କାର ବେଆଇନ ସୁନା କଟକକୁ ଚୋରାରେ ଆସୁଛି। ଟିକସ ଫାଙ୍କିବା ପାଇଁ ସ୍ମଗଲରମାନେ ବ୍ୟାଙ୍କ୍ ନେଣଦେଣ ନକରି ନୋଟରେ କାରବାର କରୁଥିବା ଜଣାପଡ଼ିଛି । ତେବେ ପୋଲିସ କରୁଥିବା ତଦନ୍ତରୁ ଏହି ରାକେଟ ସମ୍ପର୍କରେ କିଛି ସୁରାକ ମିଳିବ ବୋଲି ବାଦାମବାଡ଼ି ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ୱାଇଁ ସୂଚନା ଦେଇଛନ୍ତି।

Comment