ଓଡ଼ିଶାଲାଇଭ ବ୍ୟୁରୋ

ପୂର୍ବରୁ ଡିପ୍ଲୋମା ଇଞ୍ଜିନିୟରିଂ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଆଗ୍ରହ କାହିଁରେ କ’ଣ ରହିଥିଲା। ମାତ୍ର ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି। ଉନ୍ନତ ଭିତ୍ତଭୂମି ସହ ଅନେକ କଲେଜ ଥାଇ ମଧ୍ୟ ଛାତ୍ରଛାତ୍ରୀ ଡିପ୍ଲୋମା ଶିକ୍ଷା ପ୍ରତି ଆଗ୍ରହ ଦେଖାଉନାହାନ୍ତି। ସାଢେ ୪୪ହଜାର ସିଟରୁ ୨୦ହଜାର ସିଟ ଖାଲି ପଡ଼ିଛି।

ରାଜ୍ୟରେ ପ୍ରାୟ ୩୫ଟି ସରକାରୀ ପଲିଟେକନିକ ଏବଂ ୧୧୭ଟି ଘରୋଇ ଡିପ୍ଲୋମା ଶିକ୍ଷାନୁଷ୍ଠାନ ରହିଛି। ମୋଟ ଉପରେ ୧୫୨ଟି ଡିପ୍ଲୋମା ଶିକ୍ଷାନୁଷ୍ଠାନରେ ୪୪ହଜାର ୫୧୯ଟି ସିଟ୍ ରହିଛି। ବିଶେଷ କରି ମେକାଲିକାଲ, ଇଲେକ୍ଟ୍ରିକାଲ, ସିଭିଲ, କେମିକାଲ, ଅଟୋମୋବାଇଲ, ମାଇନିଂ ଆଦି ଶାଖାର ବହୁ ଚାହିଦା ରହିଛି। ମାତ୍ର ଗତ କିଛି ବର୍ଷ ହେବ ଡିପ୍ଲୋମା ପ୍ରତି ପିଲାଙ୍କ ଆଗ୍ରହ କମିବାର ଲାଗିଛି।

ଏଥର ୪୮ହଜାର ୬୪୫ଜଣ ଛାତ୍ରଛାତ୍ରୀ ଅନଲାଇନରେ ନାମ ପଞ୍ଜିକରଣ କରିଥିଲେ। ହେଲେ ସେଥିମଧ୍ୟରୁ ୩୫ହଜାର ୯୮୭ ଜଣ ଆବେଦନ କରିଥିବା ବେଳେ ମାତ୍ର ୨୪ ହଜାର ୪୭୯ ଛାତ୍ରଛାତ୍ରୀଙ୍କ ଆବେଦନ ବୈଧ ଥିବା ଜଣା ପଡ଼ିଛି।

ଅବଶିଷ୍ଟ ଖାଲି ପଡ଼ିଥିବା ସିଟ ପାଇଁ ଜୁଲାଇ ପ୍ରଥମ ସପ୍ତାହରୁ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇଛି। ନାମଲେଖା ଶେଷ ତାରିଖ ଅଗଷ୍ଟ ୧୪ ପର୍ଯ୍ୟନ୍ତ ରହିଛି। ହେଲେ ଆବେଦନକାରୀଙ୍କ ସଂଖ୍ୟାରୁ ବଳକା ସିଟ ପୂରଣ ହେବା ନେଇ ସନ୍ଦେହ ସୃଷ୍ଟି ହେଉଛି। ଶତକଡ଼ା ୯୦ ଭାଗ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ନାମ ଲେଖାଇବା ପାଇଁ ‘ସାମସ’ର ସିଲେକ୍ସନ ଲିଷ୍ଟରେ ରହିଛନ୍ତି। ତେଣୁ ଖୁବ କମ୍ ଛାତ୍ରଛାତ୍ରୀ ଡିପ୍ଲୋମା ନାମ ଲେଖାଇ ପାରନ୍ତି। ଯଦି ଏପରି ସମସ୍ୟା ହୁଏ ତେବେ ଗତ ବର୍ଷ ଭଳି ଏବର୍ଷ ମଧ୍ୟ ୧୦ ହଜାରରୁ ଅଧିକ ସିଟ୍ ଖାଲି ପଡ଼ିବାର ଆଶଙ୍କା କରାଯାଉଛି।

Comment