ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଫାଇଲ୍ ଫଟୋ।

ପାଟକୁରା ପାଇଁ ବିଜେଡିର ନବୀନ ନିବାସରେ ସ୍ୱତନ୍ତ୍ର ରଣନୀତି।

ବିଜେଡି କେମିତି ଜିତିବ ପାଟକୁରା ନିର୍ବାଚନ? ନିର୍ବାଚନ ମଇଦାନରେ ବିଜେପିକୁ କେମିତି ଚେକ୍‌ମେଟ୍ ଦେବ? ଏହାକୁ ନେଇ ବିଜେଡି ଆଜି ନବୀନ ନିବାସରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ନେତାଙ୍କ ସମେତ ରାଜ୍ୟ ବିଜେଡିର ନେତାଙ୍କୁ ନେଇ ନବୀନ ନିବାସରେ ଆଜି ବସିଥିବା ବୈଠକରେ ନିଜେ ନବୀନ ପଟ୍ଟନାୟକ ଉପସ୍ଥିତ ରହି ପାଟକୁରା ଜିତିବାକୁ ମନ୍ତ୍ର ଫୁଙ୍କିଛନ୍ତି।

‘‘ପାଟକୁରାରେ ଆମେ ନିଶ୍ଚିତ ଜିତିବୁ। ୩୦ରୁ ୪୦ ହଜାର ଭୋଟରେ ଜିତିବୁ। ପାଟକୁରାରେ ବିକଶମୂଳକ କାମ ହୋଇଛି। ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ପାଟକୁରା ବିକାଶ ଧାରାରେ ସାମିଲ ହୋଇଛି। ପାଟକୁରାରେ ବିଜେଡି ହାୱା ବହୁଛି। ବିଜୟ ମହାପାତ୍ରଙ୍କ ଭଳି ବରିଷ୍ଠ ନେତା ପ୍ରାର୍ଥୀ ହୋଇଥିଲେ ମଧ୍ୟ ଆମ ପାଇଁ କିଛି ଅସୁବିଧା ନାହିଁ’’, କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି କିଶୋର ତରାଇ।

ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ସ୍ଥଗିତ ରହିଥିବା ପାଟକୁରା ନିର୍ବାଚନ ଜୁଲାଇ ୨୦ରେ ହେବ। ପାଟକୁରା ଦଖଲ କରିବା ପାଇଁ ବିଜେଡି ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି। ସେହିପରି ସାବିତ୍ରୀଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛି ବିଜେପିର ଅଭିଜ୍ଞ ନେତା ବିଜୟ ମହାପାତ୍ର।

ବିଜୟ ପାଟକୁରାର ପୁରୁଣା ନେତା ହୋଇଥିବାରୁ ଏବଂ ଏହି ଆସନରୁ ସେ ଅତୀତରେ ଚାରି ଥର ବିଧାୟକ ଭାବେ ଜିତି ଥିବାରୁ ତାଙ୍କୁ ନେଇ ବିଜେଡିର ଚିନ୍ତା ବଢ଼ିଛି। ତା’ଛଡ଼ା ନିକଟରେ ଶେଷ ହୋଇଥିବା ବିଧାନସଭା ଓ ଲୋକସଭା ନିର୍ବାଚନରେ ସବୁଠି ବିଜେଡିକୁ ବିଜେପି କଡ଼ା ଟକ୍କର ଦେଇଥିବାରୁ ପାଟକୁରା ପାଇଁ ବିଜେଡିର ଚିନ୍ତା ବଢ଼ିଥିବା କୁହାଯାଉଛି।

‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବହୁତ ସମର୍ଥକ ପାଟକୁରାରେ ରହିଛନ୍ତି। ଏଣୁ ବିଜେଡି ପାଇଁ ପାଟକୁରାରେ କିଛି ଚାଲେଞ୍ଜ ନାହିଁ। ଲୋକେ ନିଶ୍ଚିତ ଭାବେ ବିଜେଡିକୁ ଭୋଟ ଦେବେ’’, କହିଛନ୍ତି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲ।

ଗରଦପୁର ଏବଂ ମାର୍ଶାଘାଇରେ ଥିବା ବିଜେଡି କନ୍ଦଳ ସମ୍ପର୍କରେ ସେ କହିଛନ୍ତି ଯେ ଏହି ଦୁଇଟି ବ୍ଲକରେ ବିଶେଷ କରି ଅସୁବିଧା ନାହିଁ। ଯାହା ବି ଅସୁବିଧା ଅଛି ତାହା ସମାଧାନ କରିବାକୁ ବରିଷ୍ଠ ନେତା ଅତନୁସବ୍ୟସାଚୀ ନାୟକ ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଛି।

Comment