ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ପାଟକୁରାରେ ଗାଁ ଜଗିଲେଣି ନେତା। ଉଠୁଛି ପଡୁଛି ପାଟକୁରା ନିର୍ବାଚନ ମଇଦାନ।

ପାଟକୁରା ଉପ-ନିର୍ବାଚନ ପାଇଁ ବାଜିଛି ବିଗୁଲ୍। ଜୁଲାଇ ୨୦ରେ ହେବ ଭୋଟ। ତେବେ ଏହି ଉପ-ନିର୍ବାଚନ ପାଇଁ ବିଜେଡି ଯେମିତି ସମରସଜ୍ଜା କରୁଛି ତାହା କୌଣସି ସାଧାରଣ ନିର୍ବାଚନଠାରୁ ବି କମ୍ ନୁହେଁ। କେବଳ ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ମାଳ ମାଳ ନେତା ମନ୍ତ୍ରୀଙ୍କୁ ଦାୟିତ୍ୱ ଦେବା ପଛରେ କାରଣ କ’ଣ ବୋଲି ଚର୍ଚ୍ଚା ଜୋର୍ ଧରିଛି।

ପାଟକୁରା ଉପ-ନିର୍ବାଚନ ପାଇଁ ବରିଷ୍ଠ ନେତାମାନଙ୍କୁ ଗୁରୁ ଦାୟିତ୍ୱ ଦେଇଛି ବିଜେଡି। ବରିଷ୍ଠ ନେତାମାନେ ପାଟକୁରାର ବିଭିନ୍ନ ପଞ୍ଚାୟତରେ ଡେରା ପକାଇଛନ୍ତି।

ଗାଁ ଜଗିଲେ ନେତା

ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ଡେରାବିଶ ବ୍ଲକର ବାରିମୂଳ, ନହଙ୍ଗା, ଚୋଟି, ମଙ୍ଗଳପୁର, ବେଣିପୁର, ରଘୁଦେଇପୁର, ଗୁହାଳସିଂହ, କୁସିଆପଳ, କଉପଡ଼ା, ବାସପୁର, କୁରୁଜଙ୍ଗା, ଚତ୍ର ଚକଡ଼ା, ଏଣ୍ଡୋର ଏବଂ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ଟିମ୍ ଲିଡର କରାଯାଇଛି।

ଟିମ୍ ଲିଡର ଦାସବର୍ମାଙ୍କ ଅଧିନରେ ଅନୁଭବ ପଟ୍ଟନାୟକ, ସଞ୍ଜିବ ମଲ୍ଲିକ, ରାଜୁ ଦାସ, ସମୀର ଦାସ, ପ୍ରଶାନ୍ତ ଜଗଦେବ, ଜନ୍ମେଜୟ ଲେଙ୍କା ଏବଂ ରାଜକିଶୋର ଦାସଙ୍କୁ ବିଭିନ୍ନ ପଞ୍ଚାୟତର ଦାୟିତ୍ୱ ଦିଆଯାଇଛି।

ବିଜେଡିର ଅନ୍ୟତମ ଯୁବ ନେତା ତଥା ପଞ୍ଚାୟତିରାଜ ମନ୍ତ୍ରୀ ଡକ୍ଟର ଅରୁଣ ସାହୁଙ୍କୁ ୧୨ଟି ପଞ୍ଚାୟତର ଟିମ୍ ଲିଡର କରାଯାଇଛି। ଡେରାବିଶ ବ୍ଲକର ବାଲିଆ, ନରସିଂହପୁର, ଗେଲାରହାଟ, ପଲେଇ, ଚାଦୋଳ, ମୁକୁନ୍ଦପୁର, ରତାଡିଆ, ଖଣ୍ଡସାହି, ଖମାଳ, ଦାନପୁର, ଜାମରା ବାରିମୂଳ, ଇନ୍ଦାଳୋ ଏବଂ ହରିଆଙ୍କା ପଞ୍ଚାୟତର ଦାୟିତ୍ୱ ଦିଆଯାଇଛି।

ଅରୁଣ ଏହିସବୁ ପଞ୍ଚାୟତର ଟିମ୍ ଲିଡର ଦାୟିତ୍ୱରେ ରହିଥିବା ବେଳେ ତାଙ୍କୁ ସହଯୋଗ କରିବା ପାଇଁ ସୁବାସ ସିଂହ, ରଘୁନନ୍ଦନ ଦାସ, ଉମା ସାମନ୍ତରାୟ, ପ୍ରଫୁଲ୍ଲ ସିଂହ, ବ୍ରଜ ପ୍ରଧାନ, ମୁକ୍ତିକାନ୍ତ ମଣ୍ଡଳଙ୍କୁ ଦାୟିତ୍ୱ ଦିଆଯାଇଛି।

ସେହିପରି ମାର୍ଶଘାଈ ବ୍ଲକର ୭ଟି ପଞ୍ଚାୟତର ଟିମ୍ ଲିଡର ହେଉଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଆଇତିପୁର, ଜଳାପୋକ, ବଚରେଇ, ବନ୍ଧକଟା, ମେହେନ୍ଦି ନଗର, ଜମପଡ଼ା ଏବଂ କରିଲୋପାଟଣା ପଞ୍ଚାୟତର ଦାୟିତ୍ୱ ଦିଆଯାଇଛି। ତାଙ୍କୁ ସହଯୋଗ କରିବା ପାଇଁ ଦେବାଶିଷ ମାର୍ଣ୍ଡି, ବିଭୂତି ବଳବନ୍ତରାୟ, ଅନନ୍ତନାରାୟଣ ଜେନା ଏବଂ ରାଜେନ୍ଦ୍ର ସାହୁଙ୍କୁ ନିୟୋଜିତ କରିଛି ବିଜେଡି।

ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଗରଦପୁର ବ୍ଲକର ପଦ୍ମପୁର, ବେଦାରି, ପାଟକୁରା, ଗରଦପୁର, ପାଖଡ଼, କଳାବୁଦା, ତାଳକୁସୁମ, ପାଳସୁଦ୍ଧା, ବନ୍ତଳ, ତେଣ୍ଡାକୁଡ଼ା, ମଧୁ ଶାସନ, ବଡ଼ ବେତନ, ଭଗବାନପୁର, ବଙ୍ଗଳପୁର, ସାନ ଅଢଙ୍ଗ, ନଡ଼ିଆବରେଇ, ଟିକନପୁର, ରାମଚନ୍ଦ୍ରପୁର ପଞ୍ଚାୟତର ଦାୟିତ୍ୱ ଦିଆଯାଇଛି।

ରଣେନ୍ଦ୍ରଙ୍କୁ ସହଯୋଗ କରିବା ପାଇଁ ବିଧାୟକ ପ୍ରଣବ ବଳବନ୍ତରାୟ, ଅଶୋକ ବଳ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଧାୟକ ବିକ୍ରମ ପଣ୍ଡା, ହର ସାହୁ, ବ୍ୟୋମକେଶ ରାୟ, ସୁବାସ ବେହେରା, ଉମେଶ ଗଡ଼ନାୟକ, ସୁଶାନ୍ତ ସିଂହଙ୍କୁ ଦାୟିତ୍ୱ ଦେଇଛି ଦଳ।

‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଓଡ଼ିଶାବାସୀଙ୍କର ଭରସା ରହିଛି। ପାଟକୁରାରେ ଅନେକ ଉନ୍ନୟନମୂଳକ କାମ ହୋଇଛି। ବିଜେଡି ପ୍ରାର୍ଥୀ ନିଶ୍ଚିତ ଜିତିବେ’’, କହିଛନ୍ତି ଅରୁଣ ସାହୁ।

ବିଜେଡିର ଏତେ ସଜବାଜ କାହିଁକି?

ଗତ ଦୁଇ ମାସ ତଳେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡି ୧୧୨ ଆସନରେ ବିଜୟୀ ହୋଇଥିଲା। କେନ୍ଦ୍ରାପଡ଼ା ଲୋକସଭା ସମେତ ବିଧାନସଭା ଆସନରେ ବିଜେଡି ବିଜୟବାନା ଉଡ଼ାଇଥିଲା। କେବଳ ପାଟକୁରାର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଥିବାରୁ ନିର୍ବାଚନ ଘୁଞ୍ଚାଇ ଦିଆଯାଇଥିଲା। ଜୁଲାଇ ୨୦ରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ତେବେ ପାଟକୁରା ପାଇଁ ବିଜେଡିର ଏତେ ସଜବାଜ କାହିଁକି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଗତ ସାଧାରଣ ନିର୍ବାଚନ ବେଳେ କେନ୍ଦ୍ରାପଡ଼ା ଲୋକସଭା ଆସନ ଯେମିତି ବିଜେଡିର ଫୋକସ୍‌ରେ ରହିଥିଲା ଠିକ୍ ସେମିତି ଏବେ ପାଟକୁରା ଆସନ ଚାଲେଞ୍ଜ ହୋଇଯାଇଛି। ୧୧୨ ଆସନ ପାଇଥିବା ବିଜେଡି ପାଟକୁରାକୁ ନେଇ ଏତେ ଚିନ୍ତିତ କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଜେଡିର ପାଟକୁରା ସଜବାଜ ଉପରେ ବରିଷ୍ଠ ସାମ୍ବାଦିକ ଭାସ୍କର ପରିଛା କୁହନ୍ତି, ‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଜଣ ମନ୍ତ୍ରୀ ଓ ୧୮ ଜଣ ବିଧାୟକଙ୍କୁ ପାଟକୁରାରେ ଅବସ୍ଥାପିତ କରିବା ଘଟଣାରୁ ଏହି ଉପନିର୍ବାଚନର ଗୁରୁତ୍ୱକୁ ସହଜେ ବୁଝି ହେଉଛି। ବଡ଼ କଥା ହେଲା ନବୀନ ଏହି ଉପନିର୍ବାଚନକୁ ନିଜ ବ୍ୟକ୍ତିଗତ  ସମ୍ମାନର ବିଷୟ ବୋଲି ଧରି ନେଇଛନ୍ତି। ଯଦି ଏହା ଅନ୍ୟ କୌଣସି ଉପନିର୍ବାଚନ  ହୋଇଥାନ୍ତା ହୁଏତ ଏଥିପ୍ରତି ଏତେ ଗୁରୁତ୍ୱ ଦିଆଯାଇନଥାନ୍ତା। ପାଟକୁରାରୁ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଯେ କୌଣସି ପ୍ରକାର ଜିତାଇବା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ନବୀନଙ୍କ କଡା ନିର୍ଦ୍ଦେଶ ପଛରେ ଗୋଟିଏ ବଡ଼ କାରଣ ହେଉଛି ବିଜୟ ମହାପାତ୍ରଙ୍କ ପ୍ରତି ତାଙ୍କର ଏକ ଅଜଣା ଭୟ।’’

ଶ୍ରୀ ପରିଛା ଆହୁରି କହିଛନ୍ତି, ‘‘ବିଜୟ ମହାପାତ୍ର କୌଣସି ରକମର କ୍ଷମତାର ବଳୟ ଭିତରେ ରୁହନ୍ତୁ ନବୀନ ଏକଥା ଚାହାଁନ୍ତି ନାହିଁ। ବିଜୟ  ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେ ତାଙ୍କ ସରକାର ଅଡ଼ୁଆରେ ପଡ଼ିପରିପାରନ୍ତି ଏଭଳି ଏକ ଆଶଙ୍କା ଦଳ ଭିତରେ ରାଜୁତି କରୁଛି। ବିଜୟ ଜଣେ ବିଚକ୍ଷଣ ନେତା ଓ ସରକାରର ଅନେକ ଗୁମର ସେ ଜାଣିଛନ୍ତି ବୋଲି ଶାସକ ବିଜେଡିରେ ଏକ ଧାରଣା ବଳବତ୍ତର ରହିଛି।’’

ବିଜୟଙ୍କୁ ଭୟ!

ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବିପକ୍ଷରେ ବିଜେପି ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ବିଜୟ ହେଉଛନ୍ତି ପାଟକୁରାର ପୁରୁଣା ନେତା। ଜନତା ଦଳ ଟିକେଟରୁ ସେ ଏହି ଆସନରୁ ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଜେଡି ଗଠନରେ ମଧ୍ୟ ବିଜୟଙ୍କର ପ୍ରମୁଖ ଭୂମିକା ରହିଥିଲା। ହେଲେ ୨୦୦୦ ମସିହାରେ ବିଜେଡିରୁ ଅପମାନଜନକ ଭାବେ ବିଦା ହେବା ପରେ ବିଜୟ ଆଉ ବିଧାନସଭାକୁ ନିର୍ବାଚିତ ହୋଇପାରି ନାହାନ୍ତି। ୧୯ ବର୍ଷ ହେଲା ବିଜୟ ବନବାସରେ ରହିଛନ୍ତି।

ବିଜୟ ଏଥର ବିଧାନସଭା ଆସିବାକୁ ଗୋଟି ଚାଳନା କରୁଥିବା ବେଳେ ବିଜେଡି ଏହାକୁ ଭଣ୍ଡୁର କରିବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି। କେବଳ ବିଜୟଙ୍କ ପାଇଁ ବିଜେଡିର ଏହି ସମରସଜା ବୋଲି କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚା ହେଉଛି।

ଭାସ୍କର ପରିଛା ଆହୁରି କହିଛନ୍ତି, ‘‘ବିଜୟଙ୍କ ନିର୍ବାଚନ କେନ୍ଦ୍ରାପଡା ରାଜନୀତିକୁ ଓଲଟ ପାଲଟ କରିଦେବ ଏହିଭଳି ଏକ ଭୟ ମଧ୍ୟ ରହିଛି। ଆହୁରି ମଧ୍ୟ ବିଜୟଙ୍କ ପ୍ରତି ନବୀନଙ୍କ ବ୍ୟକ୍ତିଗତ ଦ୍ଵେଷ ଏକ ବଡ଼ କାରଣ। ଏହି କାରଣରୁ ଦିଲ୍ଲୀପ ରାୟ ଯେତେବେଳେ ବିଜୟଙ୍କ ଘର ବାହୁଡ଼ା ପ୍ରସ୍ତାବ ନେଇ ଯାଇଥିଲେ ନବୀନ ତାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲେ।’’

‘‘ବିଜୟ ଓ ନବୀନଙ୍କ ଏହି ଅହି ନକୁଳ ସମ୍ପର୍କର ଟେର ପାଇବା କଷ୍ଟ। ନବୀନ ବିଜୟଙ୍କ ପ୍ରତି ଏତେ ମାତ୍ରାରେ  ଭୟଭୀତ ହେବାର କାରଣ ସେ ନିଜେ ହିଁ ଜାଣିଥିବେ। ଏହା ଭିନ୍ନ କଥା ଯେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ  ନବୀନଙ୍କୁ ଓଡ଼ିଶା ଆଣିବା ଓ ବିଜୁ ଜନତା ଦଳ ଗଠନ କରି ନବୀନଙ୍କୁ ସେଥିରେ ଅଧିଷ୍ଠିତ କରିବା ପଛରେ ବିଜୟଙ୍କ ଏକ ବଡ଼ ଭୂମିକା ଥିଲା। ପାଟକୁରାରେ ବିଜେଡିର ସମରସଜା ସହିତ ସଂଖ୍ୟାର କୌଣସି ସମ୍ପର୍କ ନାହିଁ। ‘ଫିଅର ଫ୍ୟାକ୍ଟର’ ହିଁ ଏଠି ଅଧିକ କାମ କରୁଥିବା ଦେଖାଯାଉଛି’’, କହିଛନ୍ତି ଭାସ୍କର ପରିଛା।

ବିଜେପି ନେତା ବି ପାଟକୁରାରେ

ବିଜେଡିକୁ କାଉଣ୍ଟର କରିବା ପାଇଁ ବିଜେପି ବି ରଣନୀତି ପ୍ରସ୍ତୁତ କରିଛି। ବରିଷ୍ଠ ନେତା କନକବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ ଏବଂ ଭୃଗୁ ବକ୍ସିପାତ୍ରଙ୍କୁ ଦାୟିତ୍ୱ ଦେଇଛି ବିଜେପି। ଏହାସହ ୬୦ରୁ ଅଧିକ ନେତା ମଧ୍ୟ ପାଟକୁରାରେ ଡେରା ପକାଇଛନ୍ତି। ବିଜୟଙ୍କ ପାଇଁ ପ୍ରଚାର ଜୋରଦାର କରିଛନ୍ତି।

‘‘ବିଜୟ ମହାପାତ୍ରଙ୍କୁ ଷଡ଼ଯନ୍ତ୍ର କରି ୧୯ ବର୍ଷ ହେଲା କ୍ଷମତାଠାରୁ ଦୂରରେ ରଖାଯାଇଛି। ପାଟକୁରାବାସୀ ଏହା ଭଳଭାବେ ଜାଣିଛନ୍ତି। ଏଥର କିଛି ଷଡ଼ଯନ୍ତ୍ର କାମ କରିବନି। ବିଜୟ ବାବୁ ନିଶ୍ଚିତ ଜିତିବେ’’, କହିଛନ୍ତି କନକବର୍ଦ୍ଧନ ସିଂହଦେଓ।

Comment