ଓଡ଼ିଶାଲାଇଭ୍‌ ବ୍ୟୁରୋ

ପବିତ୍ର ରଥଯାତ୍ରା ଅବସରରେ ସୋମବାର ପୁରୀ ବଡଦାଣ୍ଡରେ ଏକ ପରିମଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍-ଆଦିତ୍ୟ ବିର୍ଲା ଗ୍ରୁପ୍, ପୁରୀ ପୈାରପାଳିକା ଏବଂ ଓଡିଶା ସରକାରଙ୍କ ମିଳିତ ଆନୂକୁଲ୍ୟରେ ଏହି କାର୍ଯ୍ୟକ୍ରମ ଜରିଆରେ ପୁରୀ  ବଡଦାଣ୍ଡକୁ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା। ପୁରୀ ପୈାରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ଏହି ସ୍ଵଚ୍ଛତା କାର୍ଯ୍ୟକ୍ରମରେ ବ୍ଲିଚିଂ ପାଉଡର ବ୍ୟବହାର କରି କିଭଳି ଡେଙ୍ଗୁ, ମ୍ୟାଲେରିଆ, ବ୍ୟାକ୍ଟେରିଆ ତଥା ବର୍ଷା ଯୋଗୁଁ ଜମିଥିବା ଅଳିଆ ଆବର୍ଜନାରୁ ଉତ୍ପନ ବିଭିନ୍ନ ଜଳବାହିତ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ, ସେ ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା।

ବଡଦାଣ୍ଡରେ “ସ୍ୱଚ୍ଛତା ରହେ ସାଥ୍- ଖୁସ୍ ରହେ ଜଗନ୍ନାଥ”ନାରା ଦେଇ ପରିଚ୍ଛନ୍ନତା ଆପଣେଇବାକୁ ପୈାରପାଳିକା କର୍ମଚାରୀମାନେ ଉପଦେଶ ଦିଆଯାଇଛି। ଏହି ଉପଲକ୍ଷେ ପୈାରପାଳିକାର ସଫେଇ କର୍ମଚାରୀମାନଙ୍କୁ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ତରଫରୁ ସେଫ୍ଟି ଇକ୍ୟୁପମେଣ୍ଟ ଯଥା ଆପ୍ରୋନ୍, ଜୋତା, କ୍ୟାପ୍ ଆଦି ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସିଏସ୍ଆର୍‌ର ଉପ ମହାପ୍ରବନ୍ଧକ ରବୀନ୍ଦ୍ର କୁମାର ମହାନ୍ତି, ଆଇଆର୍‌ର ସହାୟକ ମହା ପ୍ରବନ୍ଧକ ପୁରୁଷୋତ୍ତମ ଶର୍ମା, ଲୋକ ସମ୍ପର୍କ ବିଭାଗର ପ୍ରବନ୍ଧକ ପ୍ରବୀଣ ନାରାୟଣ ଦାଶ, ରିଜିଓନାଲ ମାର୍କେଟିଂ ମ୍ୟାନେଜର ରାଜେନ୍ଦ୍ର ପରବ (ୱେଷ୍ଟ), ରିଜିଓନାଲ ମାର୍କେଟିଂ ମ୍ୟାନେଜର ସ୍ମରଣ ସାହୁ (ଇଷ୍ଟ) ପ୍ରମୁଖ ଯୋଗ ଦେଇଥିଲେ।

Comment