ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀଠାରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ଏବଂ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ, ବିଶ୍ୱ ନବସୃଜନ ସୂଚକାଙ୍କ (ଜିଆଇଆଇ-ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ)କୁ ଉନ୍ମୋଚନ କରିଛନ୍ତି। ଏହି ସୂଚକାଙ୍କରେ ଭାରତ ଗତବର୍ଷ ୫୭ତମ ସ୍ଥାନରେ ଥିବା ବେଳେ ଏଥର ୫ଟି ସ୍ଥାନ ଉପରକୁ ଉଠି ୫୨ତମ ସ୍ଥାନରେ ପହଁଚିଛି।

ଏହି ଅବସରରେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ସମସ୍ତ ପ୍ରକ୍ରିୟାରେ ସମ୍ପୃକ୍ତ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସେ କହିଥିଲେ, ‘‘ଜିଆଇଆଇ-୨୦୧୯ ସୂଚକାଙ୍କରେ ଭାରତ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି। ଜିଆଇଆଇ ସୂଚକାଙ୍କର ଶ୍ରେଷ୍ଠ ୫୦ଟି ସ୍ଥାନରେ ରହିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ନେଇ ଭାରତ ନିରନ୍ତର ପ୍ରୟାସ କରୁଛି।’’

ସେ ଆହୁରି କହିଥିଲେ ଯେ ଅତୀତର ସଫଳତାକୁ ନେଇ ଭାରତ ସ୍ଥିର ହୋଇ ବସି ରହିବ ନାହିଁ। ବିଶ୍ୱ ନବସୃଜନ ସୂଚକାଙ୍କର ଶ୍ରେଷ୍ଠ ୨୫ଟି ରାଷ୍ଟ୍ର ମଧ୍ୟରେ ରହିବା ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ଭାରତ ତା’ର ପ୍ରୟାସ ଜାରି ରଖିବ। ଏହି ମାନ୍ୟତା ହାସଲ କରିବା ଲାଗି ସମସ୍ତ ଅଂଶୀଦାରମାନଙ୍କୁ ଲକ୍ଷ୍ୟବଦ୍ଧ ହୋଇ କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଦେଶକୁ ନବସୃଜନର କେନ୍ଦ୍ରରେ ପରିଣତ କରିବା ଲାଗି କାର୍ଯ୍ୟ କରିବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ଗୋଏଲ ଗବେଷଣା ଓ ବିକାଶ ସଂସ୍ଥାନ, ବିଶ୍ୱବିଦ୍ୟାଳୟ ଓ ଘରୋଇ କ୍ଷେତ୍ରକୁ ଅନୁରୋଧ କରିଥିଲେ। ଭବିଷ୍ୟତର ନବସୃଜନ ସୂଚକାଙ୍କରେ ଭାରତର ଗ୍ରାମୀଣ ନବସୃଜନକୁ ବିବେଚନା କରିବା ଲାଗି ବିଶ୍ୱ ବୌଦ୍ଧିକ ସମ୍ପତି ସଂଗଠନ (ଡବ୍ଲୁଆଇପିଓ)କୁ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

ଚଳିତ ବର୍ଷର ଜିଆଇଆଇ ବିଷୟବସ୍ତୁ ‘ସୁସ୍ଥ ଜୀବନ ନିର୍ମାଣ-ଚିକିତ୍ସା କ୍ଷେତ୍ରରେ ନବସୃଜନର ଭବିଷ୍ୟତ’ ଉପରେ ଆଲୋକପାତ କରି ପୀୟୂଷ ଗୋଏଲ କହିଥିଲେ ଯେ ଭାରତ ସରକାର କେବଳ ଚିକିତ୍ସା ସହିତ ନିରାକରଣଯୋଗ୍ୟ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱାରୋପ କରୁଛି।

କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ, ଇନସିଡ ଦ୍ୱାରା ପ୍ରତିବର୍ଷ ଜିଆଇଆଇ ରାଙ୍କିଂ ପ୍ରକାଶ ପାଇଥାଏ। ଏଥିରେ ମିଳିତ ଜାତସିଂଘର ବିଶ୍ୱ ବୌଦ୍ଧିକ ସମ୍ପତି ସଂଗଠନ ଏବଂ ଜିଆଇଆଇ ସହଯୋଗୀ ଥାଆନ୍ତି। ଚଳିତ ଥର ୮୦ଟି ମାନକ ଆଧାରରେ ୧୨୯ଟି ଅର୍ଥବ୍ୟବସ୍ଥାକୁ ନେଇ ଜିଆଇଆଇ ରାଙ୍କିଂ ପ୍ରକାଶ ପାଇଛି। ଏହି ୮୦ଟି ମାନକ ମଧ୍ୟରେ ବୌଦ୍ଧିକ ସମ୍ପତି ଦାଖଲ ହାର, ମୋବାଇଲ ଆପ୍ଲିକେସନ ସୃଷ୍ଟି, ଶିକ୍ଷା କ୍ଷେତ୍ରରେ ବ୍ୟୟ, ବିଜ୍ଞାନ ଓ ବୈଷୟିକ ପ୍ରକାଶନୀ ଆଦି ସାମିଲ ରହିଛି।

ଜିଆଇଆଇ ମାନ୍ୟତାରେ ଚଳିତ ଥର ସ୍ୱିଜରଲ୍ୟାଣ୍ଡ ଶୀର୍ଷରେ ରହିଥିବା ବେଳେ ଏହାପଛକୁ ସ୍ୱିଡେନ, ଯୁକ୍ତରାଷ୍ଟ୍ର ଆମେରିକା, ନେଦରଲ୍ୟାଣ୍ଡ, ଇଂଲଣ୍ଡ, ଫିନଲ୍ୟାଣ୍ଡ, ଡେନମାର୍କ, ସିଙ୍ଗାପୁର, ଜର୍ମାନୀ ଓ ଇସ୍ରାଏଲ ଆଦି ଦେଶ ରହିଛନ୍ତି।

Comment