ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରରେ ଅଭୂତପୂର୍ବ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଗତ ମେ ମାସ ନିର୍ବାଚନରେ ବିପୁଳ ସଫଳତା ହାସଲ କରିବା ପରେ ସରକାରର ରୂପରେଖ ଓ ଶାସନ ଢାଞ୍ଚାକୁ ବଦଳାଇବା ପାଇଁ ନବୀନ ପୂରା ଦମରେ ଲାଗି ପଡ଼ିଛନ୍ତି। ଏବେ ସମସ୍ତଙ୍କର ଧ୍ୟାନ କେନ୍ଦ୍ରୀଭୂତ ହୋଇଛି 5T ଉପରେ।

ପଞ୍ଚକର୍ମ

ବିଗତ ଦୁଇ ମାସ ଧରି ନବୀନଙ୍କ ସରକାର ପକ୍ଷରୁ ଏହି ପାଞ୍ଚ ରକମର ‘ଟି’ ଉପରେ ଗୁରୁତ୍ୱ ଦିଆଯାଇଆସିଛି। ଏହି ଟିଗୁଡ଼ିକ ହେଲା :ଟିମୱାର୍କ (ମିଳିମିଶି କାମ କରିବା), ଟେକ୍ନୋଲୋଜି (ବୈଷୟିକ ଜ୍ଞାନ), ଟ୍ରାନ୍ସପେରେନ୍ସି (ସ୍ୱଚ୍ଛତା), ଟାଇମ-ବାଉଣ୍ଡ (ନିର୍ଦ୍ଦିଷ୍ଟ ସମୟରେ କାମ ଶେଷ କରିବା) ଓ ଟ୍ରାନ୍ସଫର୍ମେସନ (ପରିବର୍ତ୍ତନ)। ନବୀନଙ୍କ ଶାସନର ଏହା ହେବ ଦିଗ ବାରେଣି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ପକ୍ଷରୁ ବେଶ୍ କିଛି କାର୍ଯ୍ୟକ୍ରମ ବି ଘୋଷଣା କରାଯାଇଛି। ଗାନ୍ଧୀ ଜୟନ୍ତୀଠାରୁ ‘ମୋ ସରକାର’ ନାମକ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ସରକାର। ଏମିତିକି ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ, ସେ ଏଣିକି ନିଜେ ଫୋନ କରି ବୁଝିବେ ପୋଲିସ ଥାନା ଓ ଡାକ୍ତରଖାନାରେ ସବୁ ପ୍ରକାର ସାହାଯ୍ୟ ଓ ସହାୟତା ମିଳୁଛି କି ନାହିଁ।

“ମୁଁ ପ୍ରତିଦିନ ବିଭିନ୍ନ ଲୋକଙ୍କୁ ପଚାରିବି ସରକାରୀ ଅଫିସରେ କାମ କେମିତି ଚାଲୁଛି”, ନବୀନ ତାଙ୍କ ଭାଷଣରେ କହିଥିଲେ।

ଆପଣମାନେ ଖୁସି ତ?

ଖାଲି ସେତିକି ନୁହେଁ, ମନ୍ତ୍ରୀ,ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି ସେହିଭଳି କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଦପ୍ତରରେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟଧାରାରେ ପରିବର୍ତ୍ତନ, ଠିକ୍ ସମୟରେ ଲୋକଙ୍କ ଅଭିଯୋଗ ଶୁଣାଯାଉଛି କି ନା ଏବଂ ଡାକ୍ତରଖାନା ଓ ପୋଲିସ ଥାନାରେ ଆବଶ୍ୟକୀୟ ସୁବିଧା ଉପଲବ୍ଧ ହେଉଛି କି ନା ସେ କଥା ଏଣିକି ବରିଷ୍ଠ ଅଧିକାରୀମାନେ ବୁଝିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଯେଉଁମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଓ ପୋଲିସ ଥାନାକୁ ଅଭିଯୋଗ ନେଇ ଯାଉଛନ୍ତି ସେମାନଙ୍କ ମୋବାଇଲ ନମ୍ୱର ସଂଗ୍ରହ କରିବା ପାଇଁ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏ ସବୁ କରିବାର ଉଦ୍ଦେଶ୍ୟ ହେଉଛି ସରକାରୀ ସେବାକୁ ଠିକଣା ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବା। ‘ଆପଣମାନେ ଖୁସି ତ’ ସ୍ଲୋଗାନକୁ ବାସ୍ତବତାରେ ପରିଣତ କରିବା ପାଇଁ ନବୀନ ଚାହୁଁଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି।

ତଳୁ ଉପରକୁ

ନବୀନ ତାଙ୍କ ଶାସନରେ ଯେଉଁ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ସେଥିରେ ସବୁ କଥା ଏଣିକି  ତଳରୁ ଉପରକୁ ଯିବ। ଆଗଭଳି ସବୁ କଥା ଉପରୁ ଲଦି ଦିଆଯିବ ନାହିଁ। ଆହୁରି ମଧ୍ୟ, ଶାସନ ବ୍ୟବସ୍ଥାକୁ ଅଧିକାର-ଭିତ୍ତିକ କରିବା ପାଇଁ ନବୀନ ଚାହୁଁଛନ୍ତି। ନିକଟରେ ଅନ୍‌ଲାଇନ ଖଜଣା ଦେବା ପାଇଁ ଯେଉଁ ପଦକ୍ଷେପ ସରକାର ନେଇଛନ୍ତି ତାହା ଏହି ବୃହତ୍ତର ଲକ୍ଷ୍ୟର ଅଂଶ ବିଶେଷ।

ନୂଆ ଓଡ଼ିଶା

ବିଜେଡି ସରକାର ଲଗାତାର ପଞ୍ଚମ ଥର ପାଇଁ ସରକାର ଗଠନ କରିବା ପରେ ଏକ ନୂଆ ଓଡ଼ିଶାର ନିର୍ମାଣ ପାଇଁ ନବୀନ ଅଣ୍ଟା ଭିଡ଼ିଛନ୍ତି ବୋଲି ବିଜେଡିର ଜଣେ ବରିଷ୍ଠ ନେତା ମତ ପ୍ରକାଶ କରିଛନ୍ତି। ଏହା ପଛରେ ରାଜନୈତିକ ଲକ୍ଷ୍ୟ ବି ରଖିଛନ୍ତି ନବୀନ। ୨୦୨୦ ପ୍ରଥମ ଭାଗରେ ସ୍ୱାୟତ୍ତ ଶାସନ ସଂସ୍ଥା ପାଇଁ ଓ ୨୦୨୨ରେ ପଂଚାୟତ ନିର୍ବାଚନ ହେବାକୁ ଯାଉଛି। ଏଣୁ ଏହି ଦୁଇଟି ନିର୍ବାଚନ ପୂର୍ବରୁ ତାଙ୍କ ସରକାରର ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ନବୀନ ବଦ୍ଧ ପରିକର।

ପାଣ୍ଡିଆନ ମୂଳ

ଶାସନରେ ଏହି ନୂଆ ପରିବର୍ତ୍ତନ ଦାୟିତ୍ୱ ଟି ନବୀନ ତାଙ୍କ ବିଶ୍ୱସ୍ତ ଅଧିକାରୀ କାର୍ତ୍ତିକେୟନ୍ ପଣ୍ଡିଆନଙ୍କୁ ହିଁ  ସମ୍ପୂର୍ଣ୍ଣ ଭାବେ ପ୍ରଦାନ କରିଛନ୍ତି। ୨୦୦୨ ବ୍ୟାଚର ଏହି ଆଇଏଏସ  ଅଫିସରଙ୍କୁ ଯେତେବେଳ 5Tର ଅତିରିକ୍ତ ଦାୟିତ୍ୱ ଦିଆଗଲା ଲାଗୁଥିଲା ଶାସନ ବ୍ୟବସ୍ଥାରେ କିଛି ଗୋଟିଏ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଏବଂ ତାହା ହିଁ ହେଲା।

ଦୁଇ ଦିନ ତଳେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଅନ୍ୟ ଜଣେ ବରିଷ୍ଠ ଆଇଏଏସ ଅଫିସର ଗଗନ ଧଳ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିବା ମଧ୍ୟ ଏହି ପରିବର୍ତ୍ତନର ଅଂଶ ବିଶେଷ। ସତ କହିବାକୁ ଗଲେ, ଏବେ ପାଣ୍ଡିଆନ ହିଁ ହେଉଛନ୍ତି ନବୀନ ଶାସନର ମୁଖ୍ୟ ସ୍ଥପତି। ଏହା ଆଖିରେ ପଡ଼ିଲା ଯେତେବେଳେ ଦାୟିତ୍ୱ ଗ୍ରହଣ କରିବା ପରେ ପରେ ପାଣ୍ଡିଆନ ପୂରା କାମରେ ଲାଗି ପଡ଼ିଲେ। ଉଦାହରଣ ସ୍ୱରୂପ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବେ ସମୀକ୍ଷା ବୈଠକଗୁଡ଼ିକ ସକାଳୁ ସକାଳୁ ଅନୁଷ୍ଠିତ ହେଉଛି।

ତୃତୀୟ ମହଲାରେ ତ କିଛି ଦିନ ଧରି  ସକାଳ ଆଠଟାରୁ କାମ ଆରମ୍ଭ ହୋଇ ଯାଉଥିବା ଲକ୍ଷ୍ୟ କରାଯାଉଛି। ଏପରିକି ଚତୁର୍ଥ ଶନିବାର ଛୁଟି ଦିନରେ ମଧ୍ୟ ସଚିବମାନଙ୍କ ସମୀକ୍ଷା ବୈଠକ ଡାକିବା ପାଇଁ ସ୍ଥିର ହୋଇଛି।

ମୋଟାମୋଟି କଥା ହେଉଛି, କାମ କର ନହେଲେ ଘରକୁ ଯାଅ ଏହା ହିଁ ନବୀନ ସରକାରଙ୍କ ନୂଆ ମନ୍ତ୍ର।

Comment