ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ
  • ଜାଣିଶୁଣି କଲା ସିରିଜ୍‌ ଦୁର୍ଘଟଣା
  • ୪ରୁ ଅଧିକ ଲୋକ ଗୁରୁତର
  • ସନ୍ଦେହରେ ପୋଲିସର ଭୂମିକା
  • ପୋଲିସ ଥାନାକୁ ଆଣିଲା, ଛାଡ଼ିଦେଲା
  • ବିନା ଡ୍ରାଇଭିଂ ଲାଇସେନ୍ସରେ ଯୁବକ ଚଳାଉଥିଲେ ଗାଡ଼ି

୧୫ ଅଗଷ୍ଟ। ସାରା ଦେଶ ସ୍ୱାଧୀନତା ଦିବସ ପାଳୁଥିବା ବେଳେ ସ୍ମାର୍ଟସିଟି ଭୁବନେଶ୍ୱରରେ ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଥିଲା। ଜଣେ ଯୁବକ ଫର୍ଚୁନର୍‌ କାର୍‌ରେ ଆସି ସିରିଜ ଦୁର୍ଘଟଣା ଘଟାଇଥିଲେ। ଏଥିରେ ୪ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ରାତି ପାଖାପାଖି ୧୦ଟା। ସ୍ଥାନ ଡମଣା ଛକ। ନନ୍ଦନକାନନ ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା ଏକ ଫର୍ଚୁନର୍‌ ଗାଡ଼ି। ପ୍ରଥମେ ଡମଣା ଛକରେ ଗାଡ଼ିଟି ଧକ୍କା ଦେଇଥିଲା ଜଣେ ବାଇକ୍‌ ଆରୋହୀଙ୍କୁ। ବାଇକ୍‌ ଆରୋହୀ ତଳେ ପଡ଼ି ଛଟପଟ ହୋଇଥିଲେ। ତାଙ୍କୁ ଉଦ୍ଧାର କରିବା ବଦଳରେ ଗାଡ଼ିଟି ଦ୍ରୁତ ବେଗରେ ଆଗକୁ ମାଡ଼ି ଯାଇଥିଲା।

ପରେ କାନନ ବିହାର କୋଏଲ କ୍ୟାମ୍ପସ୍‌ ନିକଟରେ ଜଣେ ଅଟୋ ଚାଳକ ଏବଂ ଆର୍ଯ୍ୟପଲ୍ଲୀ ଶିଶୁବିହାର ଛକରେ ଆଉ ଜଣେ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା କାର୍‌।

ତିନୋଟି ଦୁର୍ଘଟଣା ଘଟାଇବା ପରେ କାର୍‌ ଚାଳକ ହଡ଼ବଡ଼େଇ ଯାଇଥିଲେ। ମ୍ୟାଗ୍‌ନେଟ୍‌ ଛକସ୍ଥିତ ବିଗ୍‌ବଜାର ନିକଟରେ ଆଉ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇ ଫର୍ଚୁନର୍‌ ଗାଡ଼ିଟି ଡିଭାଇଡରରେ ପିଟି ହୋଇଯାଇଥିଲା।

ସ୍ଥାନୀୟ ଲୋକେ ଫର୍ଚୁନର୍‌ ଗାଡ଼ି ଚଳାଉଥିବା ଯୁବକଙ୍କୁ ଅଟକ ରଖି ଚନ୍ଦ୍ରଶେଖରପୁର ଥାନାକୁ ଖବର ଦେଇଥିଲେ। ପୋଲିସ ଆସି ଯୁବକଙ୍କୁ ଥାନାକୁ ନେଇଥିଲା।

ପ୍ରତ୍ୟକ୍ଷଦର୍ଶୀ ସରୋଜ କୁମାର ପୁଷ୍ଟି କହିଛନ୍ତି, “ଗାଡ଼ିର ସ୍ପିଡ୍ ଏତେ ଅଧିକ ଥିଲା ଯେ ଆମେ ଜାଣିପାରୁନଥିଲୁ କ’ଣ କରିବୁ। ମୁଁ ମୋ ବୁଲେଟ୍ ଚଲାଇ ଯାଉଥିବା ବେଳେ ସେ ମୋ ସାମ୍ନାରୁ ଏତେ ସ୍ପିଡ୍‌ରେ ଆସିଥିଲା ଯେ ମୁଁ ଜୀବନ ବଞ୍ଚାଇବା ପାଇଁ ଗାଡ଼ି ଛାଡ଼ିଦେଇ ଡେଇଁ ପଡ଼ିଥିଲି। ନଚେତ ସେହିଠାରେ ହିଁ ସେ ମତେ ମାରିଦେଇଥାଆନ୍ତା।’’

ଥାନାକୁ ଆଣି ସଂପୃକ୍ତ ଯୁବକଙ୍କୁ ପଚରା ଉଚରା କରିଥିଲା ପୋଲିସ। ସେ ଯୁବକର ନାଁ ଯଶବନ୍ତ ଡାଗ୍ରା ବୋଲି ଜଣାପଡ଼ିଥିଲା। ଯଶବନ୍ତ ଏକ ଘରୋଇ କଲେଜର ଛାତ୍ର ହୋଇଥିବା ବେଳେ ଖଣି ବ୍ୟବସାୟୀ ଜନ୍ମେଜୟ ଡାଗ୍ରାଙ୍କ ପୁଅ।

ଯଶବନ୍ତ ଗାଡ଼ି ଚଳାଇଲା ବେଳେ ନିଶାଗ୍ରସ୍ତ ଥିବା ସ୍ଥାନୀୟ ଲୋକେ କହୁଛନ୍ତି। ବେପରୁଆ ଗାଡ଼ି ଚଳାଇ ସେ ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟି ଚାଲିଥିଲେ। ଆମେ ଆପଣଙ୍କୁ ଯେଉଁସବୁ ଫଟୋ ଏହି ଖବରରେ ବ୍ୟବହାର କରିଛୁ ସେଥିରୁ ଆପଣମାନେ ସ୍ପଷ୍ଟ ଭାବରେ ଜାଣିପାରୁଥିବେ ଯଶବନ୍ତ ଚଲାଉଥିଲା ଗାଡ଼ିର ଅବସ୍ଥା କ’ଣ ରହିଛି ଓ ସେ କେଉଁଭଳି ଭାବରେ ଦୁର୍ଘଟଣା ଘଟାଇଛନ୍ତି?

ବେପରୁଆ ଗାଡ଼ି ଚାଳନାରେ କେବଳ ୪ ଜଣ ଲୋକ ଆହତ ହୋଇ ନାହାନ୍ତି, ଗୋଟିଏ ଗାଈର ମଧ୍ୟ ଜୀବନ ଚାଲିଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯଶବନ୍ତ ଜଣେ ନିଶାଗ୍ରସ୍ତ ଯୁବକ ଏବଂ ଆଗରୁ ମଧ୍ୟ ସେ ଏହିଭଳି କାଣ୍ଡ ଘଟାଇଥିବା ନଜିର ରହିଛି।

ଥାନାକୁ ଆଣିଲା, ବସାଇଲା, ଛାଡ଼ିଦେଲା ପୋଲିସ

ବେପରୁଆ ଗାଡ଼ି ଚଳାଇ ୪ରୁ ଅଧିକ ଲୋକଙ୍କୁ ଆହତ କରିଥିବା ଉନ୍ମତ୍ତ ଯୁବକ ଯଶବନ୍ତକୁ ପୋଲିସ ଥାନାକୁ ଆଣିଥିଲା। ପଚରା ଉଚରା ମଧ୍ୟ କରିଥିଲା। ରାତିରେ ଯଶବନ୍ତ ଥାନରେ ରହିଥିଲେ। ହେଲେ ସକାଳୁ ପୋଲିସ ଏହି ଉନ୍ମତ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଛାଡ଼ି ଦେଇଥିଲା।

ସବୁଠୁ ବଡ଼ କଥା ହେଲା, ଗାଡ଼ି ଚଳାଇବା ବେଳେ ଯଶବନ୍ତଙ୍କ ପାଖରେ ନଥିଲା ଡ୍ରାଇଭିଂ ଲାଇସେନ୍ସ। ତେବେ ବିନା ଡ୍ରାଇଭିଂ ଲାଇସେନ୍ସରେ ଏତେ ବଡ଼ ଦୁର୍ଘଟଣା ଘଟାଇବା ପରେ ପୋଲିସ କିପରି ତାଙ୍କୁ ଛାଡ଼ିଦେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବାଇକ୍‌ ଚାଳକଙ୍କୁ ଧର, କାର୍‌ ଚାଳକଙ୍କୁ ମାଫ୍‌

ସ୍ମାର୍ଟସିଟି ଭୁବନେଶ୍ୱରର ବିଭିନ୍ନ ଛକରେ ପୋଲିସ ଦିନ ହେଉ କି ରାତି ଚେକିଂ କରିଥାଏ। ବାଇକ୍‌ ଚାଳକ ହେଲମେଟ୍‌ ପିନ୍ଧି ନଥିଲେ ସେମାନଙ୍କୁ ଧରି ଜରିମାନା ଆଦାୟ କରିଥାଏ। ହେଲେ ସ୍ୱାଧୀନତା ଦିବସରେ ଭୁବନେଶ୍ୱରରେ ଜାଣିଶୁଣି ଏତେବଡ଼ ସିରିଜ ଦୁର୍ଘଟଣା ଘଟାଇଥିବା ଯୁବକଙ୍କୁ ପୋଲିସ କେମିତି ଛାଡ଼ିଦେଲା ତାକୁ ନେଇ ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି। ପୋଲିସର ଭୂମିକା ଉପରେ ଆଙ୍ଗୁଳି ଉଠାଇଛନ୍ତି ସାଧାରଣ ଲୋକେ।

Comment