ଓଡ଼ିଶାଲାଇଭ୍‌ ବ୍ୟୁରୋ

ପପୁ ପମ୍‌ ପମ୍‌ଙ୍କ ଆଗାମୀ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଏହି ପୋଷ୍ଟର ମାଧ୍ୟମରେ ନାରୀଙ୍କୁ ଅସମ୍ମାନ କରଯାଇଥିବା ଅଭିଯୋଗ ଆସିଛି। ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ଏ ବାବଦରେ ନିଜେ ପପୁ ମୁହଁ ଖୋଲିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ପପୁ ନିଜ ପ୍ରତିକ୍ରିୟା ରଖିଛନ୍ତି।

ପପୁ କହିଛନ୍ତି, ‘ବିବାଦ ଘେରକୁ ଆସିଥିବା ଏହି ପୋଷ୍ଟର ମୋ କନସେପ୍ଟର ନୁହେଁ। ଏପରି ପୋଷ୍ଟର ତିଆରି କରିବାରେ ପ୍ରଯୋଜନା ସଂସ୍ଥାର ମଧ୍ୟ କୌଣସି ହାତ ନାହିଁ। ପୋଷ୍ଟରଟି ଯିଏ ତିଆରି କରିଛି ତାକୁ ଖୋଜିବା ଦରକାର।”

“ମିଷ୍ଟର କହ୍ନେୟା ହେଉଛି ଏକ ପ୍ରେରଣାଦାୟୀ ଫିଲ୍ମ। ଏହି ଫିଲ୍ମରେ ନାରୀଙ୍କୁ ଯେତିକି ସମ୍ମାନ ଦିଆଯାଇଛି, ବୋଧ ହୁଏ ଅନ୍ୟ କୌଣସି ଫିଲ୍ମରେ ଦିଆଯାଇନଥିବ” ନିଜ ପ୍ରତିକ୍ରୟାରେ ପପୁ କହିଛନ୍ତି।

ଅନ୍ୟପକ୍ଷରେ ଏହି ପୋଷ୍ଟରକୁ ନେଇ ରୁଜୁ ହୋଇଥିବା ମାମଲାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି। ଡିସିପି କହିଛନ୍ତି, “ଫିଲ୍ମର ପ୍ରଡକ୍ସନ ହାଉସ୍‌ ଉପରେ ମାମଲା ରୁଜ୍ଜୁ ହୋଇଛି। ତଦନ୍ତ ପାଇଁ ପ୍ରଡକ୍ସନ ହାଉସ୍‌କୁ ନୋଟିସ କରାଯିବ। ସେହିପରି ଏହି ପୋଷ୍ଟର ସୁଟିଂ ସେଟ୍‌ରୁ ବାହାରିଛି ନା ଅନ୍ୟ କେହି ପୋଷ୍ଟ କରିଛନ୍ତି ସେନେଇ ତଦନ୍ତ କରାଯିବ। ଆବଶ୍ୟକ ପଡ଼ିଲେ ଫିଲ୍ମର ଅଭିନେତା ଓ ଅଭିନେତ୍ରୀଙ୍କୁ ମଧ୍ୟ ଡକାଯିବ।”

ମିଷ୍ଟର କହ୍ନେୟା ଫିଲ୍ମର ଏହି ପୋଷ୍ଟରରେ ୭ ଜଣ ନାରୀଙ୍କ ବେକରେ ରସି ଲଗାଯାଇଛି। ଏହି ରସିକୁ ପପୁ ହାତରେ ଧରିଛନ୍ତି। ଏହା ହିଁ ପୋଷ୍ଟରକୁ ଅଧିକ ବିବାଦୀୟ କରିଛି।

Comment