ଓଡ଼ିଶାଲାଇଭ୍ ବ୍ୟୁରୋ

ଡାକ୍ତର ଯୁବତୀଙ୍କୁ ବାହା ହେବା ପାଇଁ ମାଟ୍ରିମୋନି ସାଇଟ୍‌ରେ ରଙ୍ଗ ବଦଳାଇଥିଲା ବିରଞ୍ଚି ନାରାୟଣ ନାଥ।

ନୟାପଲ୍ଲୀ ପୋଲିସ ହାତରେ ମାଟ୍ରିମୋନି ଠକ ବିରଞ୍ଚି ନାରାୟଣ ନାଥ। ଜଣେ ଡାକ୍ତର ଯୁବତୀଙ୍କୁ ବିବାହ କରିବା ପାଇଁ ମାଟ୍ରିମୋନି ସାଇଟ୍‌ରେ ଫେକ୍‌ ଆଇଡି ଖୋଲି ଜାଲ ବିଛାଇଥିବା ବିରଞ୍ଚିକୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି। କେତେବେଳେ ନିଜକୁ ଏମ୍‌ସ ଡାକ୍ତର ଏବଂ ଆଉ କେତେବେଳେ ଆଇଆର୍‌ସି ଅଫିସର ନାଁରେ ଆକାଉଣ୍ଟ ଖୋଲିଥିବା ବିରଞ୍ଚିର ଏବେ ଅସଲ ମୁଖା ଖୋଲିଛି।

ନାଁ ବିରଞ୍ଚି ନାରାୟଣ ନାଥ। ନିଜ ଘର ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳରେ। ବର୍ତ୍ତମାନର ଠିକଣା ଭୁବନେଶ୍ୱର ସାଲିଆ ସାହିର ତାରିଣୀ ବସ୍ତି। ନିଜ ସ୍ତ୍ରୀ ସହିତ ବିରଞ୍ଚି ସାଲିଆ ସାହିରେ ରହୁଥିଲା। ମାଟ୍ରିମୋନି ସାଇଟ୍‌ରେ ଜଣେ ଡାକ୍ତର ଯୁବତୀ ବାହାଘର ପାଇଁ ବିଜ୍ଞାପନ ଦେଇଥିଲେ। ଏହାପରେ ସେହି ଯୁବତୀଙ୍କୁ ବିବାହ କରିବା ପାଇଁ ବିରଞ୍ଜି ଜାଲ ବିଛାଇଥିଲା।

ପ୍ରଥମେ ବିରଞ୍ଚି ମାଟ୍ରିମୋନି ସାଇଟ୍‌ରେ ନିଜର ଏକ ଆକାଉଣ୍ଟ ଖୋଲିଥିଲା। ଏହି ଆକାଉଣ୍ଟରେ ନିଜକୁ ଏମ୍‌ସ ଡାକ୍ତର ଭାବେ ପରିଚୟ ଦେଇଥିଲା। ସଂପୃକ୍ତ ଯୁବତୀଙ୍କ ସହ ଚାଟିଂ କରି ତାଙ୍କ ହ୍ୱାଟସ୍‌ଆପ୍ ନମ୍ବର ଆଣିଥିଲା। ଏମ୍‌ସର ସ୍ନାୟୁ ବିଭାଗ ବିଶେଷଜ୍ଞ ପରିଚୟ ଦେଇ ସଂପୃକ୍ତ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା ବିରଞ୍ଚି।

ସଂପୃକ୍ତ ଯୁବତୀ ଜଣକ ଏ ବିଷୟରେ ନିଜ ଘରେ କହିଥିଲେ। ପରିବାର ଲୋକ ଏମ୍‌ସରେ ବିରଞ୍ଚି ସମ୍ପର୍କରେ ଖୋଳତାଡ଼ କରିଥିଲେ। ବିରଞ୍ଚି ନାରାୟଣ ନାଥ ନାଁରେ ସେମିତି କେହି ଡାକ୍ତର ନଥିବା ଜାଣିପାରିଥିଲେ ଯୁବତୀଙ୍କ ପରିବାର ଲୋକ। ଶେଷରେ ଯୁବତୀ ବିରଞ୍ଚିକୁ ବାହା ହେବା ପାଇଁ ମନା କରିଦେଇଥିଲେ।

ହେଲେ ବିରଞ୍ଚି ଏହାକୁ ସହଜରେ ଗ୍ରହଣ କରିପାରି ନଥିଲା। ଡାକ୍ତର ଯୁବତୀଙ୍କୁ ବାହା ହେବା ଜିଦ୍‌ରେ ପୁଣିଥରେ ରଙ୍ଗ ବଦଳାଇଥିଲା ବିରଞ୍ଚି। ମାଟ୍ରିମୋନି ସାଇଟ୍‌ରେ ଆଉ ଏକ ଆକାଉଣ୍ଟ ଖୋଲିଥିଲା ସେ।

ନୂଆ ଆକାଉଣ୍ଟରେ ନିଜ ଟାଇଟଲ ବଦଳାଇଥିଲା ବିରଞ୍ଚି। ବିରଞ୍ଚି ନାରାୟଣ ନାଥ ବଦଳରେ ସାଙ୍ଗିଆ ରଥ ଲେଖିଥିଲା। ଏଥିରେ ସେ ନିଜକୁ ଆଇଆର୍‌ସି ଅଫିସର ଭାବେ ପରିଚୟ ଦେଇଥିଲା। ଚଣ୍ଡିଗଡ଼ରେ ସେ ଚାକିରି କରିଥିବା ଲେଖିଥିଲା।

ସେହି ଡାକ୍ତର ଯୁବତୀଙ୍କ ସହ ପୁଣିଥରେ ଚାଟିଂ କଲା ବିରଞ୍ଚି। ପୂର୍ବର ଆକାଉଣ୍ଟ ଏବଂ ବର୍ତ୍ତମାନର ଆକାଉଣ୍ଟ ଦେଖି ସନ୍ଦେହ କଲେ ସଂପୃକ୍ତ ଯୁବତୀ। ଏ ବିଷୟରେ ଘରେ କହିଲେ। ପରିବାର ଲୋକ ଏନେଇ ନୟାପଲ୍ଲୀ ଥାନା ପୋଲିସରେ ଖବର ଦେଇଥିଲେ।

ଶେଷରେ ପରିବାର ଲୋକ ବିରଞ୍ଚିକୁ ଏକ ହୋଟେଲକୁ ଡାକିଥିଲେ ଆଲୋଚନା କରିବାକୁ। ବିରଞ୍ଚି ଭଡ଼ା ଗାଡ଼ି ନେଇ ହୋଟେଲକୁ ଯାଇଥିଲା। ପରିବାର ଲୋକ ତାକୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ। ହେଲେ ଉତ୍ତର ଦେଇପାରି ନଥିଲା ବିରଞ୍ଚି। ଶେଷରେ ପୋଲିସ ଆସି ବିରଞ୍ଚିକୁ ଥାନାକୁ ନେଇ ଯାଇଥିଲା।

Comment